ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି । ଏଥି ସହିତ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଥିବା ମାନଦଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟକୁ ଅର୍ନ୍ତଭୁକ୍ତ ଲାଗି କହିଛନ୍ତି ।

ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଭଳି ଦାବି ରଖିଛନ୍ତି । ଏଥି ସହିତ ୧୯୦୦ ରୁ ୨୦୧୯ କିଭଳି ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ତାହା ଉଲ୍ଲେଖ କରିଥିଲେ । ପୂର୍ବ ଉପକୂଳରେ ଆସୁଥିବା ବାତ୍ୟା ଓ ମହାବାତ୍ୟାର ୩୫ ପ୍ରତିଶତ ଦ୍ୱାରା ଓଡିଶା କ୍ଷତିଗ୍ରସ୍ତ ହେଉଥିବା ଦର୍ଶାଇଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ରାଜ୍ୟକୁ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଆଧାରରେ ଅନୁଦାନ ମିଳିଲେ ଏହା ରାଜ୍ୟର ଭିତ୍ତିଭୂମି ନିର୍ମାଣ ଜୀବିକା ପ୍ରକଳ୍ପ ଆଦି କାର୍ଯ୍ୟକାରୀ କରିବାରେ ସହାୟକ ହେବ । ଏହା କେବଳ ଓଡିଶା ନୁହେଁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଅନ୍ୟ ରାଜ୍ୟ ବି ଏହାଦ୍ୱାରା ଲାଭବାନ ହେବେ ।

ଏଥି ସହିତ ବାତ୍ୟା ଫନି ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ସହାୟତା ଲାଗି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାତ୍ୟାରେ ୫ଲକ୍ଷ ୬୦ ହଜାର ଘର ଭାଙ୍ଗିବା ସହିତ ଲକ୍ଷାଧିକ ଗଛ ଉପୁଡିଛି । ପଶୁ ପକ୍ଷୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ସରକାରୀ ଭିତ୍ତିଭୂମି ଯଥା ବିଦ୍ୟୁତ୍‍ ପରିବହନ ଓ ବିତରଣ, ପାନୀୟଜଳ ଯୋଗାଣ, ସଡକ ଏବଂ ପୋଲ, ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ କୋଠା ଆଦି ବ୍ୟାପକ କ୍ଷତ୍ରିଗସ୍ତ ହୋଇଛି ।

ଏହାକୁ ଦୃଷ୍ଟିରେ ରଖି ଓଡିଶାକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୫ଲକ୍ଷ ଘର ଯୋଗାଇଦେବା ସହିତ ଏଥିପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ୯୦ ପ୍ରତିଶତ ଅନୁଦାନ ଦେବାକୁ ଅନୁରୋଧ କରିଛନ୍ତି ।

ରାଜ୍ୟ ସରକାର ବାତ୍ୟା କ୍ଷୟକ୍ଷତିର ଆକଳନ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ରିପୋର୍ଟ ଦେଇଥିବା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ରିଲିଫ ଓ ଅନ୍ୟାନ୍ୟ କାର୍ଯ୍ୟଲାଗି ୯୩୩୬ କୋଟି ଟଙ୍କା ଆବଶ୍ୟକ ଥିବା ଏଥିରେ ଦର୍ଶ।।ଇଛି । ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ରିଲିଫ ଓ କ୍ଷତି ଭରଣା କାର୍ଯ୍ୟ ଜାରି ରଖିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‍ଡିଆରଏଫ୍‍)ରେ ୫୨୨୮ କୋଟି ଟଙ୍କା ଯୋଗାଇବାକୁ କହିଛନ୍ତି ।

ଦେଶରେ ଉତ୍ପାଦିତ ହେଉଥିବା କୋଇଲାର ୫ ଭାଗରୁ ଭାଗେ ଓଡିଶା ଉତ୍ପାଦନ କରୁଛି ଏବଂ ଏଥିଯୋଗୁଁ ରାଜ୍ୟ ଖଣି ଅଞ୍ଚଳରେ ପରିବେଶ ପ୍ରଦୂଷଣ, ବିସ୍ଥାପନ ଭଳି ସମସ୍ୟାର ସମ୍ମୁଖୀନ ହେଉଛି । ଶେଷଥର ପାଇଁ ୨୦୧୨ ମସିହା ମଇ ମାସରେ କୋଇଲା ରୟାଲିଟି ସଂଶୋଧନ ହୋଇଥିଲା । ତେଣୁ କୋଇଲା ରୟାଲିଟିକୁ ୧୪ ପ୍ରତିଶତରୁ ୨୦ ପ୍ରତିଶତକୁ ତୁରନ୍ତ ବୃଦ୍ଧି ଲାଗି ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଏହି ଅର୍ଥ ରାଜ୍ୟର ବିକାଶରେ ବେଶ୍‍ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।