ବାସହରାଙ୍କୁ ବିପଦ ମୌସୁମୀ

ସାମୁଦ୍ରିକ ଝଡ଼ ଫଣିର ଫଣା ଚୋଟରେ ଓଡ଼ିଶାର ପ୍ରାୟ ଦେଢ଼ କୋଟି ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାରମ୍ଭିକ ସରକାରୀ ଆକଳନ ଅନୁଯାୟୀ ୫ ଲକ୍ଷରୁ ଊଦ୍ଧ୍ୱର୍ ଘର ଭାଙ୍ଗିଛି । ଘରଦ୍ୱାର ହରାଇବା ସହ ବ୍ୟାପକ କ୍ଷତି ସହିଥିବା ପରିବାରଗୁଡ଼ିକ ଏବେ ପ୍ରାକ୍‍ ମୌସୁମୀର ସମ୍ଭାବ୍ୟ ବର୍ଷା ଘେନି ଆତଙ୍କିତ ।

ପାଣିପାଗ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଜୁନ୍‍ ପ୍ରଥମ ସପ୍ତାହ ସୁଦ୍ଧା ଓଡ଼ିଶାରେ ମୌସୁମୀ ପ୍ରବାହ ହେବ । ଅର୍ଥାତ୍‍ ବର୍ଷା ଆସିବାକୁ ଏବେ ୨୦ ଦିନରୁ କମ୍‍ ସମୟ ଅଛି । ତେଣୁ ଏତେ କମ୍‍ ସମୟ ମଧ୍ୟରେ କ୍ଷତିଗ୍ରସ୍ତ ଲୋକେ କିପରି ଘର ସଜାଡ଼ିବେ ସେଥିଘେନି ଚିନ୍ତିତ ।

ଯେଉଁମାନଙ୍କର ଘର ଭାଙ୍ଗିଛି ଓ ଦରଭଙ୍ଗା ଅବସ୍ଥାରେ ପଡ଼ିଛି ସେମାନଙ୍କୁ କୋଠାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ସରକାର ଲୋଡ଼ିଥିବା ୧୭ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଧ୍ୟରୁ ପ୍ରାୟ ୭ ହଜାର କୋଟି ହେଉଛି ଘରଭଙ୍ଗାଜନିତ କ୍ଷତିର ଭରଣା ଲାଗି ।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ୟୁନ ୫ ଲକ୍ଷ ଘର ନିର୍ମାଣ ପାଇଁ ସହାୟତା ଯୋଗାଇବା ଏବଂ ଏଥିରେ କେନ୍ଦ୍ରୀୟ ସହାୟତା ୯୦ ପ୍ରତିଶତକୁ ବୃଦ୍ଧି କରି ରାଜ୍ୟ ସରକାରଙ୍କ ଅଂଶ ୧୦ ପ୍ରତିଶତକୁ କମାଇବାକୁ ପ୍ରସ୍ତାବ ଦିଆଯାଇଛି ।

ସରକାରଙ୍କ ପକ୍ଷରୁ ଘରଭଙ୍ଗା କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି ଏବଂ ଜୁନ୍‍ ପହିଲାରୁ କ୍ଷତିଗ୍ରସ୍ତ ଲୋକଙ୍କୁ କୋଠାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯିବ ବୋଲି କୁହାଯାଇଛି ।

ବର୍ଷାଦିନେ ସିମେଣ୍ଟ, ବାଲି, ଇଟା, ରଡ୍‍, ଗୋଡ଼ି ଆଦି ଘର ତିଆରି ସାମଗ୍ରୀ ସଂଗ୍ରହ କରିବା ଏବଂ ବ୍ୟାପକ ସଂଖ୍ୟାରେ ଘର ଭାଙ୍ଗିଥିବାରୁ ଏହା ନିର୍ମାଣ ଲାଗି ମିସ୍ତ୍ରୀ ଯୋଗାଡ଼ କରିବା ସାଙ୍ଘାତିକ ବ୍ୟାପାର ହୋଇଯିବ । ଏ ପରିପ୍ରେକ୍ଷୀରେ ଠିକଣା ମିସ୍ତ୍ରୀ ଓ ସାମଗ୍ରୀ ନ ମିଳିଲେ ଘର ଭୁଷୁଡ଼ିବା ସମ୍ଭାବନା ବି ଅଛି ।

କ୍ଷତିଗ୍ରସ୍ତ ଅଞ୍ଚଳରେ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ତେଣୁ ଏ ବର୍ଷ ଲୋକେ ଏଠାରେ ଅକ୍ଷୟ ତୃତୀୟା ପାଳନରୁ ବିରତ ରହିଛନ୍ତି । ସବୁ ବର୍ଷ ବିହନ ନିଗମ ମାଧ୍ୟମରେ ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଧାନ ଓ ଅନ୍ୟାନ୍ୟ ଖରିଫ୍‍ ବିହନ ଯୋଗାଇ ଦିଆଯାଇଥାଏ । ବିହନ ଯୋଗାଇବା ତ ଦୂରର କଥା ଏଯାବତ୍‍ ଅନେକ ବିହନ ଚାଷୀଙ୍କ ଠାରୁ ନିଗମ ଧାନ ସଂଗ୍ରହ କରିନାହିଁ ।

ଫଳରେ ବେଶ୍‍ ଖର୍ଚ୍ଚାନ୍ତ ହୋଇ ବିହନ ଚାଷ କରିଥିବା ଚାଷୀମାନେ ବିହନ ନିଗମକୁ ଯୋଗାଇବା ପାଇଁ ସାଇତି ରଖିଥିବା ଧାନକୁ କିପରି ସୁରକ୍ଷିତ ରଖିବେ ସେଥିଘେନି ଚିନ୍ତିତ । କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ ଓ ଅଙ୍ଗନବାଡ଼ି ଘରଗୁଡ଼ିକର ମରାମତି ମାସକ ମଧ୍ୟରେ ନ ସରିଲେ ପିଲାମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ।

ଏ କାମ କେବେ ଆରମ୍ଭ ହେବ ଜଣାନାହିଁ । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଯେଉଁଠି ବି ଖରାଟିଆ ଧାନଚାଷ ହୋଇଛି ସେଥିରୁ ଅଧିକାଂଶ ଜମି ଏବେ ଫାଟି ଅାଁ କଲାଣି । ବିଦ୍ୟୁତ୍‍ ନ ଥିବାରୁ ଉଠାଜଳସେଚନ ମାଧ୍ୟମରେ ଧାନ ବଞ୍ଚାଇବା ଅସମ୍ଭବ ।

ଅନ୍ୟପକ୍ଷରେ କେନାଲ ବ୍ୟବସ୍ଥା ଥିଲେ ବି ଡେଲାଙ୍ଗ, ପିପିଲି ଭଳି ଅନେକ ଅଞ୍ଚଳକୁ ସପ୍ତାହରୁ ଅଧିକ ସମୟ ଧରି କେନାଲ ପାଣି ଆସୁନାହିଁ । ଗାଁ ଗହଳରେ ଗଡ଼ିଆ ପୋଖରୀରେ ଗଛପତ୍ର ପଡ଼ି ପାଣି ପଚି କଳାରଙ୍ଗ ହୋଇଗଲାଣି ।

ଏହା ବ୍ୟବହାର କରିବା ତ ଦୂରର କଥା ଦୁର୍ଗନ୍ଧରେ ପାଖକୁ ଲୋକେ ଯାଉନାହାନ୍ତି । ଏହାର ପ୍ରଭାବ ଭୂତଳ ଜଳ ଉପରେ ପଡ଼ୁଥିବାରୁ ପାନୀୟ ଜଳ ସମସ୍ୟା ମଧ୍ୟ ଉକ୍ରଟ ହେବାରେ ଲାଗିଛି ।

ବର୍ଷା ପୂର୍ବରୁ ଏହି କୂଅ ପୋଖରୀଗୁଡ଼ିକର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ । ନ ହେଲେ ମହାମାରୀ ବ୍ୟାପିବାରେ ଏଗୁଡ଼ିକ ମାଧ୍ୟମ ହେବେ । ତେଣୁ ଏ ବର୍ଷ ସହଳ ମୌସୁମୀ ଆସିବାର ପ୍ରାକ୍‍ ସୂଚନା କ୍ଷତିଗ୍ରସ୍ତ ଲୋକଙ୍କୁ ବିକଳ ସ୍ଥିତିକୁ ଟାଣି ନେଉଛି ।