ତାଲିମ ନେଲେ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀ

ରିଟର୍ଣ୍ଣିଙ୍ଗ୍‌ ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ‘ଭୋଟ ଗଣତି ତାଲିମ କର୍ମଶାଳା’ ଆଜି ଉଦ୍‌ଯାପିତ ହୋଇଯାଇଛି । ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ଏହି ଦୁଇଦିନିଆ କର୍ମଶାଳାରେ ପ୍ରଥମ ଦିନରେ ୩୦ଟି ଜିଲ୍ଲାର ମୋଟ ୧୨୩ ଜଣ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀ ଉପସ୍ଥିତ ରହି ଭୋଟ ଗଣତି ସଂପର୍କରେ ତାଲିମ ନେଇଥିଲେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରାଞ୍ଜଳ ଭାବେ କଣ୍ଟ୍ରୋଲ ୟୁନିଟ୍‌, ଭିଭିପ୍ୟାଟ୍‌ ଓ ପୋଷ୍ଟାଲ୍‌ ବ୍ୟାଲେଟ୍‌ର ଗଣତି ସଂପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ଅବଗତ କରାଇବା ସହ ଅଧିକାରୀମାନଙ୍କର ଭୋଟଗଣତି ସଂପର୍କରେ ରହିଥିବା ସନ୍ଦେହ ଦୂର କରିଥିଲେ ।

ରିଟର୍ଣ୍ଣିଙ୍ଗ୍‌ ଅଧିକାରୀମାନଙ୍କ ନିମନ୍ତେ ଏକ ‘ଆଦର୍ଶ ଭୋଟ ଗଣତି କେନ୍ଦ୍ର’ କରାଯାଇଥିଲା । ଏଥିରେ ରିଟର୍ଣ୍ଣିଙ୍ଗ୍‌ ଅଧିକାରୀମାନେ ଉପସ୍ଥିତ ରହି ଭୋଟ ଗଣତି ସଂପର୍କରେ ବିଭିନ୍ନ ଦିଗରୁ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ । ଆସନ୍ତା ୨୩ ତାରିଖରେ ୬୩ଟି ଭୋଟଗଣତି କେନ୍ଦ୍ରରେ ଭୋଟଗଣତି କାର୍ଯ୍ୟକ୍ରମ ଚାଲିବ ।

ପ୍ରଥମ ଦିନ କର୍ମଶାଳାରେ ଭାରତ ନିର୍ବାଚନ କମିଶନଙ୍କ ସିନିୟର କନ୍‌ସଲଟାଣ୍ଟ ଭନ୍‌ୱାର ଲାଲ୍‌ ଯୋଗଦେଇଥିଲେ । ଏହି ଦୁଇଦିନିଆ ତାଲିମ କର୍ମଶାଳାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ୍‌ ଆର୍‌ ଯାଦବ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆର୍‌ ଆୟର ଓ ଶତ୍ରୁଘ୍ନ କର, ଯୁଗ୍ମ ଶାସନ ସଚିବ (ଆଇ.ଟି) ସରୋଜ କୁମାର ତି୍ରପାଠୀ ପ୍ରମୁଖ ଉପସ୍ଥିତ ରହି ଭୋଟ ଗଣତି ସଂପର୍କିତ ବିଭିନ୍ନ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ ।