୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

କରୋନା ପାଇଁ ମିତବ୍ୟୟିତା

ବିଶ୍ୱ ଅର୍ଥନୀତିକୁ କରୋନା ଯେଭଳି ପ୍ରଭାବିତ କରିଛି ସେଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବ୍ୟାପକ ଖର୍ଚ୍ଚକାଟ ପାଇଁ ମିତବ୍ୟୟିତା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଅର୍ଥନୀତି ବିଶାରଦମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା ଏବଂ ପୀଡିତଙ୍କୁ ଚିକିତ୍ସାପାଇଁ କେନ୍ଦ୍ର ସରକାର ଓ ଓଡିଶା ସମେତ ଦେଶର ସବୁ ରାଜ୍ୟ ସରକାରମାନେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସରକାରୀକଳକୁ ବ୍ୟାପକ ଅର୍ଥ ବ୍ୟୟ କରିବାକୁ ପଡୁଥିବାବେଳେ ଅନ୍ୟପଟେ କୃଷି ଓ ଶିଳ୍ପ ଉତ୍ପାଦନ, ଆମଦାନୀ ରପ୍ତାନି, ବାଣିଜ୍ୟ ବ୍ୟବସାୟ ଏବଂ ସର୍ବୋପରି ଲୋକଙ୍କ ରୋଜଗାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ନିକଟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନାମରେ ଏକ ଲକ୍ଷ ୭୦ହଜାର କୋଟି ଟଙ୍କାର ପ୍ୟାକେଜ କରୋନା ପରିପ୍ରେକ୍ଷୀରେ ଘୋଷଣା କରିଥିବାବେଳେ ଓଡିଶା ସରକାର ବି ପ୍ରଥମ ପର୍ଯ୍ୟାୟରେ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ପ୍ରାୟ ୮୦କୋଟି ହିତାଧିକାରୀଙ୍କ ପାଇଁ ଏକକାଳୀନ ୩ମାସ ଲାଗି ଚାଉଳ ଓ ଗହମ ବ୍ୟବସ୍ଥା କରିଛନ୍ତି । ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର କିଲୋ ୩ଟଙ୍କା ଦରରେ ଚାଉଳ ଓ ଗହମ ଯୋଗାଉଥିବାବେଳେ ଓଡିଶା ସରକାର ତାହା ଉପରେ ୨ଟଙ୍କାର ରିହାତି ଦେଇ ହିତାଧିକାରୀଙ୍କୁ ମୁଣ୍ଡପିଛା ମାସିକ ୫କିଲୋ ହିସାବରେ ଟଙ୍କିକିଆ ଚାଉଳ ବ୍ୟବସ୍ଥା କରୁଛନ୍ତି । ଏଥିଲାଗି ଏକକାଳୀନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବ୍ୟାପକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।

ସେହିପରି ଉଜ୍ୱଳା ହିତାଧିକାରୀଙ୍କୁ କେନ୍ଦ୍ର ସରକାର ୩ଟି ଗ୍ୟାସ ସିଲିଣ୍ଡର ଏହ ତିନିମାସରେ ମାଗଣାରେ ଯୋଗାଇଦେବେ । ଏଠାରେ ଉଲ୍ଲେଖନୀୟ ଯେ ଦେଶରେ ଏବେ ପ୍ରାୟ ୮କୋଟି ଉଜ୍ୱଳା ହିତାଧିକାରୀ ଅଛନ୍ତି । ସେହିପରି କେନ୍ଦ୍ର ସରକାର ବିଧବା, ବିକଳାଙ୍ଗ, ଆଦିଙ୍କ ପାଇଁ ଯେଉଁ ଭତ୍ତା ଦେଇଥାନ୍ତି ତାହା ବି ଏକକାଳୀନ ୩ମାସ ଲାଗି ଦିଆଯାଉଛି । ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‍ସନ ଯୋଜନା ସମେତ ଅନ୍ୟାନ୍ୟ ଯୋଜନାରେ ୪୮ଲକ୍ଷ ହିତାଧିକାରୀ ଆମ ରାଜ୍ୟରେ ଆଗୁଆ ଏହି ଭତ୍ତା ପାଉଛନ୍ତି । ଏହାଛଡା ଓଡିଶାରେ ପାଖାପାଖି ୩କୋଟି ୪୦ଲକ୍ଷ ହିତାଧିକାରୀଙ୍କ ପାଇଁ ଟଙ୍କିକିଆ ଚାଉଳ ବ୍ୟବସ୍ଥା ଅଛି । ଏହାଛଡା ସେମାନଙ୍କ ଲାଗି ମଧ୍ୟ ସରକାର ୧୦୦୦ ଟଙ୍କା କରି ସ୍ୱତନ୍ତ୍ର ଭତ୍ତା ଦେବାକୁ ଯାଉଛନ୍ତି ।

ଦେଶରେ ୨୦କୋଟି ଜନଧନ ବ୍ୟାଙ୍କ୍‍ ଆକାଉଣ୍ଟକୁ କରୋନା ପରିପ୍ରେକ୍ଷୀରେ ୧୫୦୦ ଟଙ୍କା କରି ଆର୍ଥିକସହାୟତା କେନ୍ଦ୍ର ସରକାର ଦେବେ । ଏହାଛଡା ୧୫ହଜାର ଟଙ୍କାରୁ କମ୍‍ ମାସିକ ଆୟ କରୁଥିବା ଇପିଏଫ୍‍ ଅର୍ନ୍ତଭୁକ୍ତ କର୍ମଚାରୀଙ୍କ ଲାଗି ମଧ୍ୟ କେନ୍ଦ୍ର ସରକାର ମାସିକ କିସ୍ତି ଅର୍ଥ ପଇଠ କରିବେ । ଇତି ମଧ୍ୟରେ ମନରେଗା ମଜୁରୀ ବଢା ଯାଇଥିଲେ ବି ଲୋକଙ୍କୁ କରୋନା ପରିପ୍ରେକ୍ଷୀରେ କାମ ଦିଆଯାଇ ପାରୁନଥିବାରୁ ସରକାରଙ୍କୁ କ୍ଷତିପୂରଣ ଦେବାକୁ ପଡିବ ।

ଏହାଛଡା ରାଜ୍ୟରେ ଉଠାଦୋକାନୀଙ୍କ ପାଇଁ ୩୦୦୦ ଟଙ୍କା, ବିଭିନ୍ନ କ୍ୟାମ୍ପରେ ଲୋକଙ୍କୁ ଅଟକାଇ ସେମାନଙ୍କ ଖାଦ୍ୟ ପେୟ, ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା କରିଆର୍ଥିକ ସହାୟତ. ବୁଲା କୁକୁର, ଗାଈଗୋରୁ ଆଦିଙ୍କ ପାଇଁ ମାଗଣା ଖାଦ୍ୟ ସହିତ କରୋନା ସଚେତନତା ଓ ସ୍ୱାସ୍ଥ୍ୟସେବା ଆଦି ଲାଗି ସରକାରଙ୍କ ଉପରେ ପ୍ରବଳ ଆର୍ଥିକ ଚାପ ପଡୁଛି । ଏଥିଯୋଗୁଁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ପ୍ରଭାବିତ ହେବ ଏବଂ ଜିଡିପି ଓ ସେନସେକ୍ସ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020