୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ରଥ କାଠ ଚିରଟ ଆରମ୍ଭ

ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଶ୍ରୀରାମନବମୀ ଅବସରରେ କାଠ ଚିରା କାର୍ଯ୍ୟର ଅନୁକୂଳ ହୋଇଛି । କଟକ ଖପୁରିଆ ଠାରେ ଥିବା ଓଡିଶା ବନ ଉନ୍ନୟନ ନିଗମର କରତକଳରେ ରୀତି ନୀତି ସହିତ ପୂଜାପାଠ ପରେ ରଥ ପାଇଁ ପଟା ଚିରଟ ହୋଇଛି ।

ପ୍ରାରମ୍ଭରେ ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତାମାନେ ଆଜ୍ଞାମାଳ ନେଇ କରତକଳରେ ପହଞ୍ଚିଥିଲେ । ସେଠାରେ ତିନି ରଥ ପାଇଁ ତିନିଟି କାଠ ପ୍ରସ୍ତୁତ ହୋଇ ରହିଥିବାବେଳେ ତାହା ଉପରେ ଆଜ୍ଞାମାଳ ରଖି ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ କାଠ ଗୁଡିକର ଚିରା ଆରମ୍ଭ ହୋଇଥିଲା ।

ବିଧି ଅନୁଯାୟୀ ରଥ ନିର୍ମାଣ ପାଇଁ ପ୍ରତିବର୍ଷ ରାମନବମୀରେ କାଠ ଚିରଟ ଆରମ୍ଭ ହୋଇଥାଏ । ଏହାପରେ ଅକ୍ଷୟତୃତୀୟା ଠାରୁ ଏହି ଚିରଟ ହୋଇଥିବା କାଠରେ ରଥ ନିର୍ମାଣ କାର୍ଯ୍ୟ କରାଯାଇଥାଏ । ରଥ ସଂହିତା ଅନୁସାରେ ତିନି ରଥ ନିର୍ମାଣ ପାଇଁ ମୋଟ୍‍ ୮୬୫ ଖଣ୍ଡ ଆବଶ୍ୟକ ।

ରଥ ନିର୍ମାଣ ପାଇଁ ଗତବର୍ଷରୁ ୧୯୩ ଖଣ୍ଡ କାଠ ଥିବାବେଳେ ଏଥର ଆଉ ୬୭୨ ଖଣ୍ଡ କାଠ ଆବଶ୍ୟକ ହେବ । ସେଥି ମଧ୍ୟରୁ ୨୬୬ ଖଣ୍ଡ କାଠ ଚିରଟ ପାଇଁ ଖପୁରିଆ କରତକଳକୁ ଯିବ ଓ ଅବଶିଷ୍ଟ କାଠ ରଥ ଖଳାରେ ସିଧାସଳଖ ବ୍ୟବହୃତ ହେବ ।

ଆଜି ରଥକାଠ ଚିରଟ ଆରମ୍ଭ ହୋଇଥିବାବେଳେ ଚଳିତବର୍ଷ କରୋନା ଯୋଗୁଁ ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କା କିଛି ପରିମାଣରେ ଦୂର ହୋଇଛି । ମହାପ୍ରଭୁଙ୍କ ରଥ ଯାତ୍ରା ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ସୁରୁଖୁରୁରେ ହେବବୋଲି ଶ୍ରୀମନ୍ଦିର ପ୍ରଶାସନ ଓ ଭକ୍ତମାନେ ଆଶା ରଖିଛନ୍ତି । ଉଲ୍ଲେଖନୀୟ ଯେ କରୋନା କଟକଣା ଯୋଗୁଁ ଚଳିତବର୍ଷ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହୋଇପାରି ନାହିଁ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020