୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଉଜୁଡିଯିବ ପାଚିଲା ଧାନ

ପୁରୀ ଜିଲ୍ଲାର ବହୁ ଅଞ୍ଚଳରେ ଏଥର ପାଚିଲା ଧାନ ବିଲରେ ଉଜୁଡି ଯିବ । ଲକ୍‍ ଡାଉନ କଟକଣାରୁ କୃଷି ଯନ୍ତ୍ରପାତି ପରିବହନକୁ କେନ୍ଦ୍ର ସରକାର ବାଦ୍‍ ଦେଇଥିବାବେଳେ ଜିଲ୍ଲା ସ୍ତରର ଅଧିକାରୀମାନେ ତାହାକୁ ମାନୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରିନଥିବା ଦର୍ଶାଇ ପୁଲିସ୍‍ ଓ ପ୍ରଶାସନ ଧାନକଟା ସମେତ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ଗାଡି ଗୁଡିକୁ ଜିଲ୍ଲା ବାହାରକୁ ଛାଡି ଦେଉନାହାନ୍ତି ।

ପୁରୀ ଜିଲ୍ଲାର ବ୍ରହ୍ମଗିରି, ଡେଲାଙ୍ଗ ଓ ଏହାର ଆଖପାଖରେ ହଜାର ହଜାର ହେକ୍ଟର ଜମିରେ ଧାନ ପାଚିବା ଆରମ୍ଭ କଲାଣି । ଏଠାରେ ଚାଷୀମାନେ ଧାନକଟାଯନ୍ତ୍ର ଦ୍ୱାରା ଧାନ ଅମଳ କରିଥାନ୍ତି । ଏହି ଧାନକଟା ଯନ୍ତ୍ର ଗୁଡିକ ଶହ ଶହ ସଂଖ୍ୟାରେ ବରଗଡ, ବରପାଲି, ବୁର୍ଲା ଆଦି ସ୍ଥାନରୁ ଆସିଥାଏ । ହେଲେ କରୋନା କଟକଣା ଆଳରେ ତାହାକୁ ପୁଲିସ୍‍ ଓ ଜିଲ୍ଲା ପ୍ରଶାସନ ଛାଡୁ ନାହାନ୍ତି । ସୋନପୁର ଜିଲ୍ଲାରେ ତ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିର କପି ଓ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦେଖାଇଲେ ବି ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଣିବାକୁ କହି ପୁଲିସ୍‍ ନାଲିଆଖି ଦେଖାଉଛି । ଅଧିକାଂଶ ଜିଲ୍ଲାରେ ଅନୁରୂପ ଅବସ୍ଥା ।

ଧାନକଟା ଯନ୍ତ୍ର ଯଦି ନଆସିବ ତେବେ ଏଥର ବିଲରେ ପାଚିଲା ଧାନ ଉଜୁଡିଯିବ ବୋଲି ଚାଷୀମାନେ ଖୋଲାଖୋଲି କହୁଛନ୍ତି । କାରଣ ଏହି ଅଞ୍ଚଳକୁ ଜିଲ୍ଲା ବାହାରୁ ଆସୁଥିବା ମୂଲିଆମାନେ ବି କରୋନା କଟକଣା ଯୋଗୁଁ ଆସୁ ନାହାନ୍ତି । ଏପରିକି ସ୍ଥାନୀୟ ଅଞ୍ଚଳର କେତେକ ସ୍ଥାନରେ ୧୪୪ ଧାରା ଜାରି ଯୋଗୁଁ ବି ମୂଲିଆମାନେ ବିଲକୁ ଯିବାକୁ ଡରୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ବିଲକୁ ଧାନ କିମ୍ବା ଖତ ବୋହିବାପାଇଁ ଟ୍ରାକ୍ଟର ବାହାର କଲେ ପୁଲିସ୍‍ ମାରି ଗୋଡାଉଛି ।

ଦେଶରେ ଚାଷବାସ ଉଜୁଡିବା ସ୍ଥିତି ଦେଖି କେନ୍ଦ୍ର ସରକାର କୃଷି ଯନ୍ତ୍ରପାତି ପରିବହନ ସହିତ ଶସ୍ୟ ମଣ୍ଡି ଗୁଡିକୁ ଖୋଲା ରଖିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ଖବର ବି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ହେଲେ ରାଜ୍ୟ ସରକାର ଏ ନେଇ କୌଣସି ନିର୍ଦ୍ଦେଶନାମା ଜାରି କରିନଥିବାରୁ ସେହି ଆଳରେ ଜିଲ୍ଲା ପ୍ରଶାସନ ଚାଷୀଙ୍କ କଥା ଶୁଣୁନାହିଁ । କେନ୍ଦ୍ର ସରକାରଙ୍କ ଆଦେଶକୁ ପାଳନ କରିବା ବଦଳରେ ଯଦି ରାସ୍ତାକୁ କମ୍ବାଇନ୍‍ ହାର୍ଭେଷ୍ଟର ବାହାର କରିବ ତେବେ ମାମଲା ଠୁଙ୍କିବାକୁ ଧବମ ଦେଉଛି । ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ହସ୍ତକ୍ଷେପ ନକଲେ ହଜାର ହଜାର ହେକ୍ଟର ଜମିରୁ ପାଚିଲା ଧାନ ସଂଗ୍ରହ ହୋଇପାରିବ ନାହିଁ ବୋଲି ଚାଷୀମାନେ ମତ ଦେଉଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020