୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

କରୋନା ପାଇଁ ଯାତ୍ରା ପ୍ରଭାବିତ

କରୋନା ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ବାଧାପ୍ରାପ୍ତ ହୋଇଥିବାବେଳେ ଶ୍ରୀରାମନବମୀରେ ଆଉ ଜନସମାବେଶ ଦେଖାଦେବ ନାହିଁ । ଏହାଛଡା ରାଜ୍ୟର ବିଭିନ୍ନ ଅଞ୍ଚଳରେ ହେବାକୁ ଥିବା ଝାମୁଯାତ୍ରା ଓ ଦଣ୍ଡ ଉତ୍ସବ ମଧ୍ୟ ପ୍ରଭାବିତ ହୋଇଛି ।

ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର ଓ ବୌଦ୍ଧ ଉପାସନାପୀଠ ଗୁଡିକ ଖୋଲା ରହିଥିଲେ ମଧ୍ୟ ମୁଖ୍ୟ ଫାଟକ ସବୁ ବନ୍ଦ ରହୁଥିବାରୁ ଉପାସନାସ୍ଥଳୀ ଗୁଡିକରେ ଜନସମାଗମ ନାହିଁ । ଏ ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ବିଧି ମୁତାବକ ପୁରୀରେ ଆରମ୍ଭ ହୋଇଥିବାବେଳେ ସେତେବେଳକୁ ଅବସ୍ଥା ଦେଖି କାର୍ଯ୍ୟକ୍ରମ ହୋଇପାରେ । ଅଶୋକାଷ୍ଟମୀ ଶ୍ରୀଲିଙ୍ଗରାଜ ମନ୍ଦିରର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହି ରଥଯାତ୍ରା ପୂର୍ବରୁ ଯେତେସବୁ ବିଧିବିଧାନ ହେବାକଥା ତାହା ଏବର୍ଷ କରୋନା କଟକଣା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ଏହି ରଥଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇ ଆସୁଥିବାବେଳେ ଏଥର କିନ୍ତୁ ଖାଁ ଖାଁ ପଡିଛି ।

ସେହିପରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶ୍ରୀରାମନବମୀ ଉତ୍ସବ ପ୍ରତିବର୍ଷ ଧୂମ୍‍ଧାମ୍‍ରେ ପାଳିତ ହୋଇଥାଏ । ଏହି ଅବସରରେ ରାମମନ୍ଦିର ଗୁଡିକରେ ବେଶ୍‍ ଭିଡ ଜମିଥାଏ । ଏଥିଲାଗି ଉଦ୍ୟୋକ୍ତାମାନେ ପୂର୍ବରୁବେଶ୍‍ ପ୍ରସ୍ତୁତି କରି ଆସୁଥିବାବେଳେ ଏଥର ଏହା ଏଭଳି ଫିକା ପଡିଛି ଯେ ମନ୍ଦିରକୁ ବି ଶ୍ରଦ୍ଧାଳୁମାନେ ଆସିପାରିବେ ନାହିଁ । ତେଣୁ ଶୋଭାଯାତ୍ରା ଆଦି ମଧ୍ୟ ହୋଇପାରିବ ନାହିଁ ।

ଚୈତ୍ର-ବୈଶାଖ ମାସରେ ବିଭିନ୍ନ ଦେବୀ ପୀଠରେ ବାସନ୍ତିକ ଦୁର୍ଗାପୂଜା ହୋଇଥାଏ । ଏବର୍ଷ କରୋନା ଯୋଗୁଁ ଏହି ପାର୍ବଣ କେବଳ ବିଭିନ୍ନ ପୀଠରେ ଔପଚାରିକତା ମଧ୍ୟରେ ସୀମିତ ରହିଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ଝାମୁ ଯାତ୍ରା ପର୍ବ ପାଳିତ ହୋଇଥାଏ । କିନ୍ତୁ ଲକ୍‍ ଡାଉନ୍‍ ଯୋଗୁଁ ଏହି କାର୍ଯ୍ୟକ୍ରମ ମଧ୍ୟ ବ୍ୟାହତ ହୋଇଛି । ନୟାଗଡ, ଗଞ୍ଜାମ ସମେତ ରାଜ୍ୟର ଅନେକ ଅଞ୍ଚଳରେ ବ୍ରତଧାରୀମାନେ ଏହି ସମୟରେ ପାଳନ କରିଆସୁଥିବା ଦଣ୍ଡ ଉତ୍ସବ ପରିପ୍ରେକ୍ଷୀରେ ବିପୁଳ ଜନସମାଗମ ହୋଇଥାଏ । କିନ୍ତୁ ପ୍ରଶାସନର ଲକ ଡାଉନ୍‍ କଟକଣା ଯୋଗୁଁ ଗ୍ରାମାଞ୍ଚଳରେ ବି ଦଣ୍ଡଯାତ୍ରା କାର୍ଯ୍ୟକ୍ରମ ବ୍ୟାହତ ହୋଇଛି ।

ଅନ୍ୟ ପକ୍ଷରେ ପୁରୀର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ରଥକାଠ ଅତି ନିରାଡମ୍ବର ପରିବେଶରେ ପହଞ୍ଚିଛି ଏବଂ ଶ୍ରୀରାମନବମୀ ତିଥିରୁ ରଥକାଠ ଚିରେଇ କାର୍ଯ୍ୟ ଆରମ୍ଭ ହେବାର ଅଛି । ତେବେ କରୋନା କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମ କେତେଦୂର ପ୍ରଭାବିତ ହେବ କି ନହେବ ତାହା ଆଗାମୀ ଦିନର ସ୍ଥିତି ଉପରେ ନିର୍ଭର କରେ । ଶୁକ୍ରବାର ଅନୁଷ୍ଠିତ ହେଉଥିବା ମସଜିଦର ନମାଜ ଓ ରବିବାର ଗୀର୍ଜାର ପ୍ରାର୍ଥନା କାର୍ଯ୍ୟକ୍ରମ ରହୁଥିଲେ ମଧ୍ୟ କଟକଣା ଯୋଗୁଁ ଲୋକେ ଆସୁନାହାନ୍ତି । ସେହିପରି ଧଉଳି ଠାରୁ ଆରମ୍ଭକରି ରତ୍ନଗିରି, ଉଦୟଗିରି ପର୍ଯ୍ୟନ୍ତ ବିଭିନ୍ନ ବୌଦ୍ଧ ଉପାସନା ପୀଠ ଗୁଡିକରେ ବି ଖାଁ ଖାଁ ପରିସ୍ଥିତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020