୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

କୃଷି ଅର୍ଥନୀତିକୁ ଧକ୍କା

କରୋନା କେବଳ ମଣିଷଙ୍କ ପାଇଁ ନୁହେଁ କୃଷି ଅର୍ଥନୀତି ପ୍ରତି ଶକ୍ତ ଧକ୍କା ପହଞ୍ଚାଇଛି । ଏଥିରେ କୃଷକମାନେ ସାଂଘାତିକ କ୍ଷତିର ସମ୍ମୁଖୀନ ହେଉଥିବାବେଳେ କୃଷି ଶ୍ରମିକ ଏବଂ କୃଷିଜାତ ସାମଗ୍ରୀ ଉପରେ ନିର୍ଭରଶୀଳ ଖାଉଟିମାନେ ବି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ।

ଭାରତର ଅର୍ଥନୀତି କୃଷି ଭିତ୍ତିକ ହୋଇଥିବାବେଳେ ଓଡିଶାରେ ଯେତେ ଶ୍ରମଜୀବୀ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟୁନ ୭୦ ପ୍ରତିଶତ କୃଷକ ଓ କୃଷି ଶ୍ରମିକ । ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଧାନ ସମେତ ଅନ୍ୟାନ୍ୟ ରବି ଫସଲ ଅମଳ ଅବସ୍ଥାରେ ଥିବାବେଳେ କରୋନା ଭୟରେ ଦାନ କାଟିବା ଏବଂ ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ସମେତ ଅନ୍ୟାନ୍ୟ ଫସଲ ଅମଳ କରିବାକୁ ଶ୍ରମିକ ମିଳୁନାହାନ୍ତି । ଏମିତିକି ଅନେକ ସ୍ଥଳରେ କମ୍ବାଇନ୍‍ ହାର୍ଭେଷ୍ଟର ଥିଲେ ବି କଟକଣା ଯୋଗୁଁ ଏହାର ଉପଯୋଗ ପାଚିଲା ଧାନ କାଟିବା ଓ ଅମଳ କରିବା କ୍ଷେତ୍ରରେ କରାଯାଇ ପାରୁନାହିଁ ।

ଉପକୂଳ ଓଡିଶାରେ ଗତ କିଛିବର୍ଷ ଧରି କୃଷି ଶ୍ରମିକ ସଙ୍କଟ ଦେଖା ଦେଇଥିବା ପରିପ୍ରେକ୍ଷୀରେ ଅନ୍ୟ ଜିଲ୍ଲାମାନଙ୍କରୁ ଏମିତିକି ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଆନ୍ଧ୍ର ଆଦିରୁ ହଜାର ହଜାର ଶ୍ରମିକ ଆଣି ଅଗ୍ରଣୀ ଚାଷୀମାନେ କୃଷି କାର୍ଯ୍ୟରେ ନିୟୋଜନ କରୁଥିଲେ । କରୋନା କଟକଣା ପରିପ୍ରେକ୍ଷୀରେ ଏମାନେ ପ୍ରାୟ ନିଜ ନିଜ ଗାଁକୁ ଫେରି ଯାଇଛନ୍ତି କିମ୍ବା ଅଧାବାଟରେ ଅଟକି ରହିଛନ୍ତି ।

ଭଲ ଦି ପଇସା ଉପାର୍ଜନ କରିବାପାଇଁ ଯେଉଁମାନେ ପନିପରିବା ଚାଷ କରିଲେ ସେମାନେ ସାଂଘାତିକ ସମୟ ଦେଇ ଗତି କରୁଛନ୍ତି । କୋବି, ଟମାଟୋ, ବାଇଗଣ, ପୋଟଳ ଆଦି ବିଭିନ୍ନ ପନିପରିବା ବିଲରେ ଶଢୁଥିବା କିମ୍ବା ଚାଷୀ ମାଗଣାରେ ବାଣ୍ଟିବା ଅଥବା ଗାଈଗୋରୁଙ୍କୁ ଖାଇବାକୁ ଦେଇ ଦେଉଥିବାବେଳେ ହାଟ ବଜାରକୁ ଆଣିପାରୁ ନାହାନ୍ତି । ପୂର୍ବରୁ ବ୍ୟବସାୟୀମାନେ ଯାଇ ଚାଷୀର କ୍ଷେତ ମୁଣ୍ଡରୁ ପନିପରିବା ସଂଗ୍ରହକରି ଆଣୁଥିଲେ । ଏବେ କରୋନା ଯୋଗୁଁ ଏହା ଏକ ପ୍ରକାର ବନ୍ଦହୋଇ ଯାଇଛି । ଫଳରେ ଗୋଟିଏ ପଟେ ଚାଷୀ ପନିପରିବା ବିକି ପାରୁନଥିବାବେଳେ ଅନ୍ୟପଟେ ଖାଉଟିମାନେ ଯେତିକି ବି ପରିବା ବଜାରକୁ ଆସୁଛି ତାହାକୁ ସହରାଞ୍ଚଳରେ ଚଢା ଦରରେ କିଣୁଛନ୍ତି ।

ଓମ୍‍ଫେଡ ପର୍ଯ୍ୟାପ୍ତ ପରିମାଣର ଦୁଗ୍ଧ ସଂଗ୍ରହ କରୁନଥିବାରୁ ଗୋପାଳ କରୁଥିବା ଚାଷୀମାନେ ଲାଭ ପାଇବା ତ ଦୂରରକଥା ଗାଈଙ୍କ ପାଇଁ ଦାନା କିଣିପାରୁ ନାହାନ୍ତି । ମାଛ ଚାଷୀମାନଙ୍କର ବି ଅନୁରୂପ ଅବସ୍ଥା । ଏହା ପୂର୍ବରୁ କୁକୁଡାଚାଷୀମାନେ ଏକ ପ୍ରକାର ବରବାଦ ହୋଇ ସାରିଛନ୍ତି । ଏ ପରିପ୍ରେକ୍ଷୀରେ ଆଗାମୀ ଦିନ ପାଇଁ ପନିପରିବା ଠାରୁ ଆରମ୍ଭ କରି କୁକୁଡାଚାଷ ଲାଗି ଗୁୁରୁତର ସଙ୍କଟ ଉପୁଜିପାରେ । ମୂଲ ମଜୁରୀ ଏକ ପ୍ରକାର ବନ୍ଦହୋଇ ଯାଇଥିବାରୁ କୃଷି ଶ୍ରମିକ ପରିବାର ଗୁଡିକର ସ୍ଥିତି ଦୟନୀୟ ହେବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ଟଙ୍କିକିଆ ଚାଉଳ ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତା କେବଳ ଲୋକଙ୍କ ଭରସା ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020