ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଶୃଙ୍ଖଳିତ ହେଉନି ବିଜେପି


ବିଜୁ ଜନତା ଦଳଠାରୁ ଅନ୍ୟ ଦଳମାନେ ଶୃଙ୍ଖଳା ଶିଖିବା ପାଇଁ ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦିଙ୍କ ଖୋଲା ବକ୍ତବ୍ୟ ପରେ ବି ଓଡ଼ିଶାର ବିଜେପିର ନେତାମାନେ ଏହାର ଅନୁପାଳନ କରିପାରୁନାହାନ୍ତି ।

ନିକଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦାୟିତ୍ୱ ସମ୍ପନ୍ନ ଗଣତାନ୍ତ୍ରିକ ରାଜନୈତିକ ଦଳ ହିସାବରେ ସଂସଦରେ ବିଜେଡି ଓ ଏନ୍‍ସିପି ଅନ୍ୟମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିଛନ୍ତି । ଏହି ଦୁଇ ଦଳର କୌଣସି ସାଂସଦ ସଂସଦର ମଧ୍ୟଭାଗକୁ ଆସି ହୋହଲ୍ଳା କରନ୍ତି ନାହିଁ କିମ୍ବା ଗୃହ ପରିଚାଳନାରେ ବାଧା ସୃଷ୍ଟି କରିଥିବା ଦେଖାଯାଏ ନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ଏହି ଦୁଇ ଦଳର ନେତାଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଅନ୍ୟ ଦଳମାନେ ବିଜେଡି ଓ ଏନ୍‍ସିପିକୁ ଏ ପ୍ରସଙ୍ଗରେ ଅନୁକରଣ କରିବା ଲାଗି ପରାମର୍ଶ ଦେଇଥିଲେ ।

ତେବେ ବିଧାନସଭାର ଚଳିତ ଅଧିବେଶନ କାଳରେ ଯେପରି ବାରମ୍ବାର ଗୃହ ମୁଲତବୀ ରଖାଯାଉଛି ସେଥିରେ ବିଜେପିର ବଡ଼ ଭୂମିକା ଅଛି । ବିଭିନ୍ନ ଦିନରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟକୁ ଚାଲିଆସି ହଟ୍ଟଗୋଳ କରିବା ପରିପ୍ରେକ୍ଷୀରେ ଅଧିକାଂଶ ଦିନ ବାଚସ୍ପତି ଗୃହକୁ ମୁଲତବୀ ରଖୁଛନ୍ତି । ଏ ପରିପ୍ରେକ୍ଷୀରେ ବିଜେପି ତାଙ୍କ ଦଳର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଏକ ପ୍ରକାର ଅବମାନନା କରୁଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି ।

ବିଜେଡିର ବରିଷ୍ଠ ନେତାମାନେ କହୁଛନ୍ତି ଯେ ତାଙ୍କ ଦଳ ସଂସଦର ଉଭୟ ଗୃହରେ ରାଜ୍ୟ ତଥା ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନ ଶାନ୍ତି ଶୃଙ୍ଖଳାର ସହ ଉଠାଉଛନ୍ତି । ଉଭୟ ଏନ୍‍ଡିଏ ଓ ୟୁପିଏ ସରକାର ଅମଳରେ ବିଜେଡି ସାଂସଦମାନେ ସେମାନଙ୍କ ଦୃଢ଼ ଶୃଙ୍ଖଳା ଜ୍ଞାନର ନିଦ୍ଦର୍ଶନ ଦେଖାଇଛନ୍ତି । ଏହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଅନ୍ୟ ଦଳମାନେ ବିଜେଡିର ଗୃହରେ ଶୃଙ୍ଖଳିତ ଆଚରଣକୁ ଅନୁକରଣ କରିବା ପାଇଁ ମନ୍ତବ୍ୟ ଦେବା ବେଶ୍‍ ଯଥାର୍ଥ । ତେବେ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତାଙ୍କ ଦଳର ବିଧାୟକମାନେ ବିଧାନସଭା ମଧ୍ୟରେ କିପରି ହଟ୍ଟଗୋଳ କରି ଗୃହ କାର୍ଯ୍ୟ ଅଚଳ ରଖୁଛନ୍ତି ଏବଂ ବିଭିନ୍ନ ସମୟରେ ଗୃହ କାର୍ଯ୍ୟ କରାଇଦେବେ ନାହିଁ ବୋଲି ଗଣମାଧ୍ୟମରେ ବିବୃତ୍ତି ଦେଉଛନ୍ତି ତାହାର ପର୍ଯ୍ୟାଲୋଚନା କରିବା ଆବଶ୍ୟକ ।

ବିଜେପି ନିଜକୁ ଏକ ଶୃଙ୍ଖଳିତ ଦଳ ଏବଂ ଏହାର ନେତା ଓ ନୀତି ଭଲ ବୋଲି ପ୍ରଚାର କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଇଥିବା ପରାମର୍ଶକୁ ତାଙ୍କ ଦଳର ନେତାମାନେ ଓଡ଼ିଶାରେ ଅବମାନନା କରିବା ଏହି ଦଳର ନୀତି ପ୍ରତି ପ୍ରଶ୍ନବାଚୀ ଉଠାଉଛି । ବିଧାନସଭାକୁ ଗଣତନ୍ତ୍ରର ମନ୍ଦିର ଭାବେ କୁହାଯାଉଥିବା ବେଳେ ଏଥିରେ ରାଜ୍ୟ ତଥା ସାଧାରଣ ଲୋକଙ୍କ ସମସ୍ୟା ଓ ଅନ୍ୟାନ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବା ପରିବର୍ତ୍ତେ ହଟ୍ଟଗୋଳ କରି ଗୃହ କାର୍ଯ୍ୟ ଅଚଳ କରିଦିଆଯିବା ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ ହୋଇପାରୁନାହିଁ । ଏମିତିକି ଏଥିଯୋଗୁ ପ୍ରଶ୍ନକାଳ ମଧ୍ୟ ବିଭିନ୍ନ ଦିନରେ ବାଧାପ୍ରାପ୍ତ ହେଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019