ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଗୋଟିଏ ଶିଳ୍ପରୁ ଉତ୍ପାଦନ


ଗତ ୧୦ ବର୍ଷ ମଧ୍ୟରେ ଖଣିଜଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଲାଗି ରାଜ୍ୟ ସରକାରଙ୍କ ସହ ୧୮ଟି ଶିଳ୍ପସଂସ୍ଥା ରାଜିନାମା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୪ଟି ସଂସ୍ଥା ଓହରି ଯାଇଛନ୍ତି । ଗୋଟିଏ ମାତ୍ର ଶିଳ୍ପ ସଂସ୍ଥା ରାଜ୍ୟରେ ଉତ୍ପାଦନ ଆରମ୍ଭ କରିଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ୨୦୦୯ ମସିହା ପରଠାରୁ ଖଣିଜଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଲାଗି ୧୮ଟି ସଂସ୍ଥା ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିବା ବେଳେ ଏଥିମଧ୍ୟରୁ କେବଳ ଇଣ୍ଡ ଭାରତ ଏନର୍ଜି ଲିମିଟେଡ୍‍ ଝାରସୁଗୁଡ଼ାଠାରେ ୬୪୫୦ କୋଟି ଟଙ୍କା ବ୍ୟୟରେ ୧୩୬୦ ମେଗାୱାଟ ତାପଜ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଏଥିରୁ ଉତ୍ପାଦନ ଆରମ୍ଭ ହୋଇଛି ।

ରାଜିନାମା ସ୍ୱାକ୍ଷର କରିଥିବା ୪ଟି ସଂସ୍ଥା କାରଖାନା ପ୍ରତିଷ୍ଠାରୁ ଓହରି ଯାଇଥିବା ବେଳେ ଅବଶିଷ୍ଟ ୧୩ଟି ସଂସ୍ଥାର କାରଖାନା ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି । ଅନୁଗୁଳ ଜିଲ୍ଲାରେ ୫୯୪୦ କୋଟି ଟଙ୍କା ବ୍ୟୟରେ ତାପଜ କେନ୍ଦ୍ର ପ୍ରତିଷ୍ଠା ଲାଗି ୨୦୦୯ ମସିହାରେ ଜିନ୍ଦଲ ପାୱାର ଲିମିଟେଡ୍‍ ରାଜିନାମା କରିଥିବା ବେଳେ ଏବେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି ।

ସେହିଭଳି ବଲାଙ୍ଗୀରଠାରେ ପ୍ରତିଷ୍ଠା ହେବାକୁ ଥିବା ସାହାରା ପାୱାର ତାପଜ କେନ୍ଦ୍ର ପାଇଁ ୨୦୦୯ରେ ରାଜିନାମା ହୋଇଥିବା ବେଳେ ଏବେ ବି ଜମି ଅଧିଗ୍ରହଣ ଚାଲିଛି । ଅନୁଗୁଳର ବଇଣ୍ଡାଠାରେ ତାପଜ କେନ୍ଦ୍ର ପ୍ରତିଷ୍ଠା ଲାଗି ୨୦୧୧ ମସିହାରେ ଏନ୍‍ଏସ୍‍ଏଲ୍‍ ଓଡ଼ିଶା ପାୱାର ଆଣ୍ଡ ଇନ୍‍ଫ୍ରାଟେକ୍‍ ରାଜିନାମା କରିଥିବା ବେଳେ ତାହାର ବି ଜମି ଅଧିଗ୍ରହଣ ଚାଲିଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ୬୬୧୦ କୋଟି ଟଙ୍କା ବ୍ୟୟରେ ତାପଜ କେନ୍ଦ୍ର ପ୍ରତିଷ୍ଠା ଲାଗି ୨୦୧୧ ମସିହାରେ ଏସ୍‍ପିଆଇ ପାୱାର ସରକାରଙ୍କ ସହ ରାଜିନାମା କରିଥିବା ବେଳେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି । ସେହିଭଳି ଅସ୍ତରଙ୍ଗଠାରେ ୧୧,୨୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ତାପଜ କେନ୍ଦ୍ର ଓ ସମ୍ବଲପୁରର ରେଢାଖୋଲଠାରେ ୭୬୧୬ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ତାପଜ କେନ୍ଦ୍ର ପାଇଁ ୨ଟି ସଂସ୍ଥା ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିବା ବେଳେ ସେମାନଙ୍କର ଜମି ଅଧିଗ୍ରହଣ ଜାରି ରହିଛି ।

ସୋନପୁର ଜିଲ୍ଲାର ବୀରମହାରାଜପୁରଠାରେ ଆଧୁନିକ ପାୱାର ଓ ନାଚୁରାଲ ରିସୋର୍ସେସ୍‍ର ୧୩୨୦ ମେଗାୱାଟ ଓ ପୀତାମହଲଠାରେ ଆଉ ୧୩୨୦ ମେଗାୱାଟ ପ୍ରକଳ୍ପ ଲାଗି ୨୦୧୦ ଓ ୨୦୧୧ରେ ରାଜିନାମା ହୋଇଥିଲା । ତେବେ ଉଭୟ ତାପଜ କେନ୍ଦ୍ର ପାଇଁ ଏବେ ଜମି ଅଧିଗ୍ରହଣ ଜାରି ରହିଛି । ନୟାଗଡ଼ର ଭାପୁରଠାରେ ପ୍ରସ୍ତାବିତ ୧୩୨୦ ମେଗାୱାଟ ତାପଜ ପ୍ରକଳ୍ପ ଚୁକ୍ତିନାମାରୁ ଓହରି ଯାଇଛି ।

ସେହିଭଳି କଳିଙ୍ଗ ଏନର୍ଜି ଆଣ୍ଡ ପାୱାର ଝାରସୁଗୁଡ଼ାର କୋଲାବୀରାଠାରେ ପ୍ରତିଷ୍ଠା କରିବାକୁ ଥିବା ୧୩୨୦ ମେଗାୱାଟ ତାପଜ ପ୍ରକଳ୍ପରୁ ଓହରିଯିବା ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛି । ଢେଙ୍କାନାଳର ହିନ୍ଦୋଳ, କଟକ ଘଣ୍ଟିଖାଲ ଓ ଅନୁଗୁଳର କିଶୋରନଗରଠାରେ ତାପଜ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିବା କମ୍ପାନୀମାନେ ମଧ୍ୟ ଇତିମଧ୍ୟରେ ପ୍ରକଳ୍ପରୁ ଓହରି ଯାଇଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019