ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

କ୍ଷତିରେ ବିତରଣ କମ୍ପାନୀ

ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ଥିବା ରାଜ୍ୟର ୪ ପ୍ରମୁଖ କମ୍ପାନୀ ଗତ ୧୦ ବର୍ଷ ଧରି କ୍ଷତି ସହିବାରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ମୋଟ କ୍ଷତିର ପରିମାଣ ୧୦ ହଜାର କୋଟି ଟଙ୍କାକୁ ଟପିଯାଇଛି ।

ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୪ ବିତରଣ କମ୍ପାନୀ ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍‍କୋର ୫୧ ପ୍ରତିଶତ ଅଂଶଧନ କିଣି ସରକାରୀ କମ୍ପାନୀ କରିବାର ଯୋଜନା ନାହିଁ ।

ତେବେ ଗ୍ରୀଡ୍‍କୋଠାରୁ ମିଳିଥିବା ସୂଚନାନୁଯାୟୀ ୨୦୦୯ରୁ ୨୦୧୯ ମଧ୍ୟରେ ଏହି ୪ଟି ବିତରଣ କମ୍ପାନୀର କ୍ଷତି ୧୦,୦୦୯ କୋଟି ୮୨ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏଥିମଧ୍ୟରେ ସେସୁର କ୍ଷତି ସର୍ବାଧିକ ୪୦୫୭ କୋଟି ୮୦ ଲକ୍ଷ ଥିବା ବେଳେ ୱେସ୍କୋର ୨୪୨୨ କୋଟି ୮୨ ଲକ୍ଷ, ସାଉଥ୍‍କୋର ୨୦୨୫ କୋଟି ୩୯ ଲକ୍ଷ ଓ ନେସ୍କୋର ୧୫୦୩ କୋଟି ୮୧ ଲକ୍ଷ ଟଙ୍କା ରହିଛି ।

କେବଳ ଗତ ଆର୍ଥିକ ବର୍ଷରେ ଏହି ୪ଟି କମ୍ପାନୀ ୧୬୨୨ କୋଟି ୯୨ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ଏମାନଙ୍କ ମଧ୍ୟରେ ୱେସ୍କୋର କ୍ଷତି ସର୍ବାଧିକ ୯୨୪ କୋଟି ୪୫ ଲକ୍ଷ ଟଙ୍କା ରହିଛି । ନେସ୍କୋର କ୍ଷତି ସବୁଠାରୁ କମ୍‍ ୩୭ କୋଟି ୫୨ ଲକ୍ଷ ଟଙ୍କା ଥିବା ବେଳେ ସେସୁର କ୍ଷତି ୪୧୦ କୋଟି ୩୩ ଲକ୍ଷ ଟଙ୍କା ଦର୍ଶାଯାଇଛି ।

ତେବେ ଏହି ୪ଟି ବିତରଣ କମ୍ପାନୀ ୨୦୦୯-୧୦ ଆର୍ଥିକ ବର୍ଷରେ ୨୪୭ କୋଟି ୬୬ ଲକ୍ଷ ଟଙ୍କା କ୍ଷତି ସହିଥିବା ବେଳେ ଏହା ପରବର୍ଷ କ୍ଷତିର ପରିମାଣ କମିଥିଲା । ସେହିବର୍ଷ କମ୍ପାନୀଗୁଡ଼ିକ ୨୨୧ କୋଟି ୮୮ ଲକ୍ଷ ଟଙ୍କାର କ୍ଷତି ସହିଥିବା ବେଳେ ଏହାପରଠାରୁ କ୍ଷତି ପରିମାଣ ବଢ଼ି ବଢ଼ି ଚାଲିଛି ।

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ଦର୍ଶାଇଛନ୍ତି ଯେ ପରିବହନ ଓ ବଣ୍ଟନଜନିତ କ୍ଷତି କ୍ଷେତ୍ରରେ ସାଉଥ୍‍କୋ ସବୁଠାରୁ ଆଗରେ ରହିଛି । ଏହାର କ୍ଷତି ୩୯ ପ୍ରତିଶତ ଥିବା ବେଳେ ୱେସ୍କୋର ୩୨, ସେସୁର ୩୦.୪୯ ଓ ନେସ୍କୋର ୨୩.୫୩ ପ୍ରତିଶତ ରହିଛି ।

ଉପଭୋକ୍ତାଙ୍କ ବାସଗୃହ ବା ପ୍ରତିଷ୍ଠାନରେ ମିଟର ବସାଇବା କ୍ଷେତ୍ରରେ ନେସ୍କୋ ସବୁଠାରୁ ଆଗରେ ଅଛି । ଏହି କମ୍ପାନୀ ୯୩ ପ୍ରତିଶତ ଗ୍ରାହକଙ୍କୁ ମିଟର ଯୋଗାଇଥିବା ବେଳେ ସାଉଥ୍‍କୋ ୯୨.୩୫, ୱେସ୍କୋ ୯୧ ଓ ସେସୁ ୮୫.୬୫ ପ୍ରତିଶତ ମିଟର ବସାଇଛି । ୱେସ୍କୋ ଅଧିନସ୍ଥ ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ଅଞ୍ଚଳରେ ୧ ଲକ୍ଷ ପ୍ରିପେଡ୍‍ ମିଟର ବସାଇବା ପାଇଁ ପ୍ରସ୍ତାବ ଅଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019