ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

କର୍କଟର କାୟା ବିସ୍ତାର


ମାତ୍ରାଧିକ ରସାୟନିକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ କର୍କଟ ରୋଗ କାୟାବିସ୍ତାର କରୁଥିବା ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ସନ୍ଦର୍ଭ ସଂକ୍ରାନ୍ତରେ ରାଜ୍ୟ ସରକାର ଅବଗତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପାରମ୍ପରିକ କୃଷି ଯୋଜନା କାର୍ଯ୍ୟକାରୀ ହେଉଛି ।

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମାତ୍ରାଧିକ ରସାୟନିକ ସାର ଓ କୀଟନାଶକ ବ୍ୟବହାର ଯୋଗୁଁ ରାଜ୍ୟର ଭାତହାଣ୍ଡି ଭାବେ ଖ୍ୟାତ ବରଗଡ ଜିଲ୍ଲାରେ କର୍କଟରୋଗ କାୟା ମେଲୁଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ପ୍ରଫେସର ଗବେଷଣା ସନ୍ଦର୍ଭରେ ଉଲ୍ଲେଖ କରିବାପରେ ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ଏହାର ଅନୁସନ୍ଧାନ ସମ୍ପର୍କରେ ସରକାର ଅବଗତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଜିଲ୍ଲାରେ ୬୪୦୦ ହେକ୍ଟର ପରିମିତ ଜମିରେ ଏହା କାର୍ଯ୍ୟକାରୀ ହେଉଛି । ୨୦୧୯-୨୦ ମସିହା ପର୍ଯ୍ୟନ୍ତ ଓଡିଶାର ୨୦ଟି ଜିଲ୍ଲାରେ ୨୦,୮୦୦ ହେକ୍ଟର ପରିମିତ ଜମିରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିରେ ରସାୟନିକ ସାର ଓ କୀଟନାଶକକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଯୋଜନା କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ମଧ୍ୟରୁ ବରଗଡ ଅନ୍ୟତମ । ଏହି ଜିଲ୍ଲାରେ ୨୦୧୭-୧୮ ବର୍ଷରେ ୧୦୦୦ ହେକ୍ଟର ଜମିରେ ଜୈବିକ ପଦ୍ଧତିରେ ବିଭିନ୍ନ ଫସଲ ଚାଷ ହେଉଛି ।

ସେହିଭଳି ରାଜ୍ୟ ସରକାର ୨୦୧୮ ମସିହାରେ ଓଡିଶା ଓଡିଶା ଜୈବିକ ଚାଷ ନୀତି ପ୍ରଣୟନ କରିଛନ୍ତି । ଏହି ନୀତି ଅନୁଯାୟୀ ୫ବର୍ଷ ମଧ୍ୟରେ ରାଜ୍ୟର ୨ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ବିଭାଗ ଦ୍ୱାରା ଜୈବିକ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ରାଜ୍ୟରେ ଜୈବ କୀଟନାଶକ ପ୍ରୟୋଗ ନିମନ୍ତେ ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥି ମଧ୍ୟରେ ରାଜ୍ୟରେ ଥିବା ୮ଟି ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳାକୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ସୁଦୃଢୀକରଣ କରାଯାଇ ଚାଷୀଙ୍କୁ ପରାଶ୍ରୟୀ କୀଟ ଯୋଗାଯାଉଛି । ଫଲ ଆର୍ମି ୱର୍ମ ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କୁ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା ଯୋଗାଇ ଦିଆଯାଇଛି ।

କୋରାପୁଟ, ରାୟଗଡା, ସମ୍ବଲପୁର, କଳାହାଣ୍ଡି, କେନ୍ଦୁଝର ଓ ଜଗତ୍‍ସିଂହପୁର ଠାରେ ୬ଟି ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା ନିର୍ମାଣାଧିନ ରହିଛି । ଚାଷୀମାନେ କିଭଳି ସୁରକ୍ଷିତ ଉପାୟରେ କୀଟନାଶକ ପ୍ରୟୋଗ କରିପାରିବେ ସେଥିପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଦ୍ୱାରା ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୫୦ଜଣ ଚାଷୀ ଏପରି ସର୍ବମୋଟ୍‍ ୩,୪୦,୫୦୦ ଜଣ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019