ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଶିଶୁ ସଚେତନ ହେବା ଜରୁରୀ


ଶିଶୁମାନେ ହେଉଛନ୍ତି ଦେଶର ବର୍ତ୍ତମାନ ଓ ଭବିଷ୍ୟତ । ସେମାନେ ସଚେତନ ହେଲେ ଆମ ରାଜ୍ୟ ଓ ଦେଶ ସେମାନଙ୍କ ହାତରେ ସୁରକ୍ଷିତ ରହିବା ସହିତ ଆଗକୁ ଯିବବୋଲି ବକ୍ତିମାନେ ମତ ଦେଇଛନ୍ତି । ଶିଶୁ ଅଧିକାର ସଂକ୍ରାନ୍ତରେ ଜାତିସଂଘ ଘୋଷଣାର ୩୦ବର୍ଷ ପୂର୍ତ୍ତି ଅବସରରେ ଏଠାରେ ୟୁନିସେଫ୍‍, ସ୍ୱେଚ୍ଛାସେବସୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର (ପିକକ), ଓଡିଶା ଆଲାଏନ୍ସ ଫର ଚାଇଲ୍ଡ ରାଇଟସ (ଓଏସିଆର) ଓ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋର ମିଳିତ ଆନକୂଲ୍ୟରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ଉତ୍ସବରେ ଏହି ମତ ପ୍ରକାଶ ପାଇଛନ୍ତି ।

ପ୍ରାରମ୍ଭରେ ଶିଶୁ ଗବେଷକମାନେ ସମଗ୍ର ରାଜ୍ୟରେ ଶିଶୁଙ୍କ ଅଧିକାର, ଆବଶ୍ୟକତା ଓ ସମସ୍ୟାକୁ ନେଇ କରିଥିବା ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ପାଠପଢା, ବିଦ୍ୟାଳୟ ପରିବେଶ ଆଦି ଉପରେ ସେମାନେ କରିଥିବା ତଥ୍ୟ ଉଲ୍ଲେଖ କରିଥିଲେ । ଓଏସିଆରର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ କହିଥିଲେ ଯେ ଶିଶୁମାନେ ଏ ଦେଶର ଭବିଷ୍ୟତ ହୋଇଥିବାବେଳେ ସେମାନେ ସଚେତନ ହେବା ଆବଶ୍ୟକ ।

ଆଜି ଏଠାରେ ଶିଶୁମାନେ ଯେଭଳି ପିଇବାପାଣି, ପରିବେଶ, ସ୍ୱାସ୍ଥ୍ୟ ଓ ସେମାନଙ୍କର ଅନ୍ୟ ସମସ୍ୟା ନେଇ ଆଲୋଚନା କଲେ ତାହା ରାଜ୍ୟ ଓ ଦେଶର ଉଜ୍ୱଳ ଭବିଷ୍ୟତରେ ବେଶ୍‍ ସହାୟକ ହେବ । ଓସିଆରର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ପିଲାମାନଙ୍କ କଥା ଶୁଣିବାର ପରମ୍ପରା ସୃଷ୍ଟିହେବା ଦରକାର । ବିଗତ ୩୦ବର୍ଷ ଭିତରେ ଶିଶୁଙ୍କ ଅଧିକାର ଉପରେ ଆମେ ବହୁତ କିଛି ପାଇଛୁ । ଆମକୁ ଆହୁରି ଆଗକୁ ଯାଇ ସମାଜର ଶେଷ ପିଲାଟି ନିକଟରେ ପହଞ୍ଚିବାକୁ ପଡିବ । ପିଲାମାନେ ଉପସ୍ଥାପନ କରିଥିବା ତଥ୍ୟ ସଂକ୍ରାନ୍ତରେ ସେ କହିଥିଲେ ଯେ ୨୧୭ଜଣ ସ୍ୱତନ୍ତ୍ର ତାଲିମପ୍ରାପ୍ତ ପିଲା ସମଗ୍ର ରାଜ୍ୟରେ ୧୧,୭୭୬ ଜଣ ଶିଶୁଙ୍କ ସହ ଆଲୋଚନା କରି ଏହି ସୂଚନା ସଂଗ୍ରହ କରିଛନ୍ତି ।

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ଶିଶୁଟିର ଆତ୍ମବିଶ୍ୱାସ ବୃଦ୍ଧି କ୍ଷେତ୍ରରେ ବାପ ମା’ଙ୍କର ଗୁରୁ ଦାୟିତ୍ୱ ରହିଛି । ପିଲାଟିଏ ଘରୁ ବାହାରିଲେ ଦୁନିଆକୁ କିଭଳି ସାମ୍ନା କରିବ ସେ ସଂକ୍ରାନ୍ତରେ ପ୍ରଥମେ ପିତା ମାତା ଶିକ୍ଷା ଦେଉଥିବାବେଳେ ଦ୍ୱିତୀୟରେ ଶିକ୍ଷକମାନେ ଶିଶୁଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଥାନ୍ତି । ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରମତୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ବାଳିକାମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଯେଉଁଠାରେ ଅଙ୍ଗନବାଡି କେନ୍ଦ୍ର ନାହିଁ ସେଠାରେ ସ୍ଥାନୀୟ ଅଞ୍ଚଳରୁ ଦରଖାସ୍ତ ଆସିଲେ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ତାହା ପ୍ରତିଷ୍ଠା କରାଯାଉଛି । ପିଲାମାନଙ୍କୁ ଅଙ୍ଗନବାଡିରେ ଅଣ୍ଡା ଓ ଛତୁଆ ଭଳି ପୁଷ୍ଟିକର ଖାଦ୍ୟ ଦିଆଯାଉଥିବାବେଳେ ଅଙ୍ଗନବାଡି ଦିଦିମାନେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛନ୍ତି ।

ସହରାଞ୍ଚଳରେ ଯେଉଁଠାରେ ସ୍ଥାନାଭାବ ଯୋଗୁଁ ଅଙ୍ଗନବାଡି ନିର୍ମାଣ ହୋଇପାରୁନାହିଁ ତାହା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସରକାରୀ ଯୋଜନାରେ ସମସ୍ତେ ସାମିଲ ହେବାପାଇଁ ସେ ଆହ୍ୱାନ ଦେଇଥିଲେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଶିଶୁମାନଙ୍କ ସମସ୍ତ ସମସ୍ୟାକୁ କମିଶନ ସମାଧାନ ଲାଗି ଉଦ୍ୟମ ଚଳାଇଥିବାବେଳେ ଏବେ ସଚେତନତା ଯୋଗୁଁ ସହଭାଗିତାର ଅଧିକାର ସାବ୍ୟସ୍ତ ହେବାକୁ ଯାଉଥିବା କହିଥିବାବେଳେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସୁରକ୍ଷା ଆୟୋଗର ସଦସ୍ୟ ହରିହର ନାୟକ ଶିଶୁଙ୍କ ଅଧିକାର ଓ ସଚେତନତା ଉପରେ ନଜର ମତ ରଖିଥିଲେ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଶିଶୁମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଆଜିର ଶିଶୁମାନେ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ୍‍ । କାରଣ ନିଜ ସମସ୍ୟା କହିବାକୁ ସେମାନେ ଏବେ ସୁଯୋଗ ପାଉଛନ୍ତି ଯାହା ପୂର୍ବରୁ ନଥିଲା । ସମଗ୍ର ବିଶ୍ୱର ଦୃଷ୍ଟିଭଙ୍ଗୀ ଏବେ ଶିଶୁଙ୍କ ପାଇଁ ବଦଳି ଯାଇଛି । ରାଜ୍ୟର ୪୮ହଜାର ବିଦ୍ୟାଳୟରେ ଏବେ ୪୨ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ପ୍ରତି ୨୨ଜଣ ଛାତ୍ରଛାତ୍ରୀରେ ଜଣେ ଶିକ୍ଷକ ଅଛନ୍ତି । ଶିକ୍ଷା ଅଧିକାର ଆଇନ୍‍ ଅନୁଯାୟୀ ୩୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବାକଥା ।

ରାଜ୍ୟ ସକାର ଖୁବ୍‍ଶୀଘ୍ର ଦୁଇ ରୁ ଅଢେଇ ହଜାର ଶିକ୍ଷକ ନିଯୁକ୍ତି କରିବାକୁ ଯାଉଥିବା ଶ୍ରୀ ଦାସ ସୂଚନା ଦେଇଥିବାବେଳେ ବରଗଡ ଜିଲ୍ଲାର ଜଣେ ଛାତ୍ରୀ ତାଙ୍କ ବିଦ୍ୟାଳୟରେ ୨୮୮ ପିଲାଙ୍କ ପାଇଁ ମାତ୍ର ତିନି ଜଣ ଶିକ୍ଷକ ଥିବା ଅଭିଯୋଗ କରିବାରୁ ମନ୍ତ୍ରୀ ତାହାକୁ ଟିପିବା ସହିତ ଛାତ୍ରୀ ଜଣଙ୍କ ଘରେ ପହଞ୍ଚିଲା ବେଳକୁ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ । ଏହି ଅବସରରେ ୟୁନିସେଫ୍‍ର ଓଡିଶା ମୁଖ୍ୟ ମୋନିକା ନେଲ୍‍ସନ କହିଲେ ଯେ ଉପସ୍ଥିତ ଶିଶୁ ଗବେଷକମାନଙ୍କୁ ନେଇ ସେ ବେଶ୍‍ ଖୁସି ।

ୟୁନିସେଫ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନେ ମିଳିତ ଭାବେ ଶିଶୁ ଅଧିକାର ସୁରକ୍ଷା ଉପରେ କାର୍ଯ୍ୟ କରିବାକୁ ସେ କହିଥିଲେ । ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ କହିଥିଲେ ଯେ ଓଡିଶା ସମେତ ସମଗ୍ର ବିଶ୍ୱରେ ଶିଶୁମାନେ ଏବେ ସଙ୍କଟରେ । ୨୦୨୫ ସୁଦ୍ଧା ରାଜ୍ୟରୁ ଶିଶୁ ଶ୍ରମ ପ୍ରଥ ବନ୍ଦ ପାଇଁ ସରକାର ମାଷ୍ଟରପ୍ଲାନ ପ୍ରସ୍ତୁତ କରି ଆଗକୁ ବଢୁଥିବା ସେ କହିଥିଲେ । ରାଜ୍ୟ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ପ୍ରଦୀପ ବିଶ୍ୱାଳ କହିଥିଲେ ଯେ ଶିଶୁମାନେ ଯେଭଳି ସଚେତନ ହେଉଛନ୍ତି ତାହା ଖୁସିର ଖବର । ଏହି ଶିଶୁମାନେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ରାଜ୍ୟପାଇଁ ସୁନାମ ଆଣିବେ ।

ଏହି ଅବସରରେ ଶିଶୁ ଗବେଷକ ଶୁଭଶ୍ରୀ ସ୍ୱାଇଁ, ଶ୍ରୀକାନ୍ତ ଦାସ, ଉଜ୍ଜୟିନୀ ରଥ, ସୁନୀଲ ରାମ, ଲଭ୍‍ଲୀ ଗୁରୁ, ପ୍ରୀତିମୟୀ ସାହୁ, ଚୈତନ୍ୟ ନାଗ, ଶୁଭଙ୍କର ଦାସ, ବର୍ଷା ପରିଡା ଓ ରମି ଖଣ୍ଡାୟତ ପ୍ରମୁଖ ସର୍ଭେ ତଥ୍ୟ ଉପସ୍ଥାପନ କରିଥିଲେ । ସେହିଭଳି ଶିଶୁ ଅଧିକାର ଉପରେ ପ୍ରସ୍ତୁତ ପୋଷ୍ଟର ଏବଂ ମଧ୍ୟବର୍ତ୍ତୀ ସର୍ଭେ ରିପୋର୍ଟ ଉନ୍ମୋଚନ ହୋଇଥିଲା । ପରିଶେଷରେ ଓଏସିଆର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟା ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019