ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଆଧୁନିକୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମିଳୁନି


ଠିକଣା ସମୟରେ କେନ୍ଦ୍ରରୁ ପର୍ଯ୍ୟାପ୍ତ ଅର୍ଥ ମିଳୁନଥିବା ଯୋଗୁଁ ଓଡିଶା ପୁଲିସ୍‍ର ଆଧୁନିକୀକରଣ କାମ ପାଇଁ ସମସ୍ୟା ଉପୁଜୁଛି । ଗତ ଆର୍ଥିକ ବର୍ଷରେ ପୁଲିସ୍‍ ଆଧୁନିକୀକରଣ ପାଇଁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ୬୦୭ କୋଟି ଟଙ୍କା ଦେଇଥିବାବେଳେ ଓଡିଶା ପାଇଛି ମାତ୍ର ୧୬କୋଟି ୮୯ ଲକ୍ଷ ଟଙ୍କା ।

୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ପୁଲିସ୍‍ ଆଧୁନିକୀକରଣ ଲାଗି ୫୬୧ କୋଟି ଟଙ୍କା ବରାଦ କରିଥିବାବେଳେ ଏ ବାବଦରେ ଓଡିଶାପାଇଁ ମଞ୍ଜୁର ହୋଇଛି ମାତ୍ର ୧୫କୋଟି ୬୦ଲକ୍ଷ ଟଙ୍କା । କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀ ଲୋକସଭାରେ ଆଜି ଦେଇଥିବା ଏକ ଲିଖିତ ଉତ୍ତରରୁ ଏହା ଜଣାପଡିଛି । ଏଠାରେ ଉଲ୍ଲେଖନୀୟ ଯେ ପୁଲିସ୍‍ ବଳର ଆଧୁନିକୀକରଣ ଯୋଜନା ପାଇଁ କେନ୍ଦ୍ର ସରକାର ୨୦୧୭ ବର୍ଷରେ ଅନୁମୋଦନ ଦେଇଥିଲେ ।

ଏହି ଯୋଜନା ଅନୁଯାୟୀ ନିରାପତ୍ତା ସମ୍ବନ୍ଧୀୟ ଖର୍ଚ୍ଚ ଓ ପୁଲିସ୍‍ ବଳର ଆଧୁନିକୀକରଣ ବାବଦ ବ୍ୟୟର ମୁଖ୍ୟାଂଶ କେନ୍ଦ୍ର ବହନ କରିବାକଥା । ମନ୍ତ୍ରୀ କହିଛନ୍ତି ଯେ ପୁଲିସ୍‍ ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଫୋରେନସିକ୍‍ ଲାବରୋଟାରୀର ସରଞ୍ଜାମ, ତାଲିମ, ଆଇଟି ଓ ଯୋଗାଯୋଗ ବାବଦରେ ରାଜ୍ୟ ଯାହା ଖର୍ଚ୍ଚ କରିବ ତାହାର ଏକ ପ୍ରମୁଖ ଅଂଶ କେନ୍ଦ୍ର ବହନ କରିବାକଥା । ଜାମ୍ମୁ-କାଶ୍ମୀର, ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଓ ମାଓ ପ୍ରଭାବିତ ଜିଲ୍ଲା ଗୁଡିକରେ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ କେନ୍ଦ୍ର ଆର୍ଥିକ ସହାୟତା ଯୋଗାଉଛି ।

ଜାମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ଓ ସିକିମ୍‍ ସମେତ ୮ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ପୁଲିସ୍‍ ଆଧୁନିକୀକରଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଆର୍ଥିକ ସହାୟତା ଦେଉଥିବାବେଳେ ସମ୍ପୃକ୍ତ ରାଜ୍ୟ ସରକାର ଅବଶିଷ୍ଟ ୧୦ ପ୍ରତିଶତ ବହନ କରୁଛନ୍ତି । କିନ୍ତୁ ଅନ୍ୟ ରାଜ୍ୟ ଗୁଡିକପାଇଁ ଏ ବାବଦରେ କେନ୍ଦ୍ର ୬୦ ପ୍ରତିଶତ ସହାୟତା ଦେଉଥିବାବେଳେ ରାଜ୍ୟ ଗୁଡିକ ୪୦ ପ୍ରତିଶତ ବହନ କରୁଛନ୍ତି । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଗୁଡିକର କେତେକ ପ୍ରକଳ୍ପ ଲାଗି ୨୦୧୭-୧୮ ରୁ ୨୦୧୯-୨୦ ମଧ୍ୟରେ କେନ୍ଦ୍ର ସରକାର ୭୩୮୦ କୋଟି ଟଙ୍କାର ସହାୟତା ଦେଇଥିବା ଜଣାପଡିଛି ।

ଓଡିଶାର ଅନ୍ୟୁନ ୧୪ଟି ଜିଲ୍ଲା ବାମପନ୍ଥୀ ଉଗ୍ରବାଦୀଙ୍କ ଦ୍ୱାରା ପ୍ରଭାବିତ ଥିବାବେଳେ ମାଲକାନଗିରି, କୋରାପୁଟ ଓ କଳାହାଣ୍ଡିରେ ଏମାନଙ୍କ ପ୍ରାବଲ୍ୟ ଅଧିକ ରହୁଛି । ଏ ଦୃଷ୍ଟିରୁ ଜାତୀୟ ନିରାପତ୍ତାକୁ ଆଖିଆଗରେ ରଖି ଓଡିଶାପାଇଁ ମଧ୍ୟ କେନ୍ଦ୍ର ପୁଲିସ୍‍ ଆଧୁନିକୀକରଣ ଯୋଜନାରେ ଅନ୍ୟୁନ ୯୦ ପ୍ରତିଶତ ଅର୍ଥ ଯୋଗାଇଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019