ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଦୁର୍ଘଟଣାରେ ୮୬ପ୍ରତିଶତ ପୁରୁଷ ମରୁଛନ୍ତି

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ‘ଭାରତରେ ସଡ଼କ ଦୁର୍ଘଟଣା-୨୦୧୮’ ରିପୋର୍ଟ’ ଜାରି କରାଯାଇଛି । ରିପୋର୍ଟ ଅନୁଯାୟୀ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ୮୬% ପୁରୁଷ ଥିବା ବେଳେ ୧୪% ମହିଳା ଅଛନ୍ତି । ବିଭିନ୍ନ କାରଣ ଯଥା ମାନବୀୟ ତ୍ରୁଟି, ସଡ଼କ ପରିସ୍ଥିତି ଏବଂ ବାହନର ସ୍ଥିତି ଆଦିକୁ ନେଇ ଦୁର୍ଘଟଣା ଘଟୁଥିବା ଜଣାଯାଇଛି ।

ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ଯୋଗୁ ୧୩% ଦୁର୍ଘଟଣା ଘଟିଛି । ହେଲମେଟ ବ୍ୟବହାର ନକରିବା ଯୋଗୁ ୨୯% ଏବଂ ସିଟ ବେଲ୍ଟ ବ୍ୟବହାର ନକରିବା ଯୋଗୁ ୧୬% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଯୋଗୁ ୪୧% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । କ୍ଷମତା ଠାରୁ ଅଧିକ ମାଲ ଏବଂ ଯାତ୍ରୀ ପରିବହନ କାରଣରୁ ୧୨% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । ୨୦୧୮ରେ ତାମିଲନାଡ଼ୁରେ ସର୍ବାଧିକ ଦୁର୍ଘଟଣା ଘଟିଥିବା ବେଳେ ଉତର ପ୍ରଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।

୨୦୧୮ ବର୍ଷରେ ଦେଶରେ ସଡ଼କ ଦୁର୍ଘଟଣାରେ ୦.୪୬ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୭ରେ ୪,୬୪,୯୧୦ଟି ଦୁର୍ଘଟଣା ତୁଳନାରେ ୨୦୧୮ରେ ୪,୬୭,୦୪୪ଟି ସଡ଼କ ଦୁର୍ଘଟଣା ଘଟିଛି । ଏହି ଅବଧି କାଳରେ ମୃତ୍ୟୁ ହାର ମଧ୍ୟ ପାଖାପାଖି ୨.୩୭ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭ରେ ୧,୪୭,୯୧୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ରେ ୧,୫୧,୪୭୧ ଜଣ ମୃତ୍ୟୁବରଣ କରିଛନ୍ତି । ସଡ଼କ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ୨୦୧୭ ତୁଳନାରେ ୨୦୧୮ରେ ୦.୩୩ ପ୍ରତିଶତ ହ୍ରାସ ପାଇଛି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୦ ପର୍ଯ୍ୟନ୍ତ ଦୁର୍ଘଟଣା, ମୃତକ ଏବଂ ଆହତଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧି ଘଟିଚାଲିଥିଲା । ଏହାର କିଛି ବର୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ସଂଖ୍ୟାରେ ସାମାନ୍ୟ ହ୍ରାସବୃଦ୍ଧି ଦେଖାଦେବା ପରେ ଏହା ଏବେ ଅନେକାଂଶରେ ସ୍ଥିର ହୋଇଯାଇଛି । ଏହାବ୍ୟତୀତ ୨୦୧୦-୨୦୧୮ ଅବଧି ମଧ୍ୟରେ ଦୁର୍ଘଟଣା ସହିତ ଦୁର୍ଘଟଣାର ବାର୍ଷିକ ବୃଦ୍ଧି ହାର ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ସତ୍ୱେ ଗତ ଦଶନ୍ଧି ତୁଳନାରେ ଦୁର୍ଘଟଣା କମ ରହିଛି ।

ସମଗ୍ର ସଡ଼କ ନେଟୱର୍କର ୧.୯୪ ପ୍ରତିଶତ ଅଂଶ ହେଉଛି ଜାତୀୟ ରାଜପଥ । ୨୦୧୮ରେ ଏଥିରେ ମୋଟ ସଡ଼କ ଦୁର୍ଘଟଣାର ୩୦.୨ ପ୍ରତିଶତ ଏବଂ ମୋଟ ମୃତ୍ୟୁର ୩୫.୭ ପ୍ରତିଶତ ଘଟଣା ଘଟିଛି । ସେହିପରି ସଡ଼କ ନେଟୱର୍କର ୨.୯୭ ପ୍ରତିଶତ ଅଂଶ ଅକ୍ତିଆର କରିଥିବା ରାଜ୍ୟ ରାଜପଥ ୨୫.୨ ପ୍ରତିଶତ ଦୁର୍ଘଟଣା ଏବଂ ୨୬.୮ ପ୍ରତିଶତ ମୃତ୍ୟୁର କାରଣ ସାଜିଛି । ଅନ୍ୟାନ୍ୟ ସଡ଼କ ମୋଟ ସଡ଼କ ନେଟୱର୍କର ୯୫.୧ ପ୍ରତିଶତ ସ୍ଥାନ ହାସଲ କରିଥିବା ବେଳେ ଏଥିରେ ଯଥାକ୍ରମେ ୪୫ ପ୍ରତିଶତ ଦୁର୍ଘଟଣା ଏବଂ ୩୮ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ଘଟିଛି ।

ଦୁର୍ଘଟଣାଜନିତ ମୃତକଙ୍କ ମଧ୍ୟରେ ପାଦରେ ଚାଲି ଯାଉଥିବା ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ଥିବା ବେଳେ ୨.୪ ପ୍ରତିଶତ ସାଇକେଲ ଚାଳକ, ୩୬.୫ ପ୍ରତିଶତ ଦୁଇ ଚକିଆ ଗାଡ଼ି ଚାଳକ ରହିଛନ୍ତି । ଏହି ଶ୍ରେଣୀ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାର ୫୩.୯ ପ୍ରତିଶତ ହୋଇଥିବା ବେଳେ ବୈଶ୍ୱିକ ଆକଳନ ଅନୁରୂପ ସବୁଠୁ ଅସୁରକ୍ଷିତ ଶ୍ରେଣୀ ମଧ୍ୟରେ ଆସୁଛନ୍ତି ।

୨୦୧୮ରେ ବିଗତ ଦୁଇ ବର୍ଷ ଭଳି ୧୮ରୁ ୪୫ ବର୍ଷ ବୟସ୍କ ପାଖାପାଖି ୬୯.୬ ପ୍ରତିଶତ ଲୋକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ମୋଟ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମଧ୍ୟରୁ ୧୮ରୁ ୬୦ ବର୍ଷ ଆୟୁ ବର୍ଗର କର୍ମଜୀବୀଙ୍କ ସଂଖ୍ୟା ୮୪.୭ ପ୍ରତିଶତ ଥିବା ଜଣାପଡ଼ିଛି ।

୨୦୧୮ରେ ହିଟ ଆଣ୍ଡ ରନ ମାମଲାରେ ୧୮.୯ ପ୍ରତିଶତ ମୃତ୍ୟୁ ହୋଇଛି, ୨୦୧୭ରେ ଏହା ୧୭.୫ ପ୍ରତିଶତ ଥିଲା । ୨୦୧୮ରେ ପାଖାପାଖି ୫୬ ପ୍ରତିଶତ ଲୋକଙ୍କ ମୃତ୍ୟୁ ସାମ୍ନାସାମ୍ନି ଏବଂ ପଛରୁ ଗାଡ଼ି ଧକ୍କା ହେବା କାରଣରୁ ହୋଇଛି । ୨୦୧୮ରେ ଏହି ଶ୍ରେଣୀରେ ମୃତକଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇଛି ।

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବର୍ଗରେ, ଦ୍ରୁତ ଗାଡ଼ି ଚାଳନା ଯୋଗୁ ୬୪.୪% ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଛି । ସେହିପରି ଭୁଲ ରାସ୍ତାରେ ଚଳାଇବା ଯୋଗୁ ୫.୮%, ବାହନ ଚଳାଇବା ସମୟରେ ୨.୪%, ଏବଂ ମଦ ପିଇ ଗାଡ଼ି ଚଳାଇବା ଯୋଗୁ ୨.୮% ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019