ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ଗୋରକ୍ଷଣି ପାଳିବ ପ୍ଲାଟିନମ୍‍ ଜୁବ୍‍ଲି


ଅସୁରେଶ୍ୱରସ୍ଥିତ ଗୋରକ୍ଷଣିର ପ୍ଲାଟିନମ୍‍ ଜୁବ୍‍ଲି ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସର୍ବପୁରାତନ ଏହି ଗୋରକ୍ଷଣି ସଂସ୍ଥା ନିରବଚ୍ଛିନ୍ନ ଭାବେ ୭୫ ବର୍ଷ ଧରି ତା’ର କାର୍ଯ୍ୟ ନିର୍ବାହ ସୁଚାରୁରୂପେ କରିଆସୁଛି ।

ଏହି ସଂସ୍ଥାରେ ବ୍ୟବସାୟିକ ଭିତ୍ତିରେ ଗୋପାଳନ କରାନଯାଇ ବୃଦ୍ଧ, ଅକର୍ମଣ୍ୟ ଗୋରୁଗାଈଙ୍କୁ ରଖାଯାଇ ସେମାନଙ୍କ ସେବା, ଯତ୍ନ ଆଦି ନିଆଯାଉଛି । ଏହିପରି ଏକ ମହତ୍‍ ସଂସ୍ଥାର ପ୍ଲାଟିନମ୍‍ ଜୁବ୍‍ଲି ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ।

ପଞ୍ଚାୟତିରାଜ, ପାନୀୟ ଜଳ, ଆଇନ୍‍ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ଲାଟିନମ୍‍ ଜୁବ୍‍ଲି ପାଳନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହାକୁ କିପରି ସଫଳତାର ସହିତ ସମାପନ କରାଯାଇପାରିବ ସେ ନେଇ ସ୍ୱତନ୍ତ୍ର ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ଏହି ଉତ୍ସବରେ ମହାମହିମ ରାଜ୍ୟପାଳ, ପୁରୀ ଗଜପତି ମହାରାଜ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ଅସୁରେଶ୍ୱର ଓ ତା’ର ଆଖପାଖ ଅଞ୍ଚଳରେ ଗାଈଗୋରୁମାନଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସା ଶିବିର ଅନୁଷ୍ଠିତ ହେବ ।

ଅସୁରେଶ୍ୱର ଗୋରକ୍ଷଣିର ପରିଚାଳନା ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା କରାଯାଇଥାଏ । ଏଠାରେ ଗୋମାତାଙ୍କ ସେବା ପାଇଁ ବିଭିନ୍ନ ଗାଁର ଅନ୍ୟୁନ ୫ହଜାର ପରିବାରରେ ମୁଷ୍ଟିଭିକ୍ଷା ପାତ୍ର ରଖାଯାଇ ଚାଉଳ ସଂଗ୍ରହ ହୋଇଥାଏ । ଏହାଛଡ଼ା ଆଉ କେତେକ ବଦାନ୍ୟ ବ୍ୟକ୍ତି ଓ ବ୍ୟବସାୟିକ ସଂସ୍ଥା ମଧ୍ୟ ଗୋପୂଜନ ପାଇଁ ଯଥାଶକ୍ତି ସହାୟତା ଦେଇଥାନ୍ତି ।

୧୯୪୩ ମସିହାରେ ଏହି ଗୋରକ୍ଷଣି ପ୍ରତିଷ୍ଠିତ ହେବା ପରଠାରୁ ଏଯାବତ୍‍ ଜନଆଧାରିତ ହୋଇ ଚାଲିଛି । ପ୍ଲାଟିନମ୍‍ ଜୁବ୍‍ଲି ଅବସରରେ ଗୋ-ସେବକମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ପ୍ରସ୍ତୁତି ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଗୋରକ୍ଷଣିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020