ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ରକ୍ତଭଣ୍ଡାର କର୍ମଚାରୀଙ୍କ ଦାବି


ରକ୍ତଭଣ୍ଡାରଗୁଡ଼ିକୁ ରାଜ୍ୟ ସରକାର ଦୁଇ ବର୍ଷ ତଳୁ ନିଜ ହାତକୁ ନେଇଥିବା ବେଳେ ଏଠାରେ କାର୍ଯ୍ୟରତ ଦେଢ଼ଶହରୁ ଊଦ୍ଧ୍ୱର୍ କର୍ମଚାରୀଙ୍କର ଦାବି ପୂରଣ ହୋଇପାରୁନାହିଁ । ଦୀର୍ଘଦିନ ଧରି ଅସ୍ଥାୟୀ ଭାବେ କାର୍ଯ୍ୟରତ ଏହି କର୍ମଚାରୀ ନିୟମିତ ହେବା ପାଇଁ ବାରମ୍ବାର ଦାବି କରୁଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି ।

ରାଜ୍ୟରେ ଥିବା ୫୫ଟି ସରକାରୀ ରକ୍ତଭଣ୍ଡାରରେ ଏବେ ୧୮୦ ଜଣ ଅସ୍ଥାୟୀ କର୍ମଚାରୀ ୨୪ ଘଣ୍ଟିଆ ସେବା ଯୋଗାଉଛନ୍ତି । ଏହି କର୍ମଚାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ରକ୍ତଦାତାମାନଙ୍କୁ ବୁଝାଇ ସୁଝାଇ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରିବା ସହିତ ତାହାର ପରୀକ୍ଷା, ସଂରକ୍ଷଣ, ପ୍ରକ୍ରିୟାକରଣ ଓ ବିତରଣ କାମରେ ବ୍ୟସ୍ତ ରହୁଛନ୍ତି । ପୂର୍ବରୁ ଏହି ରକ୍ତଭଣ୍ଡାରଗୁଡ଼ିକ ରେଡ୍‍କ୍ରସ ପରିଚାଳନାରେ ଥିଲା ଏବଂ ରେଡ୍‍କ୍ରସର ଜିଲ୍ଲା ଶାଖା ସଭାପତି ହିସାବରେ କେଉଁଠି ଜିଲ୍ଲାପାଳ ତ ଆଉ କେଉଁଠି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଏମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରିଛନ୍ତି । ଇତିମଧ୍ୟରେ ଜଣେ ଜଣେ ରକ୍ତଭଣ୍ଡାର କର୍ମଚାରୀ ୧୦/୧୫ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ଧରି ଲଗାତର ଭାବେ କାମ କରୁଛନ୍ତି ।

ପୂର୍ବରୁ ଏହି ଅସ୍ଥାୟୀ କର୍ମଚାରୀମାନେ ସେମାନଙ୍କୁ ସ୍ଥାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ବିଭାଗୀୟ ଶାସନ ସଚିବ ଓ ଅନ୍ୟମାନଙ୍କ ନିକଟରେ ବାରମ୍ବାର ନେହୁରା କରି ଆସୁଛନ୍ତି । ବିଶେଷ କରି ଜୀବନବିନ୍ଦୁ, ଆମ ଓଡ଼ିଶା ଓ ପୋଲିସ କମିଶନରେଟ୍‍ର ମେଗା ରକ୍ତଦାନ ଶିବିରଗୁଡ଼ିକ ଏମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ସଫଳ ହେଉଥିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ସଚିବ ଓ ଅନ୍ୟମାନେ ଏମାନଙ୍କ ଦାବି ପ୍ରତ ବେଶ୍‍ ସହାନୁଭୂତି ସମ୍ପନ୍ନ । ପ୍ରତାପ ଜେନା ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ରକ୍ତଭଣ୍ଡାରର ଏହି ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ଲାଗି ନୀତିଗତ ନିଷ୍ପତ୍ତି ନିଆଯାଇଥିଲା । ଏହା ସତ୍ତେ୍ୱ ବି ଏଯାବତ୍‍ ସେମାନଙ୍କୁ ସ୍ଥାୟୀ କରାଯାଉନାହିଁ କିମ୍ବା ନିଷ୍ପତ୍ତି ମୁତାବକ ବର୍ଦ୍ଧିତ ହାରରେ ପାରିଶ୍ରମିକ ମଧ୍ୟ ଦିଆଯାଉନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ବାର୍ଷିକ ପ୍ରାୟ ୫ଲକ୍ଷ ୟୁନିଟ୍‍ ରକ୍ତ ଦରକାର ପଡ଼ୁଛି । ଏଥିରୁ ଅଧିକାଂଶ ସରକାରୀ ରକ୍ତଭଣ୍ଡାର ମାଧ୍ୟମରେ ଏହି କର୍ମଚାରୀମାନେ ସଂଗ୍ରହ କରି ରୋଗୀଙ୍କୁ ଦେଇଥାନ୍ତି । ଇତିମଧ୍ୟରେ ରାଜ୍ୟ ସରକାର ସରକାରୀ ଡାକ୍ତରଖାନାଗୁଡ଼ିକରେ ଥାଲାସେମିଆ ସମେତ ଅନ୍ୟାନ୍ୟ ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଣ ବ୍ୟବସ୍ଥା କରିଛନ୍ତି ଏବଂ ଏହି ସରକାରୀ କାର୍ଯ୍ୟକ୍ରମର ସଫଳତା ମୁଖ୍ୟତଃ ରକ୍ତଭଣ୍ଡାରର ଏହି ଅସ୍ଥାୟୀ କର୍ମଚାରୀଙ୍କ ଉପରେ ନିର୍ଭର କରେ ।

ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାସ୍ଥ୍ୟସେବାରେ ଜୀବନ ରକ୍ଷା କରୁଥିବା ଏହି କର୍ମଚାରୀମାନଙ୍କ ପାଇଁ ଅନୁକୂଳ ମତ ପୋଷଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏମାନଙ୍କ ସମସ୍ୟା ସମ୍ପର୍କରେ ଅବହିତ । ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସକଳ ପ୍ରଚେଷ୍ଟା ସତ୍ତେ୍ୱ ଏଯାବତ୍‍ ସେମାନଙ୍କ ସମସ୍ୟା ସମାଧାନ ହୋଇପାରୁନଥିବାରୁ ରକ୍ତଭଣ୍ଡାର କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏ ସଂକ୍ରାନ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020