ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ତିନି ମାସରେ ୨୧୭୬ ନବଜାତକଙ୍କ ମୃତ୍ୟୁ


ଚଳିତ ବର୍ଷ ଏପ୍ରିଲ୍‍ରୁ ଜୁନ୍‍ ମାସ ମଧ୍ୟରେ ରାଜ୍ୟରେ ୨୧୭୬ ଜଣ ନବଜାତକ ମୃତ୍ୟୁବରଣ କରିଛନ୍ତି । ଜନ୍ମରୁ ୪ ସପ୍ତାହ ବୟସର ମୃତ୍ୟୁବରଣ କରିଥିବା ଏହି ଶିଶୁଙ୍କ ମଧ୍ୟରେ ୬୮୨ ଜଣ ହେଉଛନ୍ତି କେବିକେ ଜିଲ୍ଲାର ।

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ୨୧୭୬ ଜଣ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୧ ପ୍ରତିଶତ କେବିକେ ଜିଲ୍ଲାଗୁଡ଼ିକରେ ଅଛନ୍ତି ।

ଶିଶୁମାନଙ୍କ ମୃତ୍ୟୁକୁ ରୋକିବା ଲାଗି ରାଜ୍ୟ ସରକାର ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଚଳିତ ବର୍ଷ ଏନ୍‍ଏଚ୍‍ଏମ୍‍-ପିଆଇପିରେ ୩୩୭ କୋଟି ୩୬ ଲକ୍ଷ ୧୧ ହଜାର ଟଙ୍କା ଓ ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମରେ ୫୭ କୋଟି ୮୩ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ରଖିଛନ୍ତି । ଏହାବାଦ୍‍ ମା’ ଓ ଶିଶୁଙ୍କ ଯତ୍ନ ସଂକ୍ରାନ୍ତରେ ସଚେତନତା ସୃଷ୍ଟି, ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ, ପିଲାଙ୍କୁ ଭିଟାମିନ୍‍ ‘କ’ ପ୍ରଦାନ ଓ ଟୀକାକରଣ ଆଦି କରାଯାଉଛି ।

ସେହିଭଳି ବିଜେଡି ସଦସ୍ୟ ଅନନ୍ତ ନାରାୟଣ ଜେନାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ ୫ ବର୍ଷରୁ କମ୍‍ ବୟସର ଶିଶୁ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଏବେ ବି ଦେଶର ୩ ନମ୍ବର ସ୍ଥାନରେ ରହିଛି । ସର୍ବଶେଷ ଏସ୍‍ଆର୍‍ଏସ୍‍ ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରତି ୧୦୦୦ ଶିଶୁ ମଧ୍ୟରୁ ୪୭ ଜଣ ମୃତ୍ୟୁବରଣ କରୁଥିବା ବେଳେ ଏହା ଉପରକୁ ଆସାମରେ ୪୮ ଓ ମଧ୍ୟପ୍ରଦେଶରେ ଏହା ୫୫ ରହିଛି । କେରଳରେ ପ୍ରତି ୧୦୦୦ରେ ୧୨ ଜଣ ଶିଶୁ ମୃତ୍ୟୁବରଣ କରୁଥିବା ବେଳେ ତାମିଲନାଡ଼ୁରେ ୧୯, ଦିଲ୍ଲୀ ଓ ମହାରାଷ୍ଟ୍ରରେ ୨୧ଟି କରି, ପଞ୍ଜାବ ଓ ଜାମ୍ମୁକାଶ୍ମୀରରେ ୨୪ଟି କରି, ହିମାଚଳ ପ୍ରଦେଶରେ ଏହା ୨୫ ରହିଛି ।

ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ପ୍ରତି ୧୦୦୦ ଶିଶୁ ମଧ୍ୟରେ ୨୬ ଜଣ ମରୁଥିବା ବେଳେ ଝାଡ଼ଖଣ୍ଡରେ ୩୪ ଓ ଆନ୍ଧ୍ର ପ୍ରଦେଶରେ ଏହା ୩୫ ରହିଛି । ସର୍ବଭାରତୀୟ ସ୍ତରରେ ପ୍ରତି ୧୦୦୦ ଶିଶୁରେ ୩୭ ଜଣ ମୃତ୍ୟୁବରଣ କରୁଥିବା ବେଳେ ଦେଶର ସବୁଠାରୁ ଦରିଦ୍ର ରାଜ୍ୟ କୁହାଯାଉଥିବା ବିହାରରେ ଏହା ୪୧ ରେକର୍ଡ କରାଯାଇଛି ।

ଶିଶୁ ମୃତ୍ୟୁର ଅନ୍ୟତମ କାରଣ ପୁଷ୍ଟିହୀନତା ହୋଇଥିବା ବେଳେ ପୁଷ୍ଟିସାଧନ କେନ୍ଦ୍ରର ସୂଚନାନୁଯାୟୀ ୨୦୧୮-୧୯ ବର୍ଷରେ ୯୫୭୮ ଶିଶୁ ଏହି କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚଳିତବର୍ଷ ଏପ୍ରିଲ୍‍ରୁ ସେପ୍ଟେମ୍ବର ମାସ ମଧ୍ୟରେ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ୬୨୫୨ ଶିଶୁଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019