ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ମତ୍ସ୍ୟଚାଷରେ ବ୍ୟାପକ ସୁଯୋଗ

ମତ୍ସ୍ୟଚାଷ କ୍ଷେତ୍ରରେ ବ୍ୟାପକ ରୋଜଗାର ସୁଯୋଗ ଥିବାରୁ ଯୁବକ ଯୁବତୀମାନେ ଚାକିରି ପଛରେ ନ ଗୋଡ଼େଇ ଏ ଦିଗରେ ଆଗ୍ରହୀ ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ୬୬ତମ ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ସାହୁ କହିଛନ୍ତି ଯେ ଓଡ଼ିଶାକୁ ମାଛ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ୨୦୧୫ରେ ରାଜ୍ୟ ସରକାର ମତ୍ସ୍ୟନୀତି ପ୍ରଣୟନ କରିଛନ୍ତି ।

୨୦୦୦ ମସିହାରେ ରାଜ୍ୟରେ ମାତ୍ର ୨.୫ ଲକ୍ଷ ମେଟ୍ରିକ୍‍ ଟନ୍‍ ମାଛ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ତାହା ୭ ଲକ୍ଷ ୯୮ ହଜାର ମେଟ୍ରିକ୍‍ ଟନ୍‍ରେ ପହଞ୍ଚିଛି । ସେହିପରି ଓଡ଼ିଶାରୁ ଏବେ ବାର୍ଷିକ ୩୧୦୦ କୋଟି ଟଙ୍କାର ମାଛ ରପ୍ତାନି କରାଯାଉଛି । ରାଜ୍ୟରେ ୬୫ ହଜାର ପଞ୍ଚାୟତ ପୋଖରୀ ଥିବା ବେଳେ ଏଥିରୁ ୨୦ ପ୍ରତିଶତ ପୋଖରୀକୁ ମାଛ ଚାଷ ପାଇଁ ମହିଳା ଗୋଷ୍ଠୀକୁ ଦେବାକୁ ସରକାର ସ୍ଥିର କରିଛନ୍ତି । ରାଜ୍ୟରେ ୧୪ ଲକ୍ଷ ଲୋକ ମାଛ ଚାଷ ସହ ଜଡ଼ିତ ଥିବା ବେଳେ ପୁଷ୍ଟିକର ଖାଦ୍ୟ ଆବଶ୍ୟକତା ପୂରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ।

ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏ କ୍ଷେତ୍ରରେ ମହିଳା ଓ ଯୁବକମାନଙ୍କୁ ଅଧିକ ଭାବେ ଜଡ଼ିତ କରାଯାଇପାରିଲେ ସମବାୟ ଆନ୍ଦୋଳନ ଅଧିକ ଆଗକୁ ଯିବ । ଫିସ୍‍ଫେଡ୍‍ର ଅଧ୍ୟକ୍ଷ ଟି. ପ୍ରସାଦ ରାଓ ଦୋରା ଦାୟିତ୍ୱ ନେବା ପରଠାରୁ ରାଜ୍ୟରେ ମତ୍ସ୍ୟଜୀବିମାନଙ୍କ ଜୀବନ ଜୀବିକାରେ ବ୍ୟାପକ ପରିବର୍ତ୍ତନ ଆସିଥିବା ସେ କହିଥିଲେ ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଶାସନ ସଚିବ ଆର. ରଘୁପ୍ରସାଦ କହିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ମାଛ ଉତ୍ପାଦନ ୬୦ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଆଗାମୀ ୪ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ୍‍ ଟନ୍‍ରେ ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରୁ ୫ ଲକ୍ଷ ମେଟ୍ରିକ୍‍ ଟନ୍‍ ମଧୁର ଜଳ ମାଛ ଉତ୍ପାଦନ ହେଉଥିବା ବେଳେ ଏ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପଞ୍ଚମ ସ୍ଥାନରେ ରହିଛି ।

ରାଜ୍ୟ ସରକାର ୫୨୨ଟି ସମବାୟ ସଂସ୍ଥାକୁ ୧୦ କୋଟି ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଏବେ ମତ୍ସ୍ୟଚାଷୀମାନଙ୍କ ଲାଗି ୬ କୋଟି ୩୦ ଲକ୍ଷ ଟଙ୍କା ଦିଆଯାଇଛି । ଏହି ଅର୍ଥରେ ସେମାନେ ଜାଲ, ବରଫ ବାକ୍ସ ଆଦି ଖରିଦ କରିବେ । ଆଗାମୀ ଦିନରେ ରାଜ୍ୟରେ ୧୦୦ଟି ଅତ୍ୟାଧୁନିକ ମାଛ ବିକ୍ରି କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ରଘୁପ୍ରସାଦ ସୂଚନା ଦେଇଥିଲେ ।

ଜାତୀୟ ସମବାୟ ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଏନ୍‍. ସତ୍ୟନାରାୟଣ ଏହି ଅବସରରେ କହିଥିଲେ ଯେ ଓଡ଼ିଶାରେ ସମବାୟ ସଂସ୍ଥାଗୁଡ଼ିକ ଠିକଣା ଭାବେ ଆଗକୁ ବଢ଼ୁଥିବା ବେଳେ ଜାତୀୟ ସଂସ୍ଥା ସହିତ ଯୋଗାଯୋଗ ରଖି ଏମାନଙ୍କୁ ଅତ୍ୟାଧୁନିକ ତାଲିମ ଦିଆଯିବା ଆବଶ୍ୟକ । ସମବାୟ କ୍ଷେତ୍ରରେ ମହିଳା ଓ ଯୁବକମାନଙ୍କ ଲାଗି ବ୍ୟାପକ ଆତ୍ମନିଯୁକ୍ତିର ସୁଯୋଗ ରହିଥିବାରୁ ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଏଥିରେ ସାମିଲ ହେବା ଆବଶ୍ୟକ ।

ଏହି ଅବସରରେ ଶ୍ରୀ ଦୋରା କହିଥିଲେ ଯେ ଗତ ୫ ବର୍ଷ ଧରି ରାଜ୍ୟରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯାଉଛି । ସମଗ୍ର ଦେଶରେ ୨୦ ହଜାର ସମବାୟ ସଂସ୍ଥା ମତ୍ସ୍ୟଚାଷ ସହ ଜଡ଼ିତ ଅଛନ୍ତି । କେରଳ, ମହାରାଷ୍ଟ୍ର ଓ ଗୁଜରାଟରେ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକ ଯେପରି ସର୍ବୋଚ୍ଚ ସ୍ତରକୁ ଯାଇପାରିଛନ୍ତି ସେହିଭଳି ଓଡ଼ିଶାର ସମବାୟ ସଂସ୍ଥାଗୁଡ଼ିକ ଆଗେଇ ନେବାକୁ ଉଦ୍ୟମ କରାଯାଉଛି । ଫିସ୍‍ଫେଡ୍‍କୁ ଦେଶର ସର୍ବଶ୍ରେଷ୍ଠ ଅନୁଷ୍ଠାନରେ ଗଢ଼ି ତୋଳିବା ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ମିଳୁଥିବା ସହାୟତା ଲାଗି ସେ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ । ଯୁବପିଢ଼ି ଆଗକୁ ଆସି ନେତୃତ୍ୱ ନେଲେ ସମବାୟ ଆନ୍ଦୋଳନ ଆହୁରି ଆଗକୁ ଯିବ ବୋଲି ସେ କହିଥିଲେ ।

ଫିସ୍‍କୋଫେଡର ପରିଚାଳନା ନିର୍ଦ୍ଦେଶକ ବିମଳ ମିଶ୍ର କହିଥିଲେ ଯେ ରାଜ୍ୟରେ ୧୧୭୦ଟି ସମବାୟ ସଂସ୍ଥା ଥିବା ବେଳେ ସେଥିରୁ ୭୩୨ଟି କାର୍ଯ୍ୟ କରୁଛି । ଦୁଗ୍ଧ ସମବାୟ ସଂସ୍ଥାଗୁଡ଼ିକ ଆଗକୁ ବଢ଼ିଥିବା ବେଳେ ମଧ୍ୟସ୍ଥିଙ୍କ ଯୋଗୁ ମତ୍ସ୍ୟ ସମବାୟଗୁଡ଼ିକ ଆଗକୁ ବଢ଼ିପାରୁନାହିଁ । ତେଣୁ ଏହି ମଧ୍ୟସ୍ଥିଙ୍କୁ ହଟାଇବା ସହିତ ମତ୍ସ୍ୟ ସମବାୟ ସଂସ୍ଥାର ଅଧିକାରୀମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଇ ସେଠାକାର ମଡେଲ ଅନୁଧ୍ୟାନ କରିବାକୁ ସେ ମତ ଦେଇଥିଲେ । ଏହି ଅବସରରେ ମୃତ୍ୟୁବରଣ କରିଥିବା ମତ୍ସ୍ୟଜୀବି ପରିବାରର ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ଚେକ୍‍ ଆକାରରେ ପ୍ରଦାନ କରାଯାଇଥିବା ବେଳେ ମତ୍ସ୍ୟଜୀବି ପରିବାରର ୩ ଜଣ ମେଧାବୀ ଛାତ୍ରୀମାନଙ୍କୁ କନ୍ୟାରତ୍ନ ଯୋଜନାରେ ଉଚ୍ଚଶିକ୍ଷା ଲାଗି ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019