ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

କୋଇଲା ଅଞ୍ଚଳରେ ସମସ୍ୟା


କୋଇଲା ମହଜୁଦ ଥିବା ଅଞ୍ଚଳ ଗୁଡିକ ମନ୍ଥର ଗତିରେ ବ୍ୟବହାର ହେଉଥିବାରୁ ସ୍ଥାନୀୟ ଲୋଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଏହା ସମସ୍ୟା ସୃଷ୍ଟି କରୁଛି । କେତେକ ଜିଲ୍ଲାରେ ଏହାକୁ ନେଇ ଲୋକେ ବିରୋଧ କରୁଛନ୍ତି ।

ଦୁଇଟି ଜିଲ୍ଲାରେ ମହାନଦୀ କୋଲଫିଲ୍ଡସ (ଏମ୍‍ସିଏଲ୍‍) ଆସନ୍ତା ୫ବର୍ଷ ପାଇଁ ୩୪୦୦ ହେକ୍ଟର ଅଞ୍ଚଳ ବ୍ୟବହାର ପାଇଁ ଯୋଜନା କରିଥିବାବେଳେ ସମଗ୍ର କୋଇଲା ଅଞ୍ଚଳକୁ ଏହି ରାଷ୍ଟ୍ରାୟତ ସଂସ୍ଥା କେବେ ବ୍ୟବହାର କରିବ ସେ ନେଇ ରାଜ୍ୟ ସରକାରଙ୍କ ନିକଟରେ ଉତ୍ତର ନାହିଁ । କେବଳ ଅନୁଗୁଳ ଓ ଝାରସୁଗୁଡା ଜିଲ୍ଲାରେ କୋଇଲା ମହଜୁଦ ଥିବା ୨୩,୩୦୦ ହେକ୍ଟର ଜମିକୁ ଏମ୍‍ସିଏଲ୍‍ ଅଧିଗ୍ରହଣ କରିଛି । ଦୀର୍ଘ ସମୟ ମଧ୍ୟରେ ଏମ୍‍ସିଏଲ୍‍ ୧୦,୭୦୦ ହେକ୍ଟର ବ୍ୟବହାର କରିବାପରେ ଆସନ୍ତା ୫ବର୍ଷ ମଧ୍ୟରେ ୩୪୦୦ ହେକ୍ଟର ବ୍ୟବହାର ଲାଗି ଯୋଜନା କରିଛି । କେନ୍ଦ୍ର କୋଇଲା ମନ୍ତ୍ରାଳୟ ଏ ନେଇ ନିରବ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରତିବାଦ ଯୋଗୁଁ ରାଜ୍ୟ ସରକାର ସମସ୍ୟାରେ ପଡୁଛନ୍ତି ।

କୋଇଲା ଖଣି କାର୍ଯ୍ୟ ଆରମ୍ଭ ହେଲେ ଏମ୍‍ସିଏଲ୍‍ ସମ୍ପୃକ୍ତ ଅଞ୍ଚଳରେ ଜମିହରାମାନଙ୍କ ଥଇଥାନ ଓ ପୁର୍ନବାସ କାର୍ଯ୍ୟ ଆରମ୍ଭ କରିବ । କେନ୍ଦ୍ରୀୟ ଆଇନ୍‍ ବଳରେ ସେହିସବୁ ଜମି ଅଧିଗ୍ରହଣ ହୋଇଥିବାରୁ ନିୟମ ଅନୁଯାୟୀ ସେଠାରେ ଆଉ କୌଣସି ବିକାଶ କାର୍ଯ୍ୟ ହୋଇପାରୁ ନାହିଁ । ରାଜ୍ୟ ସରକାର ଏ ନେଇ କୋଇଲା ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିବା ସହିତ ଅଧିଗ୍ରହଣ ହୋଇବା ଯେଉଁସବୁ ଅଞ୍ଚଳରେ ୫ବର୍ଷ ପର୍ଯ୍ୟନ୍ତ ଖଣି କାରବାର ହେବାର ନାହିଁ ସେହି ଇଲାକାର ଅଧିଗ୍ରହଣ ବାତିଲ କରିବାଲାଗି କହିଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଷୀଙ୍କ ନିକଟରେ ଏହି ପ୍ରସଙ୍ଗ ଉତ୍‍ଥାପନ ସହିତ ଏଥିରେ ହସ୍ତକ୍ଷେପ ଲାଗି ଅନୁରୋଧ କରିଛନ୍ତି । ତେଣୁ ସମସ୍ତ ଜମିହରା ମାନଙ୍କର ପୁର୍ନବାସ ଓ ଥଇଥାନ କାର୍ଯ୍ୟ ନସରିବା ପର୍ଯ୍ୟନ୍ତ ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ ସେହିସବୁ ଅଞ୍ଚଳରେ ବିକାଶ କାର୍ଯ୍ୟ ସହିତ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ଆବଶ୍ୟକ ।

ଜମି ହରାଇବା ପର୍ଯ୍ୟନ୍ତ ଲୋକେ ନିର୍ମାଣ କରିଥିବା କୋଠାବାଡି ପାଇଁ ଏମ୍‍ସିଏଲ୍‍ ଅର୍ଥ ପଇଠ କରିବାକୁ ଜଣେ ଅଧିକାରୀ କହିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଆବାସିକ ଆୟୁକ୍ତଙ୍କ ଦପ୍ତରର ବରିଷ୍ଠ ଅଧିକାରୀମାନେ ଏସଂକ୍ରାନ୍ତରେ କୋଇଲା ମନ୍ତ୍ରାଳୟକୁ ଅବଗତ କରିଛନ୍ତି । ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ଚଳାଯାଉଥିବା ଖଣି ସହିତ ଆଗାମୀ ଦିନରେ ଖନନ ହେବାକୁ ଯାଉଥିବା ଖଣି ଅଞ୍ଚଳରେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାପାଇଁ କୁହାଯାଉଛି ।

ଓଡିଶା ଖଣି ନିଗମ ହାତରେ କୋଇଲା ବ୍ଲକ ଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ସେହି ଅଞ୍ଚଳରେ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ । କୋଇଲା ଖଣି ପାଇଁ ଓଏମ୍‍ସି ହାତରେ ଅର୍ଥର ଅଭାବ ନଥିବାବେଳେ ଲୋକଙ୍କ ବିରୋଧ ଏହି ରାଷ୍ଟ୍ରାୟତ ସଂସ୍ଥାପାଇଁ ସମସ୍ୟା ସୃଷ୍ଟି କରିଛି । କୋଇଲା ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ଗ୍ରହଣ କଲେ ଲୋକଙ୍କ ବିରୋଧ ହ୍ରାସ ପାଇବା ସହିତ ସୁରୁଖୁରୁରେ ଖଣି କାର୍ଯ୍ୟ ହୋଇପାରିବ । ତେଣୁ କୋଇଲା ମହଜୁଦ ଥିବା ଅଞ୍ଚଳକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟବହାର କରିବାଲାଗି କୋଇଲା ମନ୍ତ୍ରାଳୟ ସମୟ ଧାର୍ଯ୍ୟ କରିବାକୁ କୁହାଯାଇଛି ଯାହା ଫଳରେ ସାଧାରଣ ଲୋକେ ଆଉ ଏଥିପାଇଁ କ୍ଷତିଗ୍ରସ୍ତ ହେବେନାହିଁ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019