ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଓଡିଶାର ସ୍ୱାସ୍ଥ୍ୟସେବା ପ୍ରଶଂସିତ

ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଜାତୀୟ ସ୍ତରରେ ଭୁରି ଭୁରି ପ୍ରଶଂସା କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଓ ଅଭିନବ ପଦକ୍ଷେପ ସଂକ୍ରାନ୍ତରେ ଗୁଜୁରାଟର ଗାନ୍ଧୀନଗର ଠାରେ ଆୟୋଜିତ ଷଷ୍ଠ ଜାତୀୟ ସମ୍ମିଳନୀରେ ଏଭଳି ପ୍ରଶଂସା ମିଳିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) ରାଜ୍ୟର ସବୁଠାରୁ ଉତ୍ତମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବୋଲି ଦର୍ଶାଯାଇଛି ।

ଗତ କାଲିଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଏହି ଜାତୀୟ ଶିବିରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସମସ୍ତ ଅଭିନବ ପଦକ୍ଷେପ ଓ ତାହାର ସଫଳତା ଉପସ୍ଥାପନ କରିଛନ୍ତି । ବୈଠକରେ ଶ୍ରୀମତୀ ପଣ୍ଡିତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଏସ୍‍କେୱାଇର କାର୍ଯ୍ୟକାରିତା ଏବଂ ମୋ ସରକାର ମାଧ୍ୟମରେ ରୋଗୀ ସନ୍ତୁଷ୍ଟିକରଣ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଶ୍ରୀମତୀ ପଣ୍ଡିତ ଜାତୀୟ ସ୍ୱାସ୍ଥ୍ୟ ନୀତି - ୨୦୧୭ ଅନୁଯାୟୀ ସଷ୍ଟେନେବୁଲ ଡେଭଲପମେଣ୍ଟ ଗୋଲ୍‍ (ଏସ୍‍ଡିଜି) ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ସାର୍ବଜନନୀ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା କଥା । ମାନବସମ୍ବଳ, ଭିତ୍ତିଭୂମି ଓ ରୋଗୀଙ୍କ ହାତରୁ ଅର୍ଥ ବ୍ୟୟ ଭଳି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଓଡିଶା ଏହି ସଫଳତା ପାଇପାରିଛି । ଏଥିପାଇଁ ଓଡିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁବିଧ ଅଭିନବ ପଦକ୍ଷେପ ଗ୍ରହଣ କରି ଏହି ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିଛନ୍ତି ।

ଡାକ୍ତର ଅଭାବ ଜନିତ ସମସ୍ୟାର ମୁକାବିଲା ପାଇଁ ସରକାର ସେମାନଙ୍କ ପାଇଁ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା ଆରମ୍ଭ କରି ଦୁର୍ଗମ ଅଞ୍ଚଳ ଚିହ୍ନଟ, ଆନୁଷ୍ଠାନିକ ପ୍ରସବ ହାର ବୃଦ୍ଧି, ବାଇକ ଓ ବୋଟ୍‍ ଆମ୍ବୁଲାନ୍ସ, ଭ୍ରାମ୍ୟମାଣ ପ୍ରସୂତୀ ଯାନ ଠାରୁ ଆରମ୍ଭ କରି ପ୍ରସୂତୀ ଗୃହ, ଯାତାୟତ ଖର୍ଚ୍ଚ ଆଦି ବିଭିନ୍ନ ଅଭିନବ ଗ୍ରହଣ କରିଛନ୍ତି ।

ଲୋକଙ୍କୁ ଘରୋଇ ଚିକିତ୍ସାଳୟରେ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ୧୯୭ଟି ଘରୋଇ ହସ୍ପିଟାଲ ସହିତ ରାଜ୍ୟ ସରକାର ଅନୁବନ୍ଧିତ ହୋଇଛନ୍ତି । ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ମାଗଣାରେ ରୋଗ ନିରୂପଣ ଠାରୁ ଆରମ୍ଭକରି ଜଟିଳ ରୋଗର ଚିକିତ୍ସା ଓ ବିନାମୂଲ୍ୟରେ ଔଷଧ ଯୋଗାଣ, ଡାଏଲିସିସ୍‍, କେମୋଥେରାପି ଆଦି ବ୍ୟବସ୍ଥା କରାଯାଇଛି । ୭୦ଲକ୍ଷ ପରିବାରକୁ ବିଏସ୍‍କେୱାଇ ଯୋଜନାରେ ସାମିଲ କରାଯାଇଛି ।

ମୋ ସରକାର ଯୋଜନାରେ ରୋଗୀଙ୍କଠାରୁ ମତାମତ ଗ୍ରହଣ କରାଯାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥି ସହିତ ହାଉସ କିପିଙ୍ଗ୍‍, ସଫା ସୁତୁରା, ଲଣ୍ଡ୍ରି, ନିରାପତ୍ତା, ଲିଫ୍ଟ, ସହାୟକ, ସ୍ୱାସ୍ଥ୍ୟ ଅନୁଷ୍ଠାନର ସୌନ୍ଦର୍ଯ୍ୟକରଣ ଆଦି କ୍ଷେତ୍ରରେ ବହୁବିଧ ଉନ୍ନତି ଘଟିଛି । ଆହୁରି ମଧ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ କିଭଳି କାୟାକଳ୍ପ, ଲକ୍ଷ୍ୟ ଏବଂ ଏନ୍‍କ୍ୟୁଏସ୍‍ ଆଦି ଜାତୀୟ ସ୍ତରର ପୁରସ୍କାର ପାଇପାରିବେ ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ୱାସ୍ଥ୍ୟ ପ୍ରଶାସନକୁ ଅଧିକ ଚଳ ଚଞ୍ଚଳ ଓ ସୁଦୃଢ କରିବାପାଇଁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ୫-ଟି ଲାଗୁ ହୋଇଛି । ମୋ ସରକାର ଓ ୫-ଟିର ସଫଳ କାର୍ଯ୍ୟକାରୀ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରାଯାଇଛି । ବର୍ଷକ ମଧ୍ୟରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକର ଓପିଡି ଓ ଆଇପିଡିରେ ୩୩ ପ୍ରତିଶତ ରୋଗୀସଂଖ୍ୟା ବୃଦ୍ଧି ପାଇ ୬କୋଟି ୭୦ଲକ୍ଷକୁ ଟପିଯାଇଛି । ଏମାନଙ୍କୁ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନାରେ ମାଗଣା ଚିକିତ୍ସାସେବା ଯୋଗାଇ ଦିଆଯାଇଛି ।

କେବିକେ ଏବଂ କେବିକେ ପ୍ଲସ ଜିଲ୍ଲା ଗୁଡିକରେ ଖାଲିଥିବା ଡାକ୍ତର ପଦବୀ ମଧ୍ୟରୁ ୪୪% ପୂରଣ ହୋଇପାରିଛି । ସରକାରଙ୍କ ଚିକିତ୍ସା ବ୍ୟବସ୍ଥାକୁ ନେଇ ୯୨ ପ୍ରତିଶତରୁ ଅଧିକ ରୋଗୀ ସନ୍ତୋଷ ପ୍ରକାଶ କରିଛନ୍ତି । ରୋଗୀମାନଙ୍କର ନିଜସ୍ୱ ଚିକିତ୍ସା ଖର୍ଚ୍ଚ ଆଶାତୀତ ଭାବେ ହ୍ରାସପାଇଛି । ସ୍ୱାସ୍ଥ୍ୟ ମିଶନକୁ ବାଦ୍‍ ଦେଇ ରାଜ୍ୟ ସରକାର ନିଜସ୍ୱ ବଜେଟ୍‍ରୁ ୧୭୧୨ କୋଟିରୁ ଅଧିକ ଟଙ୍କା ରୋଗୀଙ୍କ ପାଇଁ ବ୍ୟୟ ହେଉଛି । ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ ରାଜ୍ୟ ସରକାରଙ୍କ ଉପରୋକ୍ତ ପଦକ୍ଷେପ ଗୁଡିକୁ ଜାତୀୟ ସମ୍ମିଳନୀରେ ଉପସ୍ଥାପିତ କରିଥିବାବେଳେ ଏହା ସମସ୍ତଙ୍କ ଦୃଷ୍ଟି ଆବର୍ଷଣ ସହିତ ପ୍ରଶଂସିତ ହୋଇଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019