ଦୁର୍ଦ୍ଦଶାରେ ଛାତ୍ରୀ


ଓଡିଶାର ପ୍ରଥମ ଓ ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ମିଳିପାରୁନଥିବାବେଳେ ଶିକ୍ଷକମରୁଡି ଯୋଗୁଁ ଏଠାରେ ଛାତ୍ରୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ଏହି ବିଶ୍ୱବିଦ୍ୟାଳୟ ଲାଗି ୧୩୮ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୦୫ଟି ଖାଲି ପଡିଛି । ଏଠାରେ ପାଠ ପଢାଇବାପାଇଁ ମାତ୍ର ୩୩ଜଣ ଶିକ୍ଷକ ଉପଲବ୍ଧ ଅଛନ୍ତି । ବିଶ୍ୱବିଦ୍ୟାଳୟର ୧୩ଟି ପ୍ରଫେସର ପଦବୀ ମଧ୍ୟରୁ ୯ଟି ଖାଲିପଡିଛି । ୩୮ଟି ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ୨୮ଟି ବି ଖାଲି । ଏହାଛଡା ଏହି ଶିକ୍ଷାନୁଷ୍ଠାନ ପାଇଁ ଥିବା ୮୭ଟି ମଞ୍ଜୁରୀପ୍ରାପ୍ତ ସହକାରୀ ପ୍ରଫେସର ପଦବୀ ମଧ୍ୟରୁ ୬୮ଟି ମଧ୍ୟ ଖାଲିପଡିଛି ।

ରମାଦେବୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ଲାଗି ରହିଥିବାରୁ କାମ ଚଳାଇବାପାଇଁ ଅତିଥି ଅଧ୍ୟାପକମାନଙ୍କ ଉପରେ ବହୁ ସମୟରେ ନିର୍ଭର କରିବାକୁ ପଡୁଛି । ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପରୀକ୍ଷା ପରିଚାଳନା କରିବା ଓ ସେଥିଲାଗି ପ୍ରଶ୍ନପତ୍ର ତିଆରି ଏବଂ ଅନ୍ୟାନ୍ୟ କାର୍ଯ୍ୟର ଚାପ ନିୟମିତ ଶିକ୍ଷକମାନଙ୍କ ଉପରେ ବଢି ଚାଲୁଛି ।

ଅଥଚ ବର୍ଷ ବର୍ଷ ଧରି ଏହି ବିଶ୍ୱବିଦ୍ୟାଳୟରେ ଶତାଧିକ ଶିକ୍ଷକ ପଦବୀ ଖାଲି ରହୁଥିବାବେଳେ ତାହା ପୂରଣ ହୋଇପାରୁନାହିଁ । ଗୋଟିଏ ପଟେ ସରକାର ଗୁଣାତ୍ମକ ଶିକ୍ଷା କଥା କହୁଥିବାବେଳେ ଅନ୍ୟ ପଟେ ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ କରାଯାଇ ପାରୁନାହିଁ । ଏଥିଯୋଗୁଁ କେବଳ ପାଠପଢା ନୁହେଁ ଗବେଷଣା କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି ।

ଏହି ବିଶ୍ୱବିଦ୍ୟାଳୟ ପରିସରରେ ଏବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜମାନ ପୂର୍ବଭଳି ଚାଲୁଛି । ଏଠାରେ ଉଲ୍ଲେଖନୀୟ ଯେ ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ସରକାର ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ କରିଛନ୍ତି ଏବଂ ଏଥି ସହିତ ଅନେକ ମହିଳା କଲେଜ ଅନୁବନ୍ଧିତ ହୋଇ ରହିଛି । ବିଶ୍ୱବିଦ୍ୟାଳୟ ପାଇଁ ଯେତେ ସଂଖ୍ୟକ ଅଣଶିକ୍ଷକ କର୍ମଚାରୀ ଆବଶ୍ୟକ ତାହା ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇପାରିନାହିଁ ।

ଫଳରେ ପୂର୍ବରୁ ଏହି କଲେଜରେ ଯେଉଁ କର୍ମଚାରୀମାନେ ଥିଲେ ସେମାନେ କଷ୍ଟେ ମଷ୍ଟେ ବିଶ୍ୱବିଦ୍ୟାଳୟ କାମ ତୁଲାଉଛନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନଥିବାରୁ ବିଭିନ୍ନ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁବନ୍ଧିତ କଲେଜ ଗୁଡିକୁ ନିୟମିତ ପରିଦର୍ଶନ କରିପାରୁନାହାନ୍ତି ।

ଏହି ମହିଳା ବିଶ୍ୱବିଦ୍ୟାଳୟ ଲାଗି ଉତ୍‍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜମି ଯୋଗାଇ ଦେବାକୁ ପ୍ରଥମେ ପ୍ରସ୍ତାବ ଥିଲା । ତେବେ ଉତ୍‍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଏହାର ବିରୋଧ କରିବାରୁ ବିକଳ୍ପ ଜମି ଖୋଜା ଚାଲିଥିଲା । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ମୂଳ ଦପ୍ତର ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ କରିବାପାଇଁ ଜମି ଚିହ୍ନଟ ହୋଇଥିଲେ ମଧ୍ୟ ତାହା ରମାଦେବୀର ଛାତ୍ରୀମାନଙ୍କ ପାଇଁ ଗ୍ରହଣୀୟ ହୋଇନଥିଲା ।

କାରଣ ନିରାପତ୍ତା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଏତେ ଦୂର ଯିବା ସମ୍ଭବପର ନୁହେଁ । ଏହି ସମସ୍ୟାର ସମାଧାନ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲେ ମଧ୍ୟ ଏଯାବତ୍‍ ରମାଦେବୀର ପ୍ରଥମ କ୍ୟାମ୍ପସ ପାଖରେ ଆଉ ବିକଳ୍ପ ଜମି ମିଳିପାରିନାହିଁ । ବିଶ୍ୱବିଦ୍ୟାଳୟ ସାମ୍ନାରେ ଦୁର୍ଘଟଣା ଏଡାଇବାପାଇଁ ଫୁଟ୍‍ ଓଭରବ୍ରିଜ ନିର୍ମାଣଲାଗି ପ୍ରାୟ ୬ବର୍ଷ ତଳେ ଶୁଭ ଦିଆଯାଇଥିଲେ ମଧ୍ୟ କାମ ଏଯାବତ୍‍ ଆରମ୍ଭ ହୋଇନାହିଁ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020