
ରାଜ୍ୟ ସରକାର ଆଜି ୧୭୫୩ କୋଟି ୮୨ଲକ୍ଷ ଟଙ୍କାର ପୁଞ୍ଜିବିନିଯୋଗରେ ନିର୍ମାଣ ହେବାକୁ ୬ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ୮୭ତମ ରାଜ୍ୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ସବୁଜ ସଙ୍କେତ ମିଳିଥିବାବେଳେ ଏଥିରେ ମୋଟ୍ ୫୫୬୬ ଜଣ ନିଯୁକ୍ତି ପାଇବେ ।
ପ୍ରକଳ୍ପ ଗୁଡିକ ମଧ୍ୟରେ ୮୩୫କୋଟି ୩୪ ଲକ୍ଷ ଟଙ୍କା ପୁଞ୍ଜିବିନିଯୋଗରେ ଶ୍ରୀ ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର କେନ୍ଦୁଝର ବଡବିଲ ଠାରେ ପ୍ରସ୍ତାବିତ ଇସ୍ପାତ କାରଖାନା ରହିଛି । ଏହି ଇସ୍ପାତ ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୦.୧ ନିୟୁତ ମେଟ୍ରିକ ଟନ୍ରୁ ୦.୩ ନିୟୁତ ମେଟ୍ରିକ ଟନ୍କୁ ବୃଦ୍ଧି କରାଯାଇ ପାରିବ । ଏହି ପ୍ରକଳ୍ପରେ ୫୦୧ ଜଣ କର୍ମନିଯୁକ୍ତି ପାଇପାରିବେ ।
ସେହିଭଳି ଯାଜପୁରର କଳିଙ୍ଗନଗର ଠାରେ ଇମ୍ଫା ପକ୍ଷରୁ ୫୪୭କୋଟି ୧୯ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ଆନୁଷଙ୍ଗିକ ଇସ୍ପାତ ଶିଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି । ପ୍ରସ୍ତାବିତ ଏହି ପ୍ରକଳ୍ପରୁ ବାର୍ଷିକ ୯୬ହଜାର ମେଟ୍ରିକ ଟନ୍ ଫେରୋକ୍ରୋମ ସହିତ ୧୦ ମେଗାୱାଟର ତାପଜ କେନ୍ଦ୍ର ପ୍ରତିଷ୍ଠା ହେବ । ଏହି କାରଖାନାରେ ୯୦୦ ଜଣ ନିଯୁକ୍ତି ପାଇବେ ।
ସେହିଭଳି ଖୋରଧା ଠାରେ ଜକି ଗାର୍ମେଣ୍ଟ ପକ୍ଷରୁ ୨୫୭କୋଟି ୫୦ଲକ୍ଷ ଟଙ୍କାରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି । ଏଥିରେ ସର୍ବାଧବକ ୩୫୦୦ ବ୍ୟକ୍ତି କର୍ମନିଯୁକ୍ତି ପାଇବେ । କଟକ ଜିଲ୍ଲାର ରାମଦାଶପୁର ଠାରେ ଜୟ ଭାରତ ମସଲା କମ୍ପାନୀ ପକ୍ଷରୁ ୫୦କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୫୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏହି କାରଖାନାରେ ଆଳୁ ଚିପ୍ସ, ପ୍ୟାକେଜିଂ ଓ ଗୋଦାମ ଆଦି ରହିବ ।
ଶ୍ରୀ ମାଲାନି ଫୋମ୍ ପକ୍ଷରୁ ଖୋରଧା ଠାରେ ୧୦କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ପ୍ଲାଷ୍ଟିକ କାରଖାନାକୁ ମଞ୍ଜୁରୀ ମିଳିଛି । ଏଥିରେ ୨୫ଜଣଙ୍କୁ କର୍ମସଂସ୍ଥାନ ମିଳିପାରିବ । ଏହି କାରଖାନାରେ ବାର୍ଷିକ ୫ ଟନ୍ କ୍ଷମତା ବିଶିଷ୍ଟ ଆରବିଏଫ୍ ରହିବ । ସେହିଭଳି ଯାଜପୁର ଜିଲ୍ଲା କଳିଙ୍ଗନଗରର ବାରଗାଡିଆ ଠାରେ ଦେଓ ରେସିଡେନ୍ସି ଆଣ୍ଡ ରିସର୍ଟ ୫୩କୋଟି ୬୯ଲକ୍ଷ ଟଙ୍କା ବ୍ୟୟରେ ତାହାର ହୋଟେଲକୁ ସମ୍ପ୍ରସାରଣ ପାଇଁ ଥିବା ପ୍ରସ୍ତାବକୁ ବି ମଞ୍ଜୁରୀ ମିଳିଛି । ଏହି ପର୍ଯ୍ୟଟନ ପ୍ରକଳ୍ପରେ ୯୦ ଜଣଙ୍କୁ ନିଯୁକ୍ତି ମିଳିବ ।