ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ଆର୍‍ଏସ୍‍ପିର କ୍ଷମତା ବୃଦ୍ଧି


ରାଉରକେଲା ଇସ୍ପାତ କାରଖାନା (ଆର୍‍ଏସ୍‍ପି)ର ଉତ୍ପାଦନ କ୍ଷମତା ୨୦୩୦ ସୁଦ୍ଧା ଦୁଇଗୁଣା ହେବ । ଆର୍‍ଏସ୍‍ପିର ସିଇଓ ଦୀପକ୍‍ ଚାଟ୍ଟାର୍ଜ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି ।

ପୂର୍ବରୁ ଆର୍‍ଏସ୍‍ପି ତାହାର ହଟ୍‍ ମେଟାଲ୍‍ ଉତ୍ପାଦନ କ୍ଷମତାକୁ ଦୁଇଗୁଣା ବୃଦ୍ଧି କରି ୪.୫ ମିଲିୟନ୍‍ ମେଟ୍ରିକ୍‍ ଟନ୍‍ରେ ପହଞ୍ଚାଇଛି । କେନ୍ଦ୍ର ସରକାର ୨୦୩୦ ସୁଦ୍ଧା ଦେଶରେ ଇସ୍ପାତ ଉତ୍ପାଦନକୁ ୩୦୦ ମିଲିୟନ୍‍ ଟନ୍‍ରେ ପହଞ୍ଚାଇବାକୁ ଜାତୀୟ ଇସ୍ପାତ ନୀତି ଅନୁଯାୟୀ କାର୍ଯ୍ୟ କରୁଥିବା ବେଳେ ଆର୍‍ଏସ୍‍ପି ମଧ୍ୟ ତାହାର ଉତ୍ପାଦନ କ୍ଷମତା ଦୁଇଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

ବର୍ତ୍ତମାନ ଆର୍‍ଏସ୍‍ପିର ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୪.୨ ମିଲିୟନ୍‍ ଟନ୍‍ ଥିବା ବେଳେ ତାହାକୁ ୮.୭ ମିଲିୟନ୍‍ ଟନ୍‍କୁ ବୃଦ୍ଧି କରାଯିବ । ଏଭଳି ଉତ୍ପାଦନ ବୃଦ୍ଧି ଆର୍‍ଏସ୍‍ପିର ବିକାଶ ସହିତ ସେହି ଅଞ୍ଚଳର ଅଭିବୃଦ୍ଧିରେ ସହାୟକ ହେବ ବୋଲି ଶ୍ରୀ ଚାଟ୍ଟାର୍ଜ କହିଛନ୍ତି ।

ଆର୍‍ଏସ୍‍ପିର ସମ୍ପ୍ରସାରଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁଥିବା ସେ ସୂଚନା ଦେଇଛନ୍ତି । ଉତ୍ପାଦନ କ୍ଷମତା ଦୁଇଗୁଣ ବୃଦ୍ଧି ପାଇଁ ଆର୍‍ଏସ୍‍ପି ୫୫୨୫ ଏକର ଜମି ଆବଶ୍ୟକ କରୁଥିବା ବେଳେ ବର୍ତ୍ତମାନ ଏହା ନିକଟରେ ୩୮୫୦ ଏକର ଖାଲି ଜମି ରହିଛି । ଏଥିମଧ୍ୟରୁ ୩୯୦ ଏକର ଜମିକୁ ବିଭିନ୍ନ ସ୍ଥାନରେ ଜବରଦଖଲ କରାଯାଇଛି । ବର୍ତ୍ତମାନ ଆର୍‍ଏସ୍‍ପିର ଅଭିବୃଦ୍ଧି ଲାଗି ବିଭିନ୍ନ ସ୍ତରରୁ ସହଯୋଗ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏଭଳି ସ୍ଥିତିରେ ଆର୍‍ଏସ୍‍ପିର ପରିଚାଳନା କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ଏହାର ସମାଧାନ ନହେଲେ ଯାହାକି ଆଗାମୀ ଦିନରେ ଉତ୍ପାଦନ ବୃଦ୍ଧିରେ ବାଧକ ହେବ ବୋଲି ଇସ୍ପାତ ଓ ଖଣି ବିଭାଗ ସୂତ୍ରରୁ ଜଣାପଡ଼ିଛି । ଆର୍‍ଏସ୍‍ପି କର୍ତ୍ତୃପକ୍ଷ ବିଦ୍ୟୁତ୍‍ ଶୁଳ୍କ ଛାଡ଼ ସହିତ ଜଳ ଟିକସ ଉପରେ ନିଆଯାଉଥିବା ସୁଧ ଛାଡ଼ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୀର୍ଘବର୍ଷ ଧରି ଆର୍‍ଏସ୍‍ପିର ଏଭଳି ପ୍ରସ୍ତାବ ରାଜ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ପଡ଼ିରହିଛି ।

ଆର୍‍ଏସ୍‍ପିରେ ଖୁବ୍‍ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଥିବା ୨୫୦ ମେଗାୱାଟ ତାପଜ କେନ୍ଦ୍ର ଲାଗି ପାଉଁଶ ପୋଖରୀ ନିର୍ମାଣ ସକାଶେ ଜମି ଆବଶ୍ୟକ ପଡ଼ୁଛି । ପୂର୍ବରୁ ପାଉଁଶ ପୋଖରୀ ଆଖପାଖରେ ଥିବା ଜମିକୁ ସ୍ଥାନୀୟ ଲୋକେ ନୂଆ ପାଉଁଶ ପୋଖରୀ ପାଇଁ ଛାଡ଼ୁନାହାନ୍ତି । ସେହିଭଳି ଆର୍‍ଏସ୍‍ପି ପରିସରରେ ପ୍ରତିଷ୍ଠା ହୋଇଥିବା ସଲ୍‍ଫ୍ୟୁରିକ୍‍ ଏସିଡ୍‍ ପ୍ଲାଣ୍ଟ ଉପରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆପତ୍ତି ଉଠାଇଥିବାରୁ ତାହା ବି କାର୍ଯ୍ୟକାରୀ ହୋଇପାରୁନାହିଁ ।

ଆର୍‍ଏସ୍‍ପି ପରିଚାଳନା କର୍ତ୍ତୃପକ୍ଷ ଏହି ପ୍ରସଙ୍ଗକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜ୍ୟ ସରକାରଙ୍କ ନିକଟରେ ଉଠାଇଥିବା ବେଳେ ଇତିମଧ୍ୟରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସମସ୍ତ ସର୍ତ୍ତ ପୂରଣ ସହିତ ଇଏସି ଅନୁମୋଦନ ଅନୁଯାୟୀ କାରଖାନା ପାଇଁ ପରିବେଶ ମଞ୍ଜୁରୀ ଆଣିଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ଆର୍‍ଏସ୍‍ପିରେ ଅନେକଗୁଡ଼ିଏ ଜମି ବିବାଦ ଫଇସଲା ପାଇଁ ପଡ଼ି ରହିଥିବା ବେଳେ ଏହାର ସମାଧାନ ଲାଗି ଇସ୍ପାତ କାରଖାନା କର୍ତ୍ତୃପକ୍ଷ ବାରମ୍ବାର ରାଜ୍ୟ ସରକାରଙ୍କୁ ଏହାର ସମାଧାନ ଲାଗି ଅନୁରୋଧ କରିଆସୁଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020