ଗ୍ରୀଡ୍‍କୋର ବାକି ୮୯୫୯ କୋଟି


ଗ୍ରୀଡ୍‍କୋଠାରୁ ବିଦ୍ୟୁତ୍‍ ଖରିଦ କରି ଉପଭୋକ୍ତାଙ୍କୁ ଦେଉଥିବା ରାଜ୍ୟର ୪ଟି ବିଦ୍ୟୁତ୍‍ ବିତରଣ କମ୍ପାନୀ ଉପରେ ଏବେ ଗ୍ରୀଡ୍‍କୋର ୮୯୫୯ କୋଟି ଟଙ୍କା ବାକି ଗଡ଼ୁଛି । ଏଥିମଧ୍ୟରୁ ୩୬୯୮ କୋଟି ୮୦ ଲକ୍ଷ ଟଙ୍କା କେବଳ ବିଳମ୍ବ ବିଲ୍‍ ପୈଠ ଜନିତ ଜରିମାନା ଅର୍ଥ ।

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗ୍ରୀଡ୍‍କୋ ଓ ବିତରଣ କମ୍ପାନୀମାନଙ୍କଠାରୁ ମିଳିଥିବା ସୂଚନାନୁଯାୟୀ ସେପ୍ଟେମ୍ବର ଶେଷ ସୁଦ୍ଧା ୱେସ୍କୋ, ନେସ୍କୋ, ସାଉଥ୍‍କୋ ଓ ସେସୁଠାରୁ ଗ୍ରୀଡ୍‍କୋର ୮୯୫୯ କୋଟି ୬୩ ଲକ୍ଷ ପାଇବାର ଅଛି । ଏଥିମଧ୍ୟରେ ବିତରଣ କମ୍ପାନୀମାନଙ୍କର ଗ୍ରୀଡ୍‍କୋଠାରୁ କିଣିଥିବା ବିଜୁଳି ଓ ଅନ୍ୟାନ୍ୟ ଋଣ ବାବଦକୁ ଦେୟ ଦେବାର ଅଛି ।

ବାକି ଗଡ଼ାଉଥିବା ୪ଟି ବିତରଣ କମ୍ପାନୀ ମଧ୍ୟରୁ ସର୍ବାଧିକ ଅର୍ଥ ରହିଛି ସେସୁର । ସେସୁ ଗ୍ରୀଡ୍‍କୋକୁ ସର୍ବାଧିକ ୨୮୮୬ କୋଟି ୯୧ ଲକ୍ଷ ଟଙ୍କା ଦେବାକୁ ଥିବା ବେଳେ ୱେସ୍କୋର ୨୫୦୩ କୋଟି ୨୫ ଲକ୍ଷ, ନେସ୍କୋର ୧୮୬୨ କୋଟି ୭୮ ଲକ୍ଷ ଓ ସାଉଥ୍‍କୋର ୧୭୦୬ କୋଟି ୬୯ ଲକ୍ଷ ଟଙ୍କା ବାକି ପଡ଼ିଛି । ତେବେ ବିଳମ୍ବଜନିତ ଦେୟ ବାବଦକୁ ଜରିମାନା ଆକାରରେ ୱେସ୍କୋ ଉପରେ ସର୍ବାଧିକ ୧୩୮୯ କୋଟି ଟଙ୍କା ଗଡ଼ୁଛି ।

ମନ୍ତ୍ରୀଙ୍କ ସୂଚନାନୁଯାୟୀ ବିତରଣ କମ୍ପାନୀମାନେ ଗ୍ରୀଡ୍‍କୋଠାରୁ ଭିନ୍ନ ଭିନ୍ନ ଦରରେ ବିଦ୍ୟୁତ କିଣୁଛନ୍ତି । ୱେସ୍କୋ କର୍ତ୍ତୃପକ୍ଷ ୟୁନିଟ୍‍ ପିଛା ସର୍ବାଧିକ ୩ଟଙ୍କା ୪ ପଇସା ଦରରେ ବିଜୁଳି ଖରିଦ କରୁଥିବା ବେଳେ ନେସ୍କୋ ୨ ଟଙ୍କା ୯୮ ପଇସା, ସେସୁ ୨ ଟଙ୍କା ୬୧ ପଇସା ଓ ସାଉଥ୍‍କୋ ୧ ଟଙ୍କା ୮୬ ପଇସାରେ ବିଦ୍ୟୁତ୍‍ କିଣୁଛନ୍ତି । ଏହି ୪ଟି କମ୍ପାନୀ ହାରାହାରି ଭାବେ ୟୁନିଟ୍‍ ପିଛା ୨୭୦.୪୭ ପଇସାରେ ବିଜୁଳି କିଣିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020