ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ପ୍ରଫେସର ଓ କର୍ମଚାରୀ ମରୁଡ଼ି


ଉତ୍‍କଳ ବିଶ୍ୱବିଦ୍ୟାଳୟରେ ଶତାଧିକ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୬୦୦ରୁ ଅଧିକ ଅଣଶିକ୍ଷକ ପଦବୀ ମଧ୍ୟ ପୂରଣ ହୋଇପାରୁନାହିଁ । ଅନ୍ୟପଟେ ଅର୍ଥାଭାବ କାରଣ ଦର୍ଶାଇ ଶିକ୍ଷକ ଓ ଅଣଶିକ୍ଷକମାନଙ୍କ କ୍ୱାର୍ଟର୍ସ ଏବଂ ଛାତ୍ରାବାସ ଓ ଛାତ୍ରୀ ନିବାସଗୁଡ଼ିକର ମରାମତି ହୋଇପାରୁନଥିବା ବେଳେ ସେଥିରୁ କେତେକ ଭୁଶୁଡ଼ିବା ଅବସ୍ଥାକୁ ଆସିଲାଣି । ଅଥଚ ବିଶ୍ୱବିଦ୍ୟାଳୟର ଏହି ମୌଳିକ ସମସ୍ୟା ସମାଧାନକୁ ଗୌଣ କରାଯାଇ ୭୫ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ କୋଟିଏ ଟଙ୍କା ଖର୍ଚ୍ଚ ହେବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଥିଘେନି ଛାତ୍ରଛାତ୍ରୀ ତଥା କର୍ମଚାରୀ ମହଲରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ସରକାରୀ ହିସାବ ମୁତାବକ ଉତ୍‍କଳ ବିଶ୍ୱବିଦ୍ୟାଳୟ ଲାଗି ୪୭ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବା ବେଳେ ସେଥିରୁ ୩୧ଟି ଖାଲି । ସେହିପରି ଏହି ବିଶ୍ୱବିଦ୍ୟାଳୟ ଲାଗି ୭୬ଟି ସହଯୋଗୀ ପ୍ରଫେସର ପଦବୀ ଥିବା ବେଳେ ସେଥିରୁ ବି ୪୨ଟି ଖାଲିପଡ଼ିଛି । ବିଶ୍ୱବିଦ୍ୟାଳୟର ୧୩୪ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀ ମଧ୍ୟରୁ ତେବେ ୪୭ଟି ଖାଲି ଅଛି ।

ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଉତ୍‍କଳ ବିଶ୍ୱବିଦ୍ୟାଳୟରେ ୨୮ଟି ପ୍ରଫେସର, ୩୮ଟି ସହଯୋଗୀ ପ୍ରଫେସର ଓ ୪୨ଟି ସହକାରୀ ପ୍ରଫେସର ପଦବୀ ଖାଲିଥିଲା । ବର୍ଷକ ମଧ୍ୟରେ ଖାଲି ପଦବୀ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ି ଚାଲିଛି । ଏଥିଯୋଗୁ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟ ଗୁରୁତର ଭାବେ ବ୍ୟାହାତ ହେଉଛି ।

ସେହିପରି ଉତ୍‍କଳ ବିଶ୍ୱବିଦ୍ୟାଳୟ ଲାଗି ହଜାରେଟି ମଞ୍ଜୁରପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ଏଥିରୁ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ୫୫୭ଟି ଖାଲି ପଡ଼ିଥିଲା । ଏବେ ଖାଲି ପଦବୀ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ି ବଢ଼ି ୬୧୩ଟିରେ ପହଞ୍ଚିଛି । ଗୋଟିଏ ପଟେ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁଣାତ୍ମକ ତଥା ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା କଥା କହୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟର ଏକମାତ୍ର ଏ ପ୍ଲସ୍‍ ନ୍ୟାକ୍‍ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ମରୁଡ଼ି ଉତ୍‍କଟ ସ୍ଥିତିରେ ପହଞ୍ଚିଥିବା ବେଳେ ମୂଳ ସମସ୍ୟାର ସମାଧାନ ହୋଇପାରୁନାହିଁ ।

ବିଶ୍ୱବିଦ୍ୟାଳୟ ପରିସରରେ ଥିବା କ୍ୱାର୍ଟର୍ସଗୁଡ଼ିକ ମଧ୍ୟରୁ ଅଧିକାଂଶ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛନ୍ତି । କେତେବେଳେ କେଉଁ କ୍ୱାର୍ଟର୍ର୍ସ ଭୁଶୁଡ଼ି କାହାର ଜୀବନ ଯିବ କହି ହେଉନାହିଁ । ଅଳ୍ପ କେତୋଟି ମୁଖ୍ୟ ରାସ୍ତାକୁ ଛାଡ଼ିଦେଲେ ପରିସରର ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି । ଅନେକ ସ୍ଥାନରେ ଷ୍ଟ୍ରିଟ୍‍ ଲାଇଟ୍‍ ନାହିଁ । ଏମିତିକି ଛାତ୍ରାବାସ ଓ ଛାତ୍ରୀ ନିବାସଗୁଡ଼ିକର ଅବସ୍ଥା ବେଶ୍‍ ସାଙ୍ଘାତିକ । ଟୋପାଏ ଶୁଦ୍ଧ ପାନୀୟ ଜଳ ପାଇଁ ଏଠାରେ ଛାତ୍ରୀମାନଙ୍କୁ କୁଳପତିଙ୍କ ଦପ୍ତର ଘେରାଉ କରିବାକୁ ପଡ଼ୁଛି । ଛାତ୍ରାବାସରେ ଏବେ ବି ଅନେକ ଅଣଛାତ୍ର ଆଡ୍ଡା ଜମାଇ ରହୁଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ଏମାନଙ୍କ ଦୌରାତ୍ମ୍ୟ ଯୋଗୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଛି ।

ବିଶ୍ୱବିଦ୍ୟାଳୟର ସ୍ଥିତି ଏଭଳି ଥିବା ବେଳେ ନିକଟରେ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚରେ ବାପୁଙ୍କ ମୂର୍ତ୍ତି ସହିତ ଅହିଂସା ସ୍ଥଳ ନାମରେ ପିଣ୍ଡି ନିର୍ମାଣ କରାଯାଇଛି । କିନ୍ତୁ ଅସମ୍ପୂର୍ଣ୍ଣ କାମ ଓ ରକ୍ଷଣାବେକ୍ଷଣ ଅଭାବରୁ ଏହାର ସ୍ଥିତି ବି ସେତେ ଭଲ ନୁହେଁ । ଏଣେ ବିଶ୍ୱବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଉତ୍ସବ ଧୁମ୍‍ଧାମ୍‍ରେ ପାଳନ କରିବା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହେବ ବୋଲି ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ସହ ବିଶ୍ୱବିଦ୍ୟାଳୟର କୋଠାବାଡ଼ି ଓ ରାସ୍ତାଘାଟର ସଂରକ୍ଷଣ, ବିଶ୍ୱବିଦ୍ୟାଳୟ ଭିତରୁ ଜବରଦଖଲ ଓ ବସ୍ତି ଉଚ୍ଛଦ, ଛାତ୍ରାବାସଗୁଡ଼ିକୁ ଅଣଛାତ୍ରଙ୍କ କବଳରୁ ମୁକ୍ତ କରିବା ଆଦି ସମସ୍ୟାକୁ ପ୍ରାଥମିକତା ଦେବା ପାଇଁ ଉଭୟ ଛାତ୍ରଛାତ୍ରୀ ଓ କର୍ମଚାରୀ ମହଲରୁ ଦାବି ହେଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019