ଯାଞ୍ଚ ଅବଧି ବଢ଼ିଲା

ଭୋଟରମାନଙ୍କ ସୁବିଧା ନିମନ୍ତେ ରାଜ୍ୟରେ ଚାଲୁ ରହିଥିବା ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମର ଅବଧିକୁ ଭାରତର ନିର୍ବାଚନ କମିଶନ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ସୁଦ୍ଧା ମୋଟ ୪,୮୫,୨୪୧ ଗୋଟି ଅର୍ଥାତ୍‌ ଶତକଡ଼ା ୯୦.୭୭୭ ପ୍ରତିଶତ ଫର୍ମ ସଂଗ୍ରହ କରାଯାଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଭଲ କାର୍ଯ୍ୟକରିଥିବା ଜିଲ୍ଲାପାଳମାନଙ୍କୁ ଶ୍ରୀ ଲୋହାନୀ ପ୍ରଶଂସା କରିବା ସହ ୨୦୧୯ ନଭେମ୍ବର ୩୦ ସୁଦ୍ଧା ଶତପ୍ରତିଶତ ଆବଶ୍ୟକ ଫର୍ମ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଭୋଟରମାନେ ମଧ୍ୟ ନିର୍ବାଚନ କମିଶନଙ୍କ ୱବ୍‌ସାଇଟ୍‌ www.nvsp.in କୁ ଯାଇ ନିଜେ ନିଜେ ସେମାନଙ୍କର ଭୋଟର ତାଲିକା ଦେଖିବା ସହ ତ୍ରୁଟି ଥିଲେ ଆବଶ୍ୟକ ସଂଶୋଧନ କରିପାରିବେ ।

ଏତଦ୍‌ବ୍ୟତୀତ ସବୁ ଉପଖଣ୍ଡ ଅଧୀନରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ର, ଜନସେବାକେନ୍ଦ୍ର, ବି.ଏଲ୍‌.ଓ କିମ୍ବା ୧୯୫୦କୁ ଫୋନ୍‌ କରି ଭୋଟର ତାଲିକାର ଯାଞ୍ଚ କାର୍ଯ୍ୟକ୍ରମ ସଂପର୍କରେ ଜାଣିପାରିବେ ଓ ଆବଶ୍ୟକ ସଂଶୋଧନ କରାଇପାରିବେ । ଏହାପରେ ଆସନ୍ତା ୨୦୧୯ ଡିସେମ୍ବର ୧୬ ତାରିଖରେ ଡ୍ରାଫଟ୍‌ ଭୋଟର ତାଲିକା ପ୍ରକାଶ ପାଇବ ।

ଏ ସଂପର୍କିତ ଦାବି ଓ ଆପତ୍ତି ଆସନ୍ତା ୨୦୧୯ ଡିସେମ୍ବର ୧୬ରୁ ୨୦୨୦ ଜାନୁଆରୀ ୧୫ ତାରିଖ ମଧ୍ୟରେ ଗ୍ରହଡ କରାଯିବ । ୨୦୨୦ ଜାନୁଆରୀ ୨୭ ତାରିଖରେ ଦାବି ଓ ଆପତ୍ତିର ଫଇସଲା କରାଯାଇ ୨୦୨୦ ଫେବୃଆରୀ ୭ ତାରିଖ(ଶୁକ୍ରବାର) ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଜଣାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ଓ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ନୀତି ରଞ୍ଜନ ସେନ୍‌, ଇଞ୍ଜିନିୟର ଇଦି୍ରଶ୍‌ ଖାନ୍‌ଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020