ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ବିଧାନସଭାରେ ମହତ୍ମା ଝଡ


ବିଧାନସଭାର ଶୂନ୍ୟକାଳରେ ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଝଡ ଉଠିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦ୍ୱାର ପ୍ରସ୍ତୁତ ବ୍ରୋଚରରେ ମହାତ୍ମାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କିଭଳି ଛପାହେଲା ତାହାକୁ ନେଇ ସଦସ୍ୟମାନେ ପ୍ରଶ୍ନ କରିବା ସହିତ ବିରୋଧି ସଦସ୍ୟମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଥିଲେ ।

ଶୂନ୍ୟକାଳରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଯେ ଓଡିଶାରେ ଶାସନ କରୁଥିବା ଦଳ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ପ୍ରତିଷ୍ଠା ହୋଇଛି । ରାଜ୍ୟ ସରକାର ବି ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପୂରଣ କରୁଛନ୍ତି । ହେଲେ ସରକାର ଛପାଇଥିବା ବ୍ରୋଚରରେ ଗାନ୍ଧୀ ମୃତ୍ୟୁ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ।

ଶ୍ରୀ ମିଶ୍ର କହିଥିଲେ ଯେ ନିର୍ବାଚନ ପରେ ବିଜଡି ବଦଳି ଯାଇଛି । ବିଜେପି-ବିଜେଡି ଏବେ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ହୋଇଛନ୍ତି । ବିଜେପି ହାତରେ ବିଜେଡି ଗୋଟିଏ ରାଜ୍ୟସଭା ଆସନ ଟେକିଦେଲା । ବିଜେପିର କିଛି ନେତା ଗାନ୍ଧୀ ହତ୍ୟାକାରୀ ନାଥୁରାମକୁ ଭଗବାନ ବୋଲି ବିଚାରୁଥିବାବେଳେ ବିଜେଡିକୁ ତାହା ଭଲ ଲାଗୁଛି ।

ଏଭଳି ଘଟଣାପାଇଁ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଦାୟୀ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଜାଣିଶୁଣି ଏଭଳି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଆବଶ୍ୟକ ବୋଲି ଶ୍ରୀ ମିଶ୍ର କହିଥିଲେ । ସେ କହିଥିଲେ ଯେ ସାରା ବିଶ୍ୱ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବାବେଳେ କେନ୍ଦ୍ର ସରକାର ୧୫୦ତମ ଜନ୍ମଜୟନ୍ତୀ ପାଳନ କରୁଛନ୍ତି । ହେଲେ ବିଜେପି କିନ୍ତୁ ଗଡ୍‍ସେ ଗୋଷ୍ଠି ଦ୍ୱାରା ପ୍ରଭାବିତ । ତେଣୁ ଏଭଳି ବ୍ରୋଚରକୁ ବ୍ୟାନ୍‍ କରାଯାଉ ।

ବିଜେଡି ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଲେ ଯେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ବିଧାନସଭା ଉଠୁଥିବା ପଡୁଥିବାବେଳେ ଗାନ୍ଧୀ ମୃତ୍ୟୁ କଥା ଉଠୁନାହିଁ । ବିଜେପି ଭାଇମାନେ କହିବେ ବି ଗାନ୍ଧୀଙ୍କ ମୃତ୍ୟୁ କେଉଁ ଦୁର୍ଘଟଣାରେ ହୋଇଥିଲା ? ଏଭଳି ଅପପ୍ରଚାରକୁ ଇତିହାସଲ କ୍ୟାପସୁଲ ବୋଲି କୁହାଯାଏ । ଏହା ହେଉଛି ଇତିହାସର ପୁନଃ ଲିଖିନ ପାଇଁ ଚାଲିଥିବା ଷଡଯନ୍ତ୍ରର ଏକ ଅଂଶ ବିଶେଷ । କିଛି ଲୋକ ଗାନ୍ଧୀ ମୃତ୍ୟୁ ବିଷୟରେ ଭୁଲ୍‍ ତଥ୍ୟ ଦେଇ ଷଣ୍ଢ ପୂରାଉଥିବା ସେ କହିଥିଲେ । ଶ୍ରୀ ପଟ୍ଟନାୟକ କହିଲେ ଯେ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ଦରକାର । ଆମର ନାତି ନାତୁଣି ମାନେ ଭୁଲ୍‍ ଇତିହାସ ପଢିବେ ଓ ଆମକୁ କେବେ ହେଲେ କ୍ଷମା କରିବେନାହିଁ ।

ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା କହିଥିଲେ ଯେ ଅନେକ ସମୟରେ ମୁଦ୍ରଣ ଜନିତ ତ୍ରୁଟି ପରିଲକ୍ଷିତ ହୋଇଥାଏ । ଏଭଳି ନିନ୍ଦା ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିବା ପୂର୍ବରୁ ସ୍ପଷ୍ଟିକରଣ ପାଇଁ ସୁଯୋଗ ଦିଆଯାଉ । କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ସତ୍ୟ ଅହିଂସାର ପୂଜାରୀଙ୍କ ନାଁରେ କିଛି ଲୋକ ଅସତ୍ୟ ପ୍ରଚାର ଚଳାଇଛନ୍ତି । ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ ଯେ ରାଜ୍ୟ ସରକାର ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରିନାହାନ୍ତି । ଏହି ଘଟଣାର ପରୀକ୍ଷା କରାଯାଉ । ନିର୍ଦ୍ଦିଷ୍ଟ ପ୍ରମାଣ ନଥିଲେ କାହାକୁ ନିନ୍ଦା କରିବା ଉଚିତ୍‍ ନୁହେଁ ।

ସଦସ୍ୟମାନଙ୍କ ଉଦ୍‍ବେଗକୁ ଲକ୍ଷ୍ୟକରି ଆସନ୍ତକାଲି ସରକାର ଗୃହରେ ଏହା ଉପରେ ମତ ରଖିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019