ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ବିଜେପି ସଦସ୍ୟଙ୍କ ପ୍ରତିବାଦ


ବିଧାନସଭାରେ ଆଜି ବିଜେପି ସଦସ୍ୟମାନେ ମୁହଁରେ କଳାପାଟି ବାନ୍ଧିବା ସହିତ ପୋଷାକ ଉପରେ କଳା ଉତ୍ତରୀୟ ପ୍ରକାଶ ପ୍ରତିବାଦ କରିଥିଲେ । ପ୍ରଥମେ ସଦସ୍ୟମାନେ ଏଭଳି ବେଶରେ ପ୍ରଶ୍ନକାଳରେ ଛିଡାହୋଇ ରହିଥିବାବେଳେ ପରେ ଅବଶ୍ୟକ ନିଜ ନିଜ ଆସନରେ ବସିବା ସହିତ ମୁହଁରୁ ପଟି ଖୋଲିଥିଲେ ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟମାନେ ନିଜ ନିଜ ଆସନରେ ଛିଡାହୋଇ ରହିଥିଲେ । ଏହି ସମୟରେ ସେମାନେ କଳା ଉତ୍ତରୀୟ ପକାଇବା ସହିତ ନିଜ ନିଜ ମୁହଁକୁ କଳାକପଡାରେ ଢାଙ୍କି ରଖିଥିଲେ । ଗତକାଲି ବିଧାନସଭାରେ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନାର ସୁଯୋଗ ନପାଇ ସଦସ୍ୟମାନେ ଏଭଳି ପ୍ରତିବାଦ କରିଥିଲେ ।

ତେବେ ସଦସ୍ୟମାନେ ବିଧାନସଭାରେ ଛିଡାହୋଇ ରହିଥିବାବେଳେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଜେପି ସଦସ୍ୟମାନଙ୍କୁ ନିଜ ନିଜ ଆସନରେ ବସିବା ସହିତ ଗୃହ କାର୍ଯ୍ୟରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏହାପରେ ବିଜପି ସଦସ୍ୟମାନେ ନିଜ ନିଜ ଆସନରେ ବସିଯାଇଥିଲେ ।

ପରେ ବିଜେପିର ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି ରଖିଥିବା ଦେଖି ବାଚସ୍ପତି ସେମାନଙ୍କୁ ଗୃହର ମର୍ଯ୍ୟାଦା ଦୃଷ୍ଟିରୁ ଏହା ଖୋଲିଦେବା ସହିତ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବାପାଇଁ ଅନୁରୋଧ କରିଥିଲେ । ବିରୋଧିଦଳ ନେତାଙ୍କ ସମେତ ବିଜେପିର ଅନ୍ୟ ସଦସ୍ୟମାନେ ପଟି ଖୋଲିବା ସହିତ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019