ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ନେଟ୍‍ ସଂଯୋଗ ପାଇଁ ଅନୁରୋଧ


ଓଡ଼ିଶାରେ ଇଣ୍ଟରନେଟ୍‍ ସେବା ଦୁର୍ବଳ ଅବସ୍ଥାରେ ଥିବା ବେଳେ ନକ୍ସଲ ଉପଦ୍ରୁତ ଅଞ୍ଚଳଗୁଡ଼ିକରେ ଅଗ୍ରାଧିକାର ଭିତ୍ତିରେ ନେଟ୍‍ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନକ୍ସଲ ଉପଦ୍ରୁତ ଅଞ୍ଚଳଗୁଡ଼ିକୁ ଇଣ୍ଟରନେଟ୍‍ ସେବା ଯୋଗାଣ ଲାଗି ଅଗ୍ରାଧିକାର ତାଲିକାରେ ରଖିଥିବା ବେଳେ ରାଜ୍ୟ ସରକାର ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ୧୦ହଜାର ଗାଁରେ ମୋବାଇଲ୍‍ ସୁବିଧା ନ ଥିବା ବେଳେ ଏଠାରେ ଲୋକେ ଡିଜିଟାଲ ସେବା ପାଇପାରୁନାହାନ୍ତି । ନକ୍ସଲ ଅଞ୍ଚଳ ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଏବଂ କନ୍ଧମାଳରେ ଇଣ୍ଟରନେଟ୍‍ ସେବା ଅତ୍ୟନ୍ତ ଦୁର୍ବଳ ।

ରାଜ୍ୟରେ ପ୍ରତି ୧୦୦ରୁ ୨୮.୨୨ ଜଣଙ୍କ ନିକଟରେ ଇଣ୍ଟରନେଟ୍‍ ଥିବା ବେଳେ ଜାତୀୟ ସ୍ତରରେ ଏହି ହାର ୩୮.୦୨ ରହିଥିବା ଟ୍ରାଇର ସର୍ବଶେଷ ରିପୋର୍ଟରୁ ଜଣାପଡ଼ିଛି । ଉପରୋକ୍ତ ୬ଟି ଜିଲ୍ଲାରେ ହାରାହାରି ଭାବେ ମୋବାଇଲ୍‍ ସଂଯୋଗ ଅତି ଦୁର୍ବଳ ସ୍ଥିତିରେ ରହିଛି । ରାଜ୍ୟ ସରକାର ଏହି ପ୍ରସଙ୍ଗକୁ କେନ୍ଦ୍ର ଅର୍ଥ ଓ ଯୋଗାଯୋଗ ମନ୍ତ୍ରାଳୟ ନିକଟରେ ଉଠାଇଛନ୍ତି । ଉଭୟ ମନ୍ତ୍ରାଳୟ ଅଧିକରୁ ଅଧିକ ଅଞ୍ଚଳକୁ ଇଣ୍ଟରନେଟ୍‍ ସେବା ଯୋଗାଇବା ପାଇଁ ଅର୍ଥ ବ୍ୟବସ୍ଥା କରୁଛନ୍ତି ।

ମୋବାଇଲ୍‍ ଟାୱାର ସ୍ଥାପନ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ବେଳେ ପୂର୍ବରୁ ସ୍ଥାପନ ହୋଇଥିବା ୨୫୩ଟି ଟାୱାରରେ ସର୍ବଶେଷ ଜ୍ଞାନକୌଶଳ ଲଗାଇବା ଆବଶ୍ୟକ ହୋଇପଡ଼ିଛି । ଏହାଦ୍ୱାରା ଏଠାରେ ଡାଟା ସ୍ପିଡ୍‍ ଅଧିକ ହୋଇପାରିବ । ଯୋଗାଯୋଗ ବ୍ୟବସ୍ଥା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଗୁରୁତ୍ୱ ଦେଉଥିବା ବେଳେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆନଯିବା ଫଳରେ ପଞ୍ଚାୟତସ୍ତରରେ ଦ୍ରୁତଗାମୀ ବ୍ରଡ୍‍ବ୍ୟାଣ୍ଡ ସେବା ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଛି ଯାହାକି ଅନ୍ୟ ରାଜ୍ୟ ତୁଳନାରେ ଢେର୍‍ ପଛରେ ରହିଛି ।

ରାଜ୍ୟରେ ଥିବା ୬୭୯୮ଟି ପଞ୍ଚାୟତ ମଧ୍ୟରୁ ଭାରତ ନେଟ୍‍ ଫେଜ୍‍-୧ରେ ୩୦୦୩ଟି ପଞ୍ଚାୟତକୁ ଇଣ୍ଟରନେଟ୍‍ ସଂଯୋଗ ଦିଆଯାଇଛି । କିନ୍ତୁ ଏହି ପର୍ଯ୍ୟାୟରେ ୩୮୬୦ ପଞ୍ଚାୟତକୁ ନେଟ୍‍ ସଂଯୋଗ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଇଣ୍ଟରନେଟ୍‍ ସଂଯୋଗ ପରେ କ୍ଷେତ୍ରସ୍ତରୀୟ ଅନୁଧ୍ୟାନରୁ ଜଣାଯାଇଛି ଯେ ଏଥିମଧ୍ୟରୁ ମାତ୍ର ୧୨୦ଟି ସଂଯୋଗ କାର୍ଯ୍ୟ କରୁଛି ।

ଭାରତ ନେଟ୍‍ର ଫେଜ୍‍-୨ରେ ୨୮୯୩ଟି ଗ୍ରାମ ପଞ୍ଚାୟତକୁ ଲାଇନିଅର୍‍ ଅପ୍ଟିକାଲ ଫାଇବର୍‍ ଜରିଆରେ ସଂଯୋଗ ଦିଆଯାଉଛି । ଏଡି କେବୁଲ୍‍ଗୁଡ଼ିକ ବିଭିନ୍ନ ସ୍ଥାନରେ ସଡ଼କ ନିର୍ମାଣ ଓ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଯୋଗୁ ବାରମ୍ବାର କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଫଳରେ ନକ୍ସଲ ଉପଦ୍ରୁତ ଅଞ୍ଚଳଗୁଡ଼ିକର ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।

ପୂର୍ବରୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା ବେଳେ ଭାରତ ନେଟ୍‍ ଫେଜ୍‍-୨ କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟଠାରୁ ଅନୁମତି ଅପେକ୍ଷାରେ ରହିଛି । ରାଜ୍ୟ ସରକାର କହିଛନ୍ତି ଯେ ଇଣ୍ଟରନେଟ୍‍ ସଂଯୋଗ ଓ ଆର୍ଥିକ ପ୍ରଗତି ପରସ୍ପର ଜଡ଼ିତ ହୋଇଥିବା କେନ୍ଦ୍ର ସରକାର ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । କେନ୍ଦ୍ର ସରକାର ଉଭୟକୁ ବିଚାରକୁ ନେଲେ ଡିଜିଟାଲ ଇଣ୍ଡିଆ ଅଧିକ ସକ୍ରିୟ ହେବା ସହିତ ଅର୍ଥନୈତିକ ପ୍ରଗତି ମଧ୍ୟ ଧାର୍ଯ୍ୟ ସମୟରେ ପୂରଣ ହୋଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019