ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ପୁରୀରେ ଦ୍ୱିତୀୟ ବିମ୍ସଟେକ

ଆସନ୍ତା ବର୍ଷ ଫେବୃଆରୀ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ବିମ୍ସଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ-୨୦୨୦’ ପୁରୀ ଠାରେ ଅନୁଷ୍ଠିତହେବ ।ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି ।ଏହି ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ ଏବଂ ମୁଖ୍ୟ ଅଭ୍ୟାସ ପାଇଁ କ୍ଷେତ୍ରୀୟ ତାଲିମ ଅଭ୍ୟାସ ସ୍ଥାନ ଚୟନ କରାଯିବ ।

ନୋଡାଲ ଏଜେନ୍ସି ଭାବେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଦ୍ୱାରାଏହି ଅଭ୍ୟାସ ଆୟୋଜନ କରାଯାଉଛି । ଏହି ଅଭ୍ୟାସର ବିଷୟବସ୍ତୁ- “ଭୂମିକମ୍ପ ଦ୍ୱାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଥିବା ସାଂସ୍କୃତିକ ଐତିହ୍ୟସ୍ଥଳୀର ସୁରକ୍ଷା ଏବଂ ବନ୍ୟା ଓ ଝଡ଼ ଦ୍ୱାରା ପ୍ରଭାବିତ ସାଂସ୍କୃତିକ ଐତିହ୍ୟସ୍ଥଳୀର ସୁରକ୍ଷା” ରଖାଯାଇଛି ।

ଏଥି ନିମନ୍ତେ ପୁରୀରେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ବହୁପକ୍ଷୀୟ ବୈଷୟିକ ଓ ଆର୍ଥିକ ସହଯୋଗ ପାଇଁ ଦ୍ୱିତୀୟ ବଙ୍ଗୋପସାଗର ଉପକ୍ରମ (ବିମ୍ସଟେକ ଡିମଇଏକ୍ସ-୨୦୨୦) ଅଭ୍ୟାସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପ୍ରସ୍ତୁତି ବୈଠକର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନଡିଏମଏ)ର ସଦସ୍ୟ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ ଏନ ସିମାରୱା ଯୋଗ ଦେଇଥିଲେ ।

ବିମ୍ସଟେକ ଡିଏମଇଏକ୍ସ-୨୦୨୦ର ଅଭ୍ୟାସର ପ୍ରକ୍ରିୟା ଓ ଆବଶ୍ୟକତା ଉପରେ ଏହି ପ୍ରସ୍ତୁତି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସାଂସ୍କୃତିକ ଐତିହ୍ୟସ୍ଥଳୀରେ ବଡ଼ ଭୂମିକମ୍ପ ଏବଂ ଝଡ଼ କିମ୍ବା ବନ୍ୟା ଆସିବା ଦ୍ୱାରା ଦେଖାଦେଉଥିବା ଜରୁରି ପରିସ୍ଥିତିର ସମନ୍ୱିତ ଢଙ୍ଗରେ ମୁକାବିଲା ଲାଗି ପ୍ରସ୍ତୁତି ଓ ପ୍ରଶମନକୁ ଅନୁଧ୍ୟାନ କରିବା ପ୍ରତି ବିମ୍ସଟେକ ଡିଏମଇଏକ୍ସରେ ମୁଖ୍ୟତଃ ଗୁରୁତ୍ୱାରୋପ କରାଯିବ ।

ସୂଚନାଯୋଗ୍ୟ ଯେ ଚତୁର୍ଥ ବିମ୍ସଟେକ ଶିଖର ସମ୍ମିଳନୀ ଅଗଷ୍ଟ, ୨୦୧୮ରେ କାଠମାଣ୍ଡୁ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯-୨୦ରେ ଭାରତରେ ଦ୍ୱିତୀୟ ବିମ୍ସଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ ଏବଂ ବିମ୍ସଟେକ ରାଷ୍ଟ୍ରଗୁଡ଼ିକର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ/ବାହିନୀଗୁଡ଼ିକର ବିଶେଷଜ୍ଞ ଗୋଷ୍ଠୀ ବୈଠକ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ ।


ମୁଖ୍ୟ ଅତିଥି କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ସାମୁଦ୍ରିକ ଝଡ଼ର ଆଶଙ୍କା ୩୦% ବୃଦ୍ଧି ପାଇଛି ଏବଂ ସାଂସ୍କୃତିକ ଐତିହ୍ୟ ସ୍ଥଳୀ ଗୁଡ଼ିକ ବ୍ୟାପକଭାବେ କ୍ଷତିଗ୍ରସ୍ତ ହୋଇଛି । ଜଳବାୟୁରେ ନିୟମିତ ପରିବର୍ତନ ତଥା ଐତିହ୍ୟସ୍ଥଳୀଉପରେ ଏହାର ପ୍ରଭାବ ଉପରେ ସେ ରେଖାପାତ କରିବା ସହିତ ଏସବୁ ଐତିହ୍ୟସ୍ଥଳୀର ସୁରକ୍ଷା ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଗତ ୨୦ ବର୍ଷ ମଧ୍ୟରେ ଭାରତରେ ବିପର୍ଯ୍ୟୟ ପ୍ରଶମନ ଏବଂ ବିପର୍ଯ୍ୟୟ ବିପତି ହ୍ରାସ ଦିଗରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ । ବାତ୍ୟାର ବେଗ, ମାର୍ଗ, ତୀବ୍ରତା ଓ ପ୍ରଭାବ ସମ୍ପର୍କରେ ଆଗୁଆ ଏବଂ ସଠିକ ସୂଚନା ପ୍ରସାର କରିବାଲାଗି ସେ ଭାରତୀୟ ପାଣିପାଗ ବିଭାଗକୁ ପ୍ରଶଂସା କରିଥିଲେ । ସେହିପରି ବିପର୍ଯ୍ୟୟ ସମୟରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ପ୍ରଭାବିତ କ୍ଷେତ୍ରରେ ତୁରନ୍ତ ଉଦ୍ଧାର ଓ ଥଇଥାନ କ୍ଷେତ୍ରରେ ନିୟୋଜିତ ହେବା ଏବଂ ସମସ୍ତ ଅଂଶୀଦାର ତଥା ଏଜେନ୍ସି ମଧ୍ୟରେ ରହିଥିବା ସମନ୍ୱୟକୁ ମଧ୍ୟ ସେ ପ୍ରଶଂସା କରିଥିଲେ ।

୧୯୯୯ ମହାବାତ୍ୟା ଏବଂ ୨୦୧୩ ଫାଇଲିନ ବାତ୍ୟା କ୍ଷୟକ୍ଷତିକୁ ତୁଳନା କରି ଶ୍ରୀ ଜେନା କହିଥିଲେ ଯେ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଆମେ ଏବେ ପ୍ରଯୁକ୍ତି, ସରଞ୍ଜାମ, ଲୋକବଳ ଓ ସମ୍ବଳ ଦୃଷ୍ଟିରୁ ଭଲ ଭାବେ ସୁସଜ୍ଜିତ ଏବଂ ପ୍ରସ୍ତୁତ । ସେକହିଥିଲେ ଯେ ପ୍ରଥମ ରାଜ୍ୟଭାବେ ଓଡ଼ିଶା ନିଜସ୍ୱ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସଡମା), ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବାହିନୀ (ଓଡ୍ରାଫ) ଓ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ (ଡିଡିଏମଏ) ପ୍ରତିଷ୍ଠା କରିଛି ।

ସ୍ୱାଗତ ଭାଷଣ ଦେଇ ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ ମହିଥିଲେ ଯେ ଦୁଇ ଦିନିଆ ପ୍ରସ୍ତୁତି ବୈଠକରେ ‘ଦ୍ୱିତୀୟ ବିମ୍ସଟେକ ବିପର୍ଯ୍ୟୟ ପ୍ରଶମନ ଅଭ୍ୟାସ-୨୦୨୦’ର ପ୍ରକ୍ରିୟା ଏବଂ ଆବଶ୍ୟକତା ଚୂଡ଼ାନ୍ତ କରାଯିବ ।

ଏହି ପ୍ରସ୍ତୁତି ବୈଠକରେ ବିମ୍ସଟେକ ସଚିବାଳୟର ନିର୍ଦ୍ଦେଶକ ପଙ୍କଜ ହଜାରିକା, ଭାରତୀୟ ଜାତୀୟ କଳା ଓ ସାଂସ୍କୃତିକ ଐତିହ୍ୟ (ଇନଟାକ)ଟ୍ରଷ୍ଟ, ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଏବଂ ଡୋର୍ସର ପ୍ରତିନିଧିମାନେ ଯୋଗ ଦେଇ ସେମାନଙ୍କ ମତ ଉପସ୍ଥାପନ କରିଥିଲେ ।

ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଏନଡିଏମଏ, ଏନଡିଆରଏଫର ବରିଷ୍ଠ ଅଧିକାରୀଙ୍କ ସମେତ ବାଂଲାଦେଶ, ଭୂଟାନ, ଭାରତ, ନେପାଳ, ଶ୍ରୀଲଙ୍କା, ମ୍ୟାଁମାର ଓ ଥାଇଲାଣ୍ଡ ଆଦି ୭ଟି ବିମ୍ସଟେକ ରାଷ୍ଟ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019