ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ମାଛଧରା କଟକଣା


ଅଲିଭ ରିଡ୍‍ଲେ କଇଁଛମାନଙ୍କ ସୁରକ୍ଷା ପାଇଁ ଚଳିତ ମାସ ପହିଲାରୁ ଆସନ୍ତା ବର୍ଷ ମଇ ୩୧ ତାରିଖ ପର୍ଯ୍ୟନ୍ତ ଧାମରା, ଋଷିକୂଲ୍ୟା ଓ ଦେବୀ ନଦୀ ମୁହାଣ ନିକଟରେ ଉପକୂଳରୁ ୨୦କିଲୋମିଟର ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳରେ ମାଛମରାକୁ ନିଷେଧ କରାଯାଇଛି । ଏହି ସମୟରେ କୌଣସି ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛ ମରାଯାଇ ପାରିବନାହିଁ ।

ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ କଇଁଛମାନଙ୍କ ସୁରକ୍ଷା ସଂକ୍ରାନ୍ତରେ ସବିଶେଷ ଆଲୋଚନା ହୋଇଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏହି କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିଣତ ପାଇଁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ଗୃହ ଏବଂ ତଟ ସୁରକ୍ଷା ବାହିନୀ ଆଦି ପରସ୍ପର ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବାକୁ ମୁଖ୍ୟ ସଚିବ କହିଥିବାବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡିଆରଡିଓ ଏବଂ ଉପକୂଳବର୍ତ୍ତୀ ୩ଟି ବନ୍ଦର କର୍ତ୍ତୃପକ୍ଷ ନିୟମକୁ କଡାକଡି ପାଳନ ସହିତ ରାତ୍ରୀ ସମୟରେ ତୀବ୍ର ଆଲୋକ ରଶ୍ମି ଅବନତ ନକରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପିସିସିଏଫ୍‍ ସନ୍ଦୀପ ତ୍ରିପାଠୀ କଇଁଛ ସଂରକ୍ଷଣ ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଓ ଆଇନ୍‍ଗତ ଦିଗ ଉପରେ ଆଲୋକପାତ କରିଥିଲେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ମାଛଧରା କଟକଣା ଯୋଗୁଁ ପ୍ରଭାବିତ ହେବାକୁ ଥିବା ୮୦୦୦ ମତ୍ସ୍ୟଜୀବୀ ପରିବାରକୁ ୭୫୦୦ ଟଙ୍କା ଲେଖାଁଏ ସହାୟତା ଦିଆଯିବ । ଚଳିତବର୍ଷ ୬୧ଟି ଅନ୍‍-ସୋର ଏବଂ ୫ଟି ଅଫ୍‍-ସୋର ପେଟ୍ରୋଲିଂ କ୍ୟାମ୍ପ କରାଯିବ । ଏପିଆର, ପୁଲିସ୍‍, ତଟରକ୍ଷୀ ବାହିନୀ, ପେଟ୍ରୋଲିଂ ଜାହାଜ ଏବଂ ଉପକୂଳ ଥାନା ମଧ୍ୟରେ ସୂଚନା ଆଦାନ ପ୍ରଦାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ।

ସ୍ଥାନୀୟ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ପରିବେଶପ୍ରେମୀମାନଙ୍କୁ ଏଥିରେ ସାମିଲ କରି ଉପକୂଳରେ ଅଲିଭ ରିଡ୍‍ଲେ ଅଣ୍ଡାର ସୁରକ୍ଷା କରିବା ଏବଂ ଛୁଆ ଫୁଟିବା ପରେ ସେମାନଙ୍କୁ ସୁରକ୍ଷା ଭାବେ ସମୁଦ୍ରକୁ ଛାଡିବା କାର୍ଯ୍ୟ କରାଯିବ ।

ଲୋକସେବା ଭବନଠାରେ ଆୟୋଜିତ ବୈଠକରେ  ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରଧାନ ମୁଖ୍ୟ ସଂରକ୍ଷକ (ବନ୍ୟଜନ୍ତୁ) ହରି ଶଙ୍କର ଉପାଧ୍ୟାୟ, ବିଶେଷଜ୍ଞ ପ୍ରିୟମ୍ବଦା ମହାନ୍ତି, ତଟ ସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଆଦି ଯୋଗ ଦେଇଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020