ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

୨ ମାସରେ କୋଟିଏ ଜରିମାନା

ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ଆଇନ ଲାଗୁ ହେବାର ୨ ମାସ ମଧ୍ୟରେ ରାଜ୍ୟରେ ବିଭିନ୍ନ ଯାନବାହନରେ ୧ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇଛି । ତେବେ ସର୍ବାଧିକ ଜରିମାନା ବିନା ଲାଇସେନ୍ସରେ ଚଳାଉଥିବା ଲୋକଙ୍କଠାରୁ ଆଦାୟ ହୋଇଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ ଏହି ଦୁଇ ମାସ ମଧ୍ୟରେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ୫୩୧୭ ଜଣଙ୍କୁ ଧରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇଚକିଆ ଆରୋହୀଙ୍କ ସଂଖ୍ୟା ୨୨୦୬ ରହିଛି । ସେହିଭଳି ୪୯୫ ଜଣ ତିନିଚକିଆ ଗାଡ଼ିଚାଳକ ଓ ୧୬୩୧ ଜଣ ଚାରିଚକିଆ ଗାଡ଼ିଚାଳକ ଲାଇସେନ୍ସ ନ ଥିବାରୁ ତଣ୍ଡ ଗଣିଛନ୍ତି ।

ଗାଡ଼ିର ବୀମା ନଥିବାରୁ ୨୧୧୧ ଜଣ ଗାଡ଼ିଚାଳକଙ୍କ ଠାରୁ ୧୩ ଲକ୍ଷ ୮୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ସର୍ବାଧିକ ୯୯୯ ଜଣ ଦୁଇଚକିଆ ଗାଡ଼ିଚାଳକ ରହିଛନ୍ତି । ସେହିଭଳି ୩୨୯ ଜଣ ତିନିଚକିଆ ଗାଡ଼ିର ବୀମା ନ ଥିବାରୁ ଜରିମାନା ଆଦାୟ ହୋଇଥିବା ବେଳେ ଚାରିଚକିଆ ଗାଡ଼ି ସଂଖ୍ୟା ରହିଛି ୫୫୮ ।

ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୧୭୭ ଗାଡ଼ିଠାରୁ ୩୮ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହୋଇଥିବା ବେଳେ ଏଥିମଧ୍ୟରେ ୬୭୯ଟି ଦୁଇଚକିଆ, ୨୮୭ଟି ଚାରିଚକିଆ ଓ ୧୭୫ଟି ତିନିଚକିଆ ଗାଡ଼ି ରହିଛି । ମଦପିଇ ଗାଡ଼ି ଚଳାଉଥିବା ୪୯୦ ଜଣଙ୍କ ଠାରୁ ୭ ଲକ୍ଷ ୩୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଜରିମାନା ଦେଇଥିବା ମଦୁଆ ଗାଡ଼ିଚାଳକଙ୍କ ମଧ୍ୟରେ ସର୍ବାଧିକ ୨୯୭ ଜଣ ଦୁଇଚକିଆ ଚାଳକ ଥିବା ବେଳେ ୧୦୯ ଜଣ ଚାରିଚକିଆ ଓ ୫୪ ଜଣ ତିନିଚକିଆ ଗାଡ଼ିଚାଳକ ବି ତଣ୍ଡ ଗଣିଛନ୍ତି ।

ତେବେ ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ମୋଟରଯାନ ଦୁର୍ଘଟଣାର ସଂଖ୍ୟା ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି । ୨୦୧୮ ମସିହା ସେପ୍ଟେମ୍ବର ମାସରେ ୮୪୪ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ସଂଖ୍ୟା ୭୦୨ ରହିଛି । ଦୁର୍ଘଟଣା ପରିମାଣ ୧୬.୮୨ ପ୍ରତିଶତ ହ୍ରାସ ପାଇଥିବା ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଉତ୍ତରରେ କହିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019