ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ (ଏମଏଲଓଏସ)ରେ ପଞ୍ଜିକୃତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ମୋ ସରକାର ଯୋଜନା ଆରମ୍ଭ ହେବାପରେ ଡାକ୍ତରମାନଙ୍କ ଠାରୁ ଆବଶ୍ୟକ ସ୍ଥଳେ ଆଇନ୍ଗତ ପରାମର୍ଶ ନେବାପାଇଁ ଏକ ସ୍ୱତନ୍ତ୍ର ୱେବସାଇଟ୍ ପ୍ରସ୍ତୁତ ହୋଇଛି । ତେବେ ଏହି ୱେବସାଇଟ୍ରେ ଡାକ୍ତରମାନେ ନିଜକୁ ପଞ୍ଜିକୃତ କରିବାପରେ ସେମାନେ ଏହାର ଲାଭ ଉଠାଇ ପାରିବେ ।
ପୁଲିସ୍ ବିଭାଗ ଅଧିନରେ ଥିବା ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଏହି ୱେବସାଇଟ୍ର ବ୍ୟବହାର ପାଇଁ ସ୍ୱତନ୍ତ୍ର ଆଇଡି ଓ ପାସ୍ୱାର୍ଡ ପ୍ରସ୍ତୁତ କରିଛି । ତେବେ ଏହି କାର୍ଯ୍ୟକ୍ରମରେ ଏଯାବତ୍ ଡାକ୍ତରମାନଙ୍କ ପଞ୍ଜିକରଣ ଆଶାନୁରୂପ ହୋଇନଥିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଲେଖିଥିବା ପତ୍ରରେ ନଭେମ୍ବର ୧୫ ସୁଦ୍ଧା ଯେପରି ସବୁ ଡାକ୍ତର ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ଦିଗରେ ଦୃଷ୍ଟି ଦେବାକୁ କହିଛନ୍ତି ।
ଏ ପ୍ରସଙ୍ଗରେ ଜିଲ୍ଲାପାଳମାନେ ମେଡିକାଲ କଲେଜ, ସିଡିଏମ୍ଓ ଓ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ପ୍ରତିମାସରେ ନିୟମିତ ବ୍ୟବଧାନରେ ସମୀକ୍ଷା ବୈଠକ କରିବା ସହ କେଉଁ ଜିଲ୍ଲାରେ କେତେ ଡାକ୍ତର ଏମଏଲଓଏସରେ ପଞ୍ଜିକରଣ କରିଛନ୍ତି ତାହାର ପ୍ରତି ସପ୍ତାହର ରିପୋର୍ଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପଠାଇବାକୁ କୁହାଯାଇଛି ।
ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ମେଡିକୋ ଲିଗାଲ ଓପିନିଅନ ସିଷ୍ଟମରେ ଡାକ୍ତରଙ୍କ ପଞ୍ଜିକରଣ ସଂକ୍ରାନ୍ତୀୟ ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇବେ ।