ଖାଲି ପଡିଛି ପଦବୀ


ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷକ ପଦବୀ ଖାଲି କ୍ଷେତ୍ରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସବୁଠୁ ଆଗରେ ରହିଛି । ଏହି ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୭୯ଶିକ୍ଷକ ପଦବୀ ଖାଲିଥିବାବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ।

ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷକ ପଦବୀ ଖାଲି ସଂକ୍ରାନ୍ତରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟର ୧୦ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୮୪୪ଟି ଶିକ୍ଷକ ପଦବୀ ଖାଲି ପଡିଛି । ତେବେ ରେଭେନ୍ସାରେ ସର୍ବାଧିକ ୧୭୯ ପଦବୀ ଖାଲିଥିବାବେଳେ ଏଥି ମଧ୍ୟରୁ ୧୦୭ଟି ଆସିଷ୍ଟାଣ୍ଟ ପ୍ରଫେସର, ୪୮ଟି ଆସୋସିଏଟ ପ୍ରଫେସର ଓ ୨୪ଟି ପ୍ରଫେସର ପଦବୀ ରହିଛି । ସେହିଭଳି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳରେ ମୋଟ୍‍ ୧୨୯ଟି ଶିକ୍ଷକ ପଦବୀ ଖାଲିଥିବାବେଳେ କେଉଁ ବର୍ଗରେ କେତେ ତାହା ଉଲ୍ଲେଖ କରାଯାଇ ନାହିଁ ।

ଉତ୍‍କଳ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୨୦ଟି ଶିକ୍ଷକ ପଦବୀ ମଧ୍ୟର ୪୭ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଥିବାବେଳେ ୪୨ଟି ଆସୋସିଏଟ ପ୍ରଫେସର ଓ ୩୧ଟି ପ୍ରଫେସର ପଦବୀ ରହିଛି । ତୃତୀୟ ସ୍ଥାନରେ ରହିଛି ରମାଦେବୀ ବିଶ୍ୱବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ୧୦୫ ଶିକ୍ଷକ ପଦବୀ ମଧ୍ୟରୁ ୬୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଥିବାବେଳେ ୨୮ଟି ଆସୋସିଏଟ ପ୍ରଫେସର ଓ ୯ଟି ପ୍ରଫେସର ପଦବୀ ଖାଲି ରହିଛି ।

ସେହିଭଳି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ୭୯ଟି ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ, ଫକୀର ମୋହନ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୭୨ଟି କରି, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୫୧, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୫ ଓ ଖଲିକୋଟ ବିଶ୍ୱବିଦ୍ୟାଳୟରେ ୧୨ଟି ଶିକ୍ଷକ ପଦବୀ ଖାଲି ରହିଛି ।

ଶିକ୍ଷକ ପଦବୀ ଭଳି ଏହିସବୁ ବିଶ୍ୱବିଦ୍ୟାଳୟ ଗୁଡିକରେ ୧୫୬୩ଟି ଅଣଶିକ୍ଷକ ପଦନବୀ ଖାଲି ପଡିଛି । ଅଣଶିକ୍ଷକ ପଦବୀ ଖାଲି କ୍ଷେତ୍ରରେ ଉତ୍‍କଳ ବିଶ୍ୱବିଦ୍ୟାଳୟ ସବୁଠାରୁ ଆଗରେ ରହିଛି । ଏଠାରେ ସମୁଦାୟ ୬୧୩ଟି ପଦବୀ ଖାଲି ପଡିଥିବାବେଳେ ଏଥି ମଧ୍ୟରେ ଚତୁର୍ଥଶ୍ରେଣୀ ପାହ୍ୟାରେ ୩୨୧, ତୃତୀୟଶ୍ରେଣୀରେ ୨୨୨, ଦ୍ୱିତୀୟଶ୍ରେଣୀରେ ୬୨ ଓ ପ୍ରଥମଶ୍ରେଣୀ ପାହ୍ୟାର ୮ଟି ପଦବୀ ଖାଲି ରହିଛି ।

ସେହିଭଳି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୨୯୫ଟି ଅଣଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୦୭, ରେଭେନ୍ସାରେ ୧୩୫ ଟି ପଦବୀ ଖାଲି ପଡିଛି । ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ଅଣଶିକ୍ଷକ ପଦବୀ ସଂଖ୍ୟା ଶହେ ତଳକୁ ଥିବାବେଳେ ଓଡିଶା ମୁକ୍ତ ବିଶ୍ୱ ବିଦ୍ୟାଳୟରେ ଏହି ସଂଖ୍ୟା ସବୁଠାରୁ କମ୍‍ ୨ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020