ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

୮୧୨୬କୋଟିର ଅତିରିକ୍ତ ବଜେଟ୍‍


୨୦୧୯-୨୦ ବର୍ଷ ପାଇଁ ରାଜ୍ୟ ସରକାର ଆଜି ବିଧାନସଭାରେ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ୍‍ ଉପସ୍ଥାପନ ପରେ ବଜେଟ୍‍ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ଆଗତ ହୋଇଥିବା ଅତିରିକ୍ତ ବଜେଟ୍‍ରେ କାର୍ଯ୍ୟକ୍ରମ ବ୍ୟୟଲାଗି ୭୪୩୨ କୋଟି ୮୦ଲକ୍ଷ ଟଙ୍କାର ବରାଦ ଥିବାବେଳେ ପ୍ରଶାସନିକ ବ୍ୟୟ ଲାଗି ୨୬୭କୋଟି ୨୩ ଲକ୍ଷ ଟଙ୍କା ରହିଛି । ସେହିଭଳି ରାଜ୍ୟ ବଜେଟ୍‍ରୁ ୪୧୯କୋଟି ୭୮ଲକ୍ଷ ଟଙ୍କା ସ୍ଥାନାନ୍ତର ହୋଇଥିବାବେଳେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୬କୋଟି ୫୨ଲକ୍ଷ ଟଙ୍କା ବରାଦହୋଇଛି ।

ବଜେଟ୍‍ ସଂକ୍ରାନ୍ତରେ ସୂଚନା ଦେଇ ଅର୍ଥ ବିଭାଗର ପ୍ରମୁଖ ସଚିତ ଅଶୋକ ମୀନା କହିଛନ୍ତି ଯେ ଅତିରିକ୍ତ ବଜେଟ୍‍ରେ ବରାଦ ହୋଇଥିବା ଅର୍ଥ ମଧ୍ୟରୁ ସହବନ୍ଧିତ ସମ୍ବଳ ସୂତ୍ରର ୨୯୮୧ କୋଟି ଟଙ୍କା, ଅଣବନ୍ଧିତ ସମ୍ବଳରୁ ୧୦୦୦ କୋଟି ଓ ବିଭିନ୍ନ ବିଭାଗରୁ ଫେରିଥିବା ୪୧୪୪ କୋଟି ୫୦ଲକ୍ଷ ଟଙ୍କା ରହିଛି ।

ସେହିଭଳି ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣଭାର ୮୩,୩୦୭ କୋଟି ଟଙ୍କାରେ ପହଞ୍ଚି ଥିବାବେଳେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଖୋଲା ବଜାରରୁ ୩୫୦୦ କୋଟି ଟଙ୍କାର ଋଣ ଉଠାଣ କରିଛନ୍ତି । ଶୃଙ୍ଖଳିତ ଆର୍ଥିକ ପରିଚାଳନା ପାଇଁ ଅତିରିକ୍ତ ବଜେଟ୍‍କୁ ସରକାର ମୂଳ ବଜେଟ୍‍ର ୧୦ ପ୍ରତିଶତ ମଧ୍ୟରେ ରଖୁଥିବା ଶ୍ରୀ ମୀନା କହିଛନ୍ତି ।

ଅତିରିକ୍ତ ବଜେଟ୍‍ରେ ହୋଇଥିବା ବ୍ୟୟ ବରାଦ ମଧ୍ୟରେ ପୁରୀ ଠାରେ ଅବଢା ଯୋଜନା ପାଇଁ ଜମି ଅଧିଗ୍ରହଣ ନିମିତ୍ତି ୭୩୦କୋଟି ଟଙ୍କା, ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ୍‍ କରଣ ଯୋଜନା ନିମିତ୍ତ ୮୦୦ କୋଟି, ଓଡିଶା ଟ୍ରାନ୍ସମିଶନ ପଦ୍ଧତି ଉନ୍ନୟନ ପାଇଁ ୫୦ କୋଟି, ରାଜ୍ୟରେ ରାସ୍ତାଘାଟର ଉନ୍ନତିକରଣ ପାଇଁ ୭୩୦କୋଟି ଟଙ୍କା ବରାଦ ହୋଇଛି ।

ସେହିଭଳି ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୩୭୦କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଜନସ୍ୱାସ୍ଥ୍ୟ ସେବାପାଇଁ ୪୫୯କୋଟି, ମହିଳା ଓ ଶିଶୁ ବିକାଶର ସଶକ୍ତିକରଣ ଲାଗି ୨୬୦କୋଟି, ପୋଷଣ ଯୋଜନାପାଇଁ ୧୯୦କୋଟି ୨୮ଲକ୍ଷ, ନିର୍ମଳ ଯୋଜନା ପାଇଁ ୧୫କୋଟି, ଅବହେଳିତ ଜାତିର କଲ୍ୟାଣ ପାଇଁ ୫୦୦ କୋଟି େ୫୬ଲକ୍ଷ ଟଙ୍କା ଓ ସାସାଜିକ ନିରାପତ୍ତା ପାଇଁ ୫୦୧ କୋଟି ୫୬ଲକ୍ଷ ଟଙ୍କା ବରାଦ ହୋଇଛି ।

ଅତିରିକ୍ତ ବଜେଟ୍‍ରେ ପୂର୍ତ୍ତ ବିଭାଗ ପାଇଁ ସର୍ବାଧିକ ୧୭୫୧କୋଟି ୪୩ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୯୨୧ କୋଟି, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ ୯୦୨କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ପାଇଁ ୮୫୯କୋଟି, ଶକ୍ତି ବିଭାଗ ପାଇଁ ୮୫୧ କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପାଇଁ ୫୦୪ କୋଟି ଟଙ୍କା ବରାଦ ହୋଇଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019