ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଥାନା ପାଇଁ ଜମି ଖୋଜା


କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଥିବା କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ର ପ୍ରଦେଶ ସହିତ ପ୍ରାୟ ୫୦ବର୍ଷ ଧରି ସୀମା ବିବାଦ ଚାଲିଥିବାବେଳେ ଏହି ଅଞ୍ଚଳରେ ଏବେ ଉଭୟ ଓ ଆନ୍ଧ୍ର ସରକାର ଥାନା ବସାଇବାପାଇଁ ଜମି ଖୋଜୁଛନ୍ତି । ଏହି ଅଞ୍ଚଳର ଅନେକ ଲୋକ ପଞ୍ଚାୟତ ନିର୍ବାଚନରେ ଉଭୟ ଓଡିଶା ଓ ଆନ୍ଧ୍ରରେ ଭୋଟ ଦିଅନ୍ତି । ଗୋଟିଏ ଦେଶର ଲୋକ ହୋଇ ଗୋଟିଏ ଅଞ୍ଚଳର ଲୋକେ କିପରି ଦୁଇଟି ରାଜ୍ୟରେ ଭୋଟ ଦେଉଛନ୍ତି ଏବଂ ଏହି ଅଞ୍ଚଳରେ ଦୁଇଟି ଯାକ ରାଜ୍ୟର କିଭଳି ସମାନ୍ତରାଳ କାର୍ଯ୍ୟକ୍ରମ ଚାଲୁଛି ତାହା ଏକ ବଡ ପ୍ରଶ୍ନବାଚୀ ।

କୋରାପୁଟର ସୀମାନ୍ତରେ ଥିବା ୨୧ଟି କୋଟିଆ ଗ୍ରାମପୁଞ୍ଜ ଏବଂ ଗୋରମୁଖା ଓ ତାହାର ୧୨ଟି ପଡା ଗାଁ ଓଡିଶାରେ ଥିବାବେଳେ ଏହା ଉପରେ ମାଲିକାନା ଦାବି କରୁଛି ଆନ୍ଧ୍ରପ୍ରଦେଶ । ଏଠି କେତେବେଳେ କେଉଁ ଗାଁରେ ଆନ୍ଧ୍ର ପୁଲିସ୍‍, ଜଙ୍ଗଲ କର୍ମଚାରୀ ଓ ରାଜସ୍ୱ କର୍ମଚାରୀ ଆଦି ସେମାନଙ୍କ କାମ କରୁଛନ୍ତି ତ ଆଉ କେତେବେଳେ ଓଡିଶା ସରକାରଙ୍କ କର୍ମଚାରୀ ବି ଅନୁରୂପ ଭାବେ ଉକ୍ତ ଗ୍ରାମପୁଞ୍ଜରେ ସେମାନଙ୍କର ଉପସ୍ଥିତି ଜାହିର କରୁଛନ୍ତି ।

୧୯୬୮ ମସିହାରୁ ଏହି ଗାଁ ଗୁଡିକ ସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟରେ ମାମଲା ଗଡି ଆସୁଛି । ଏହାଛଡା ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ସୀମାନ୍ତରେ ଥିବା ଆଉ ୨୦ଟି ଗାଁ ଓ ଗୋଟିଏ ସଂରକ୍ଷିତ ଜଙ୍ଗଲର ବ୍ୟାପକ ଅଞ୍ଚଳ ଉପରେ ବି ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଆଧିପତ୍ୟ ଜାହିର କରୁଛନ୍ତି । ସେହିଭଳି ଗଜପତି ଜିଲ୍ଲାର ଅନ୍ୟୁନ ୧୫ଟି ଗାଁ ଓ କେତେକ ସଂରକ୍ଷିତ ଜଙ୍ଗଲକୁ ବି ଆନ୍ଧ୍ର କବ୍‍ଜା କରୁଛି । ଏମିତିକି ଓଡିଶାର କେତେକ ଗାଁରୁ ମଧ୍ୟ ଆନ୍ଧ୍ରର ରାଜସ୍ୱ ବିଭାଗ ଖଜଣା ଆଦାୟ କରୁଛି ।

କେନ୍ଦ୍ରୀୟ ସହାୟତାରେ ମାଲକାନଗିରିର ତଳମୁଣ୍ଡରେ ଆନ୍ଧ୍ର ସରକାର ଇନ୍ଦିରାସାଗର ବା ପୋଲାଭରମ ପ୍ରକଳ୍ପ ନିର୍ମାଣ ଚଳାଇଛନ୍ତି । ଏଥିଯୋଗୁଁ ଓଡିଶାର ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ନିଶ୍ଚିତ । ଏହାଛଡା ଝଞ୍ଜାବତି ନଦୀ ଉପରେ ଆନ୍ଧ୍ର ସରକାର ଯେଉଁ ବନ୍ଧ ନିର୍ମାଣ କରୁଛନ୍ତି ସେଥିରେ ବି ଓଡିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ଏହି ଦୁଇଟି ପ୍ରକଳ୍ପରେ ଓଡିଶାର ଅନ୍ୟୁନ ୧୦ହଜାର ଆଦିବାସୀ ପରିବାର ସେମାନଙ୍କର ଭିଟାମାଟି ହରାଇବେ ଓ ବ୍ୟାପକ ଜଙ୍ଗଲ ମଧ୍ୟ ନଷ୍ଟହେବ ।

କେବଳ ଆନ୍ଧ୍ର ନୁହେଁ ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ସହିତ ଓଡିଶାର ସୀମା ବିବାଦ ରହିଛି । ବାଲେଶ୍ୱର ଜିଲ୍ଲାର ୫ଟି ଓ ମୟୁରଭଞ୍ଜର ୮ଟି ଗାଁକୁ ନେଇ ପଶ୍ଚିମବଙ୍ଗ ସହିତ ବିବାଦ ରହିଥିବାବେଳେ ସୁବର୍ଣ୍ଣରେଖାକୁ ପଶ୍ଚିମବଙ୍ଗର ବାଲିମାଫିଆମାନେ ଏକ ପ୍ରକାର କବ୍‍ଜାରେ ରଖିଛନ୍ତି । ମୟୁରଭଞ୍ଜର ଆଉ କେତେକ ସୀମାନ୍ତବର୍ତ୍ତୀ ଗାଁ ଉପରେ ଝାଡଖଣ୍ଡ ବି ମାଲିକାନା ଦାବି କରୁଛି । କେନ୍ଦୁଝର ଜିଲ୍ଲାର ୫ଟି ଗାଁକୁ ନେଇ ବି ଝାଡଖଣ୍ଡ ସହିତ ସୀମା ବିବାଦ ଚାଲିଛି ।

ସୁନ୍ଦରଗଡ, ନବରଙ୍ଗପୁର ଓ ଝାରସୁଗୁଡା ଜିଲ୍ଲାର କେତେକ ସୀମାନ୍ତବର୍ତ୍ତୀ ଗ୍ରାମ ଓ ଜଙ୍ଗଲରେ ବି ଝାଡଖଣ୍ଡ ଓ ଛତିଶଗଡ ସହ ଓଡିଶାର ସୀମା ବିବାଦ ଲାଗି ରହିଛି । ମୋଟାମୋଟି ଭାବେ ଓଡିଶା ସୀମାନ୍ତରେ ଥିବା ୯୫ଟି ଗାଁ ଉପରେ ପଡୋଶୀ ରାଜ୍ୟମାନେ ମାଲିକାନା ଦାବି କରୁଥିବାବେଳେ କେତେକ ଗାଁରେ ଦ୍ୱୈତ ଶାସନ ଚାଲିଛି । ଓଡିଶାର ଅନ୍ୟୁନ ୧୩ହଜାର ଏକର ଜମି ଓ ୧୫ହଜାର ଏକରରୁ ଅଧିକ ଜଙ୍ଗଲଜମିକୁ ନେଇ ସୀମା ବିବାଦ ଲାଗି ବର୍ଷ ବର୍ଷ ଧରି ଗଡିଆସୁଛି ।

ଉତ୍ତରପ୍ରଦେଶର ଅଯୋଧ୍ୟାରେ ମାତ୍ର ୨ଏକର ୭୦ଡିସିମିଲ ଜାଗାର ମାଲିକାନାକୁ ନେଇ ଚାଲିଥିବା ଦୀର୍ଘ ବିବାଦ ସୁପ୍ରିମ୍‍କୋର୍ଟରେ ସମାଧାନ ହୋଇଥିବାବେଳେ ଓଡିଶାର ହଜାର ହଜାର ଏକର ଜମିକୁ ନେଇ ଲାଗିରହିଥିବା ବିବାଦ କେବେ ସମାଧାନ ହେବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ଉତ୍ତର ନାହିଁ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019