ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଲୁହାପଥର ପାଇଁ କେନ୍ଦ୍ରର ପରାମର୍ଶ


ଇସ୍ପାତ ଉତ୍ପାଦନକାରୀମାନଙ୍କ କଞ୍ଚାମାଲ ଅଭାବ ଜନିତ ଭୟକୁ ହ୍ରାସ କରିବାଲାଗି କେନ୍ଦ୍ର ସରକାର ଏହାର ମୁକାବିଲା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ରାଜ୍ୟକୁ କହିଛନ୍ତି । ଉଲ୍ଲେଖନୀୟ ଯେ ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରମୁଖ ଲୁହାପଥର ଖଣି ଗୁଡିକର ଲିଜ୍‍ ଅବଧି ସରିଯାଉଥିବାରୁ ଲୁହାପଥର ଅଭାବ ଦେଖାଦେବାର ଆଶଙ୍କା ଉପୁଜିଛି ।

ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରମୁଖ ଇସ୍ପାତ ଉତ୍ପାଦନକାରୀମାନେ କଞ୍ଚାମାଲ ଅଭାବ ସମସ୍ୟାର ସମାଧାନ ଲାଗି ସାହଯ୍ୟ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ନିଜସ୍ୱ ଖଣି ନଥିବା ଇସ୍ପାତ କାରଖାନା ଗୁଡିକ ବଡ ଧରଣର ଲୁହାପଥର ଅଭାବର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଦେଶର ୭୦ ପ୍ରତିଶତ ଇସ୍ପାତ କାରଖାନାର ନିଜସ୍ୱ ଖଣି ନଥିବାବେଳେ ଏମାନେ ଲୁହାପଥର ଯୋଗାଣକାରୀଙ୍କ ଉପରେ ନିର୍ଭର କରନ୍ତି । କଞ୍ଚାମାଲର ଅଭାବ ଓ ଲୁହାପଥରର ମୂଲ୍ୟ ଆଗାମୀ ଦିନରେ ଇସ୍ପାତ ଉତ୍ପାଦନ ଓ ଲାଭ ଉପରେ ଗଭୀର ପ୍ରଭାବ ପକାଇବ ।

କେନ୍ଦ୍ର ଇସ୍ପାତ ସଚିବ ବିନୟ କୁମାର ଏହି ମର୍ମରେ ଓଡିଶା ସରକାରଙ୍କୁ ପତ୍ର ଲେଖିଥିବା ଜଣାଯାଇଛି । ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୫୦ରୁ ଅଧିକ ଲୁହାପଥର ଖଣିର ଲିଜ୍‍ ଅବଧି ସରିଯାଉଥିବାରୁ କିଭଳି କଞ୍ଚାମାଲ ଅଭାବକୁ ମୁକାବିଲା କରାଯିବ ସେଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ଲାଗି କେନ୍ଦ୍ରୀୟ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଓଡିଶା ଦେଶର ଅନ୍ୟତମ ଖଣି ଭିତ୍ତିକ ରାଜ୍ୟ ହୋଇଥିବାରୁ ଜରୁରୀ ପରିସ୍ଥିତିର ମୁକାବିଲା ଲାଗି ଆକ୍ସନ ପ୍ଲାନ ପ୍ରସ୍ତୁତ ଲାଗି କେନ୍ଦ୍ର ସରକାର କହିଛନ୍ତି ।

ହୋଇଥିବା ଆକଳନ ଅନୁଯାୟୀ ଖଣି ଲିଜ୍‍ ଅବଧି ଆସନ୍ତବର୍ଷ ମାର୍ଚ୍ଚ ୩୧ରେ ସରିବାପରେ ୫୦ନିୟୁତ ଟନ୍‍ ଲୁହାପଥରର ଅଭାବ ପରିଲକ୍ଷିତ ହେବ । ୨୦୨୦-୨୧ ବେଳକୁ ଏହି ଅଭାବ ଆହୁରି ଉକ୍ରଟ ସ୍ଥିତି ଧାରଣ କରିବ । ଦେଶ ଭିତରେ ଲୁହାପଥରର ଯୋଗାଣ ହ୍ରାସ ପାଇଲେ ଏହାର ଆମଦାନୀ ବଢିବ । ଏହା ଫଳରେ ଉତ୍ପାଦନ ଖର୍ଚ୍ଚ ବଢିବ ବୋଲି ଅଧିକାରୀମାନେ କହୁଛନ୍ତି । ବନ୍ଦର ଠାରୁ ଦୂରରେ ଥିବା ଇସ୍ପାତ କାରଖାନା ଗୁଡିକ ଘରୋଇ ଲୁହାପଥର ଯୋଗାଣକାରୀଙ୍କ ଉପରେ ନିର୍ଭର କରିଥାନ୍ତି ।

କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟ ପକ୍ଷରୁ ଓଡିଶା, ଗୋଆ, କର୍ଣ୍ଣାଟକ, ଛତିଶଗଡ ଏବଂ ଅନ୍ୟ ଖଣି ଭିତ୍ତିକ ରାଜ୍ୟ ଗୁଡିକୁ ଅନୁରୋଧ କରୁଥିବାବେଳେ ଇସ୍ପାତ କାରଖାନା ଗୁଡିକୁ ସହାୟତା ଲାଗି ଓଡିଶାକୁ ବାରମ୍ବାର ମନେ ପକାଇ ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଓଡିଶା ସରକାର ଖଣି ଲିଜ୍‍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ପରିସ୍ଥିତିର ମୁକାବିଲା ଲାଗି କାର୍ଯ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି ।

୧୨ଟି ଲୁହାପଥର ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଥିରେ ବିଳମ୍ବ ହେଉନଥିବା ଅଧିକାରୀମାନେ କହୁଛନ୍ତି । ନିଲାମ ପ୍ରକ୍ରିୟା ସରିବାପରେ ବୈଧାନିକ ଅନୁମତି ପାଇବାପାଇଁ ଅଧିକ ସମୟ ଲାଗିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ସ୍ଥିତିରେ ତୁରନ୍ତ ଯେଭଳି ଅନୁମତି ମିଳିପାରିବ କେନ୍ଦ୍ର ସରକାର ସେ ଦିଗରେ ଉଦ୍ୟମ ଜାରି ରଖିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019