
ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ୭୫୪୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଯୋଜନା ଗୁଡିକ ମଧ୍ୟରେ ପିଏମ୍ଜିୱାଇ, ଏମ୍ଜିନରେଗା, ଏନ୍ଏସ୍ଏପି, ପିଏମ୍ଜିଏସ୍ୱାଇ ଓ ଅନ୍ୟ କେତେକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀ ଠାରେ ରାଜ୍ୟକୁ ମଞ୍ଜୁର ହୋଇଥିବା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ଅର୍ଥ ସଂକ୍ରାନ୍ତରେ ସମୀକ୍ଷା କରିବା ଅବସରରେ ଏହି ସୂଚନା ମିଳିଛି । ତେବେ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନା ବାବଦରେ କେନ୍ଦ୍ର ଠାରୁ ଆଉ ଅଧିକ ୬୦୦୦ କୋଟି ଟଙ୍କା ମିଳିବାର ଆଶା କରିଥିଲେ ।
ଏହି ଅର୍ଥ କେନ୍ଦ୍ରରୁ କିଭଳି ମିଳିବ ସେଥିପାଇଁ କେନ୍ଦ୍ରୀୟ ମନ୍ତ୍ରାଳୟ ଗୁଡିକ ସହିତ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ୫-ଟି ଯଥା ଟିମ୍ୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନଲୋଜି, ଟାଇମ ଓ ଟ୍ରାନ୍ସଫର୍ମେସନ ଉପରେ ସମୀକ୍ଷା କରିଥିଲେ । ଏହାକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ଆବାସିକ ଆୟୁକ୍ତ ଓ ସ୍ୱତନ୍ତ୍ର ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ଠାରୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ବାବଦ ଅର୍ଥ ଉପରେ ନଜର ରଖିବା ସହିତ ଏଥିରେ ବିଳମ୍ବ ହେଲେ ତାହା ତାଙ୍କ ଦୃଷ୍ଟିକୁ ଆଣିବାଲାଗି ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ନୂଆଦିଲ୍ଲୀ ଠାରେ ଓଡିଶା କଲଚରାଲ ସେଣ୍ଟର ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ମଞ୍ଜୁର ଲାଗି ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆଜିର ଏହି ବୈଠକରେ ୫-ଟି ସଚିବ ଭି.କେ.ପାଣ୍ଡିଆନ, ଆବାସିକ ଆୟୁକ୍ତ ସଞ୍ଜୀବ କୁମାର ମିଶ୍ର, ଅତିରିକ୍ତ ଆବାସିକ ଆୟୁକ୍ତ ରବି କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।