ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଏଫ୍‍ଏସ୍‍ଏସ୍‍ଏଆଇ ଅଧ୍ୟକ୍ଷାଙ୍କ ଓଡିଶା ଗସ୍ତ


ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ (ଏଫ୍‍ଏସ୍‍ଏସ୍‍ଏଆଇ) ର ଅଧ୍ୟକ୍ଷା ରୀତା ଟିଓଟିଆ ଆସନ୍ତା କାଲିଠାରୁ ୩ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗସ୍ତକାଳରେ ଶ୍ରୀମତୀ ଟିଓଟିଆ ଓଡିଶାରେ ଖାଦ୍ୟ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିବେ ।

ଶ୍ରୀମତୀ ଟିଓଟିଆ ଓଡିଶା ଗସ୍ତରେ ଆସୁଥିବାବେଳେ ଏଫଏସ୍‍ଏସ୍‍ଏଆଇ ପକ୍ଷରୁ ରାଜ୍ୟର ଖାଦ୍ୟ ବ୍ୟବସାୟୀମାନଙ୍କ ଲାଗି ପଞ୍ଜିକୃତ ଓ ଲାଇସେନ୍ସ ପ୍ରଦାନ ଲାଗି ସ୍ୱତନ୍ତ୍ର ଅଭିଯାନ ଚଳାଯାଉଛି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଯେଭଳି ଆଇନ୍‍ ଅନୁଯାୟୀ ଖାଦ୍ୟ ସୁରକ୍ଷା ପାଇଁ ବ୍ୟବସ୍ଥାକୁ ଅନୁପାଳନ କରିବେ ସେଥିପାଇଁ ଏଫ୍‍ଏସ୍‍ଏସ୍‍ଏଆଇ ପକ୍ଷରୁ କୁହାଯାଇଛି । ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଓଡିଶା ଗସ୍ତ ସମୟରେ ଶ୍ରୀମତୀ ଟିଓଟିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ସହିତ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ୟାମିନୀ ଷଡଙ୍ଗୀ ଓ ଖାଦ୍ୟ ସୁରକ୍ଷା ଏନ୍‍ଫୋର୍ସମେଣ୍ଟ ଅଧିକାରୀମାନଙ୍କ ସହିତ ରାଜ୍ୟର ଖାଦ୍ୟ ସୁରକ୍ଷା ପ୍ରସଙ୍ଗ ନେଇ ଆଲୋଚନା କରିବେ । ଏଥି ସହିତ ବିଭିନ୍ନ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏଥି ସହିତ ଶ୍ରୀମତୀ ଟିଓଟିଆ ରାଜ୍ୟ ଖାଦ୍ୟ ସୁରକ୍ଷା ପରୀକ୍ଷାଗାର ଗସ୍ତ କରିବେ । ଏହି ପରୀକ୍ଷାଗାରର ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ କର୍ତ୍ତୃପକ୍ଷଙ୍କୁ ମାର୍ଗଦର୍ଶନ ଦେବେ । ଉଲ୍ଲେଖନୀୟ ଯେ ଏଫ୍‍ଏସ୍‍ଏସ୍‍ଏଆଇର ଅଧ୍ୟକ୍ଷ ବିଭିନ୍ନ ରାଜ୍ୟ ଗସ୍ତ କରୁଥିବାବେଳେ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁପାଳନ କରୁନଥିବା ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି । ଏଥି ମଧ୍ୟରେ ସହରରେ ବିନା ପଞ୍ଜିକରଣ ଓ ଲାଇସେନ୍ସରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ, ବିନା ଲାଇସେନ୍ସ କିମ୍ବା ସମୟ ଅବଧି ପୂରିଯାଇଥିବା ଲାଇସେନ୍ସ ମାଧ୍ୟମରେ ଖାଦ୍ୟ ବ୍ୟବସାୟ, ଜୋରିମାନା ଫାଙ୍କିବାପାଇଁ ପୁରୁଣା ଲାଇସେନ୍ସର ନବୀକରଣ ବଦଳରେ ନୂଆ ଲାଇସେନ୍ସ ପାଇଁ ଆବେଦନ କରିବା ଓ ବିନା ଲାଇସେନ୍ସରେ ଖାଦ୍ୟ ସାମଗ୍ରୀ ତିଆରି ଓ ପ୍ରକ୍ରିୟାକରଣ କରିବା ଆଦି ରହିଛି ।

ଏହାବାଦ୍‍ ଖାଦ୍ୟ ବ୍ୟବସାୟ ତନଖି ପାଇଁ ଥିବା ଖାଦ୍ୟ ନିୟନ୍ତ୍ରକଙ୍କ ପକ୍ଷରୁ ଖାଦ୍ୟ ସାମଗ୍ରୀର ଚିହ୍ନଟ ଓ ଯାଞ୍ଚ ବ୍ୟବସ୍ଥା (ଏଫ୍‍ପିଆଇଭିଏସ୍‍) ଆରମ୍ଭ କରାଯାଇଛି ଯାହା ଦ୍ୱାରା ଖାଦ୍ୟ ବ୍ୟବସାୟୀମାନେ ସେମାନେ ଉତ୍ପାଦନ କରୁଥିବା ଖାଦ୍ୟର ମାନ ଅନ୍‍ଲାଇନ୍‍ ମାଧ୍ୟମରେ ଯାଞ୍ଚ ହୋଇପାରିବ । ଏଥି ସହିତ ସେମାନେ ନୂତନ ଖାଦ୍ୟ ପ୍ରଦାର୍ଥକୁ ଚିହ୍ନଟ କରିପାରିବେ । ଏହାର ମୁଖ୍ୟ ଅଭିପ୍ରାୟ ହେଉଛି ଖାଦ୍ୟ ବ୍ୟବସାୟ କରୁଥିବା ସଂସ୍ଥା ଗୁଡିକ ଉନ୍ନତମାନର ଅନୁମୋଦିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବେ ।

ଏଫ୍‍ଏସ୍‍ଏସ୍‍ଏଆଇ ଅଧ୍ୟକ୍ଷାଙ୍କର ଏହା ପ୍ରଥମ ଓଡିଶା ଗସ୍ତ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରର ବିକାଶ ଏବଂ ପ୍ରଶିକ୍ଷଣ ପାଇଁ ସେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ବିଭିନ୍ନ ସଂସ୍ଥା ଖାଦ୍ୟ ଲାଇସେନ୍ସ ପାଇଁ ଥିବା ୱେବସାଇଟ୍‍ରୁ ସେମାନଙ୍କ ଖାଦ୍ୟ ଲାଇସେନ୍ସର ସ୍ଥିତି ଯାଞ୍ଚ କରିବା ଆବଶ୍ୟକ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019