ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଯୋଡା ହେଲା ଖାଦ୍ୟ ନଳୀ


ଜଟିଳ ଅସ୍ତ୍ରୋପଚାର ଜରିଆରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍‍ ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ହସ୍ପିଟାଲ୍ ଡାକ୍ତରଙ୍କମାନେ ୧୮ ବର୍ଷୀୟ ଯୁବକଙ୍କ ନଷ୍ଟ ହୋଇ ଯାଇଥିବା ଖାଦ୍ୟ ନଳୀକୁ ଯୋଡି ତିଆରି କରିଛନ୍ତି ।

ସମ୍ ହସ୍ପିଟାଲ୍ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଲୋଜି ବିଭାଗର ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡକ୍ଟର ପ୍ରେମାନନ୍ଦ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁଁ ଛତିଶଗଡ଼ର ଯୁବକ ନୂଆ ଜୀବନ ପାଇଛନ୍ତି ।

ଛତିଶଗଡ଼ର ୧୮ ବର୍ଷୀୟ ଗରୀବ ପରିବାରର ଯୁବକ ଦୁଇ ବର୍ଷ ତଳେ ଭୁଲବଶତଃ ସାବୁନ୍ ତିଆରି ପାଇଁ ବ୍ୟବହୃତ କେମିକାଲ୍ ସଲ୍ୟୁସନକୁ ପିଇ ଦେଇଥିଲେ । ଏହା ଫଳରେ ତାଙ୍କର ଖାଦ୍ୟ ନଳୀ ଗୁରୁତର ଭାବେ ନଷ୍ଟ ହୋଇଯାଇଥିଲା । ସେ କୌଣସି ପ୍ରକାର ଖାଦ୍ୟ ଏପରିକି ଛେପ ଢ଼ୋକିବାରେ ମଧ୍ୟ ସମର୍ଥ ହୋଇପାରୁ ନ ଥିଲେ । କେବଳ ନଳୀ ଜରିଆରେ ତରଳ ପଦାର୍ଥ ଶରୀରକୁ ନେଉଥିଲେ ।

ଖାଦ୍ୟ ଗ୍ରହଣ କରିବାରେ ଅସମର୍ଥ ଏହି ଯୁବକ ଧୀରେ ଧୀରେ ସମ୍ପୂର୍ଣ୍ଣ ଦୁର୍ବଳ ହେବାକୁ ଲାଗିଥିଲେ । ଶେଷରେ ସେ ଗତ ମାସ ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ । ପରୀକ୍ଷା ନିରୀକ୍ଷା ପରେ ଡକ୍ଟର ପଟ୍ଟନାୟକ ତାଙ୍କର ଅପରେସନ୍ ପାଇଁ ନିଷ୍ପତି ନେଇଥିଲେ । କୋଲନ୍ ପୁଲଅପ୍ ସର୍ଜରୀ ମାଧ୍ୟମରେ ଲାର୍ଜ ଇଂଟେଷ୍ଟାଇନ୍ ର କିଛି ଅଂଶକୁ ନେଇ ଉପର ଅଂଶରେ ଯୋଡି ଖାଦ୍ୟନଳୀ ତିଆରି କରିଥିଲେ । ଆଠ ଘଂଟା ଧରି ଚାଲିଥିବା ଏହି ଅପରେସନ୍ କଷ୍ଟସାଧ୍ୟ ଥିଲା ।

ଅସ୍ତ୍ରୋପଚାର ପରେ ବର୍ତମାନ ରୋଗୀଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଖାଦ୍ୟ ଗ୍ରହଣ କରିବାରେ ସମର୍ଥ ହୋଇପାରିଛି । ଏହି ଅପରେସନରେ ଡକ୍ଟର ପଟ୍ଟନାୟକଙ୍କ ସମେତ ଡକ୍ଟର ସୁମିତ ମହାନ୍ତି, ଡକ୍ଟର ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ନିଶ୍ଚେତକ ଡକ୍ଟର ଶାଶ୍ୱତ ପଟ୍ଟନାୟକ ସହଯୋଗ କରିଥିଲେ । ସୁସ୍ଥ ହେବା ପରେ ସେ ଏକ ନୂଆ ଜୀବନ ପାଇଲେ ବୋଲି ସମ୍ପୃକ୍ତ ଯୁବକ କହିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019