ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଜିଲ୍ଲା କମିଟି ଗଠନ କର


ଜଳବାୟୁ ପରିବର୍ତ୍ତନ ସହ ବ୍ୟାପକ ପରିବେଶ ପ୍ରଦୂଷଣ ଯୋଗୁଁ ଜୀବଜଗତ ଯେଭଳି ଭୟଙ୍କର ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି ସେଥିଘେନି ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲ (ଏନ୍‍ଜିଟି) ଉଦ୍‍ବେଗ ପ୍ରକାଶ କରିବା ସଂଗେ ସଂଗେ ତୃଣମୂଳ ସ୍ତରରୁ ଏହି ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ।

ଜିଲ୍ଲା ସ୍ତରରେ ପରିବେଶ ପରିଚାଳନା କମିଟି ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ସମସ୍ତ ଜିଲ୍ଲାରେ ଗଠନ କରିବା ପାଇଁ ନିର୍ଦ୍ଦିଷ୍ଟ ଭାବେ ଏନ୍‍ଜିଟି ମତପ୍ରକାଶ କରିବା ସହିତ ଏହାର କାର୍ଯ୍ୟକାରିତା ଲାଗି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ଜିଲ୍ଲାସ୍ତରୀୟ କମିଟିରେ ପଞ୍ଚାୟତିରାଜ ଓ ପୌରସଂସ୍ଥାମାନଙ୍କର ପ୍ରତିନିଧି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଓ ଅନ୍ୟ ବିଷୟ ବିଶେଷଜ୍ଞମାନଙ୍କୁ ନେବାପାଇଁ କୁହାଯାଇଛି । ଏହି କମିଟି ଜିଲ୍ଲାସ୍ତରର ବିଭିନ୍ନ ପରିବେଶ ଜନିତ ପ୍ରସଙ୍ଗକୁ ଭିତ୍ତିକରି ଏହାର ସ୍ୱଳ୍ପ ଓ ଦୀର୍ଘମିଆଦୀ ସମାଧାନ ଲାଗି ଯୋଜନା ପ୍ରସ୍ତୁତ କରିବ ।

ଏହି କମିଟି ଗୁଡିକ କିଭଳି ଯୋଜନା ପ୍ରସ୍ତୁତ କରିବେ ସେଥିଘେନି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏକ ଚିଠା ପ୍ରସ୍ତୁତ କରି ଯୋଗାଇବେ । ସ୍ଥାନୀୟ ସମସ୍ୟା ଓ ତାହାର ଉପଚାରକୁ ଆଖିଆଗରେ ରଖି ଜିଲ୍ଲା କମିଟିମାନ ଏଥିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣି ପରିବେଶ ପରିଚାଳନା ଯୋଜନାର ଚିଠା ପ୍ରସ୍ତୁତ କରି ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଦେବେ । ମୁଖ୍ୟ ଶାସନ ସଚିବମାନେ ଜିଲ୍ଲା କମିଟି ଗଠନ ଓ ତାହାର ରିପୋର୍ଟ ପ୍ରସ୍ତୁତିକୁ ତନଖି କରିବେ ।

ଜିଲ୍ଲା ସ୍ତରରୁ ମିଳିଥିବା ପିରବେଶ ପରିଚାଳନା ଯୋଜନା ଆଧାରରେ ସମ୍ପୃକ୍ତ ରାଜ୍ୟ ସରକାର ତାଙ୍କ ରାଜ୍ୟପାଇଁ ପରିବେଶ ପରିଚାଳନା ନକ୍ସା ପ୍ରସ୍ତୁତ କରି କେନ୍ଦ୍ର ସରକାର ଓ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡକୁ ଦେବେ । କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ବିଚାର ଆଲୋଚନା କରି ଏ ସଂକ୍ରାନ୍ତୀୟ ଜାତୀୟ ନୀତି ପ୍ରସ୍ତୁତ କରିବେ ।

ଏନ୍‍ଜିଟି ମୁଖ୍ୟ ଶାସନ ସଚିବମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ରାଜ୍ୟ ପରିବେଶ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ । ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବମାନେ ଆସନ୍ତା ଡିସେମ୍ବର ଶେଷସୁଦ୍ଧା ସତ୍ୟପାଠ ଦାଖଲ କରିବେ । ଏନ୍‍ଜିଟିର ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲ, ବିଚାର ବିଭାଗୀୟ ସଦସ୍ୟ ଜଷ୍ଟିସ୍‍ ଏସ୍‍.ପି.ୱାଙ୍ଗଡି ଓ ଜଷ୍ଟିସ୍‍ କେ.ରାମକ୍ରିଷ୍ଣନ ଏବଂ ବିଶେଷଜ୍ଞ ସଦସ୍ୟ ଡକ୍ଟର ନାଗିନ୍‍ ନନ୍ଦାଙ୍କୁ ନେଇ ଗଠିତ ଚାରିଜଣିଆ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।

ଏଥିରେ ପୁଣି କୁହାଯାଇଛି ଯେ ରାଜ୍ୟ ଗୁଡିକରୁ ପରିବେଶ ପରିଚାଳନା ଯୋଜନା ସଂଗ୍ରହ କରିବାପରେ କେନ୍ଦ୍ର ସରକାର ୨୦୨୦ ଜାନୁୟାରୀ ଶେଷସୁଦ୍ଧା ଜାତୀୟ ପରିବେଶ ଯୋଜନା ପ୍ରଣୟନ କରିବେ ଏବଂ ଏ ସଂକ୍ରାନ୍ତରେ ଫେବୃୟାରୀ ୧୫ ତାରିଖ ସୁଦ୍ଧା ଏନ୍‍ଜିଟିକୁ ଜଣାଇବେ । ଏଠାରେ ଉଲ୍ଲେଖନୀୟ ଯେ ବିଶ୍ୱ ତାପାୟନ, ଜଳବାୟୁ ପରିବର୍ତ୍ତନ ଓ ବିଭିନ୍ନ କ୍ଷେତ୍ରରେ ପରିବେଶ ପ୍ରଦୂଷଣ ଘେନି ପରିବେଶବିତ୍‍ମାନେ ଉଦ୍‍ବେଗପ୍ରକାଶ କରିଆସୁଥିବାବେଳେ ଏବେ ଏ ପ୍ରସଙ୍ଗରେ ଏନ୍‍ଜିଟିରେ ମାମଲା ବଢିବାରେ ଲାଗିଛି । ଜିଲ୍ଲା ଓ ରାଜ୍ୟ ସ୍ତରରେ ସମସ୍ୟା ସମାଧାନ ଓ ତାହାର ପ୍ରତିକାରପାଇଁ ସକରାତ୍ମକ ପଦକ୍ଷେପ ନିଆଯାଇ ପାରିଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଆଶା କରାଯାଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019