ବଢ଼ୁଛି ସାଇବର କ୍ରାଇମ୍‍


ରାଜ୍ୟରେ ସାଇବର ଅପରାଧର ମାତ୍ରା ବଢ଼ିବାରେ ଲାଗିଛି । ୨୦୧୫ରେ ୩୮୬ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୮୨୪ରେ ପହଞ୍ଚିଛି । ଏ କ୍ଷେତ୍ରରେ ଓଡ଼ିଶା ଦେଶରେ ନବମ ସ୍ଥାନରେ ରହିଛି ।

ସଦ୍ୟ ପ୍ରକାଶିତ ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋ(ଏନ୍‍ସିଆର୍‍ବି) ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟର ସୂଚନାନୁଯାୟୀ ୨୦୧୭ ମସିହାରେ ସମଗ୍ର ଦେଶରେ ୨୧,୭୯୬ଟି ସାଇବର ମାମଲା ରୁଜୁ ହୋଇଥିବା ବେଳେ ସର୍ବାଧିକ ୪୯୭୧ଟି ମାମଲା ଉତ୍ତରପ୍ରଦେଶରେ ରହିଥିଲା । ଏହା ପଛକୁ ମହାରାଷ୍ଟ୍ରରେ ୩୬୦୪ଟି ମାମଲା ରୁଜୁ ହୋଇଥିବା ବେଳେ କର୍ଣ୍ଣାଟକରେ ୩୧୭୪, ରାଜସ୍ଥାନରେ ୧୩୦୪, ତେଲେଙ୍ଗାନାରେ ୧୨୦୯, ଆସାମରେ ୧୧୨୦ ଓ ଆନ୍ଧ୍ରପ୍ରଦେଶରେ ୯୩୧ଟି ମାମଲା ରୁଜୁ ହୋଇଥିଲା ।

ନାଗାଲାଣ୍ଡରେ ଗୋଟିଏ ହେଲେ ସାଇବର ମାମଲା ଏହି ସମୟରେ ରୁଜୁ ହୋଇନଥିବା ବେଳେ ସିକିମ୍‍ ଓ ଅରୁଣାଚଳ ପ୍ରଦେଶରେ ଗୋଟିଏ କରି ଏବଂ ତ୍ରିପୁରାରେ ୭ଟି ମାମଲା ରୁଜୁ ହୋଇଥିଲା । ତେବେ ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗରେ ଏହି ସମୟରେ ୩୯୮ଟି ମାମଲା ରୁଜୁ ହୋଇଥିବା ବେଳେ ଛତିଶଗଡ଼ରେ ୧୭୧ଟି ମାମଲା ନଜରକୁ ଆସିଥିଲା ।

କମ୍ପ୍ୟୁଟର ଡାଟା ଟ୍ୟାମ୍ପରିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ସପ୍ତମ ସ୍ଥାନରେ ରହିଥିବା ବେଳେ କମ୍ପ୍ୟୁଟର ସଂକ୍ରାନ୍ତୀୟ ସାଇବର ଅପରାଧ କ୍ଷେତ୍ରରେ ୨୦ଟି ରାଜ୍ୟ ପଛକୁ ଅଛି । ୨୦୧୭ ମସିହାରେ ଓଡ଼ିଶାରେ ୩ଟି କମ୍ପ୍ୟୁଟର ଟ୍ୟାମ୍ପରିଂ ମାମଲା ରୁଜୁ ହୋଇଥିବା ବେଳେ ୧୭ଟି କମ୍ପ୍ୟୁଟର ସଂକ୍ରାନ୍ତୀୟ ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା । ଏହି ବର୍ଷ ପୋଲିସ ମାତ୍ର ଜଣେ ଠକକୁ ଚିହ୍ନଟ କରିଥିଲା । ସେହିଭଳି କମ୍ପ୍ୟୁଟର ମାଧ୍ୟମରେ ଠକେଇ ନେଇ ୧୪ଟି ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ୨ ଜଣ ଧରାପଡ଼ିଥିଲେ ।

ଏଟିଏମ୍‍ ଚୋରି କ୍ଷେତ୍ରରେ ଓଡ଼ିଶା ଅନ୍ୟ ବହୁ ରାଜ୍ୟଠାରୁ ଆଗରେ ରହିଛି । ୨୦୧୭ ମସିହାରେ ରାଜ୍ୟରେ ୧୬୮ଟି ଏଟିଏମ୍‍ ଠକେଇ ମାମଲା ରୁଜୁ ହୋଇଛି । ସେହିଭଳି ଅନ୍‍ଲାଇନ୍‍ ଠକେଇ କ୍ଷେତ୍ରରେ ୧୧୬ଟି ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟାନ୍ୟ ସାଇବର ଠକେଇ ସଂଖ୍ୟା ୪୨ଟି ରହିଛି । ତେବେ ଏହି ସମୟ ମଧ୍ୟରେ ବିହାର, ମହାରାଷ୍ଟ୍ରକୁ ବାଦ୍‍ଦେଲେ ଏଟିଏମ୍‍ ଠକେଇ କ୍ଷେତ୍ରରେ ଅନ୍ୟ ପ୍ରାୟ ସମସ୍ତ ରାଜ୍ୟ ଓଡ଼ିଶା ପଛରେ ଅଛନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗରେ ୬ଟି ଏଟିଏମ୍‍ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୩୮ଟି ଓ ଛତିଶଗଡ଼ରେ ୯ଟି ମାମଲା ରୁଜୁ ହୋଇଛି ।

ଅନ୍‍ଲାଇନ୍‍ ବ୍ୟାଙ୍କ ଠକେଇ କ୍ଷେତ୍ରରେ ଓଡ଼ିଶା ମହାରାଷ୍ଟ୍ର ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ରରେ ୩୪୫ଟି ଅନ୍‍ଲାଇନ୍‍ ବ୍ୟାଙ୍କ ଠକେଇ ଆସିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧୧୬ ଅଛି । ତେବେ ଏହି ସମୟରେ ଓଡ଼ିଶାରେ ଗୋଟିଏ ହେଲେ ଓଟିପି ଠକେଇ ମାମଲା ନଜରକୁ ଆସିନାହିଁ । ଓଟିପି ଠକେଇ କ୍ଷେତ୍ରରେ ମହାରାଷ୍ଟ୍ର ସବୁଠାରୁ ଆଗରେ ଥିବା ବେଳେ ଏହା ପଛକୁ ଯଥାକ୍ରମେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରହିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020