ଅନ୍‍ଲାଇନରେ ଆରଟିଓ ସେବା


ଆରଟିଓ ଅଫିସରେ ଲୋକେ ଯେଭଳି ଧାଡି ଲଗାଇବେ ନାହିଁ ତାହା ଉପରେ ମୁଖ୍ୟ ଶାସନ ସଚିବ 
ଅସୀତ ତ୍ରିପାଠୀ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଆସନ୍ତା ମାସ ସୁଦ୍ଧା ଡ୍ରାଇଭିଂ ଲାଇସେନ୍ସ, ଗାଡି ପଞ୍ଜିକରଣ ପ୍ରମାଣପତ୍ର, ଗାଡିର ମାଲିକାନା ପରିବର୍ତ୍ତନ ଏବଂ ରାଜସ୍ୱ ଆଦାୟ ଆଦି ସେବାକୁ ଅନ୍‍ଲାଇନ୍‍ ମୋଡ୍‍ରେ ସାଧାରଣ ସେବା କେନ୍ଦ୍ର (ସିଏସ୍‍ସି) ମାନଙ୍କ ସହ ଯୋଡିବାପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

୫-ଟି କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ ପରିବହନ ବିଭାଗର ସମୀକ୍ଷା ଅବସରରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ କହିଛନ୍ତି ଯେ ଏହି ବ୍ୟବସ୍ଥା ମାଧ୍ୟମରେ ରାଜ୍ୟର କୌଣସି ସ୍ଥାନରୁ ଜଣେ ଯୋଗ୍ୟ ଆବେଦକାରୀ ନିଜ ଇଚ୍ଛାନୁଯାୟୀ ଯେକୌଣସି ଆରଟିଓ ଅଫିସରେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ।

ପ୍ରାଥମିକ ଭାବେ ଲର୍ନର ଲାଇସେନ୍ସ ଓ ପରବର୍ତ୍ତୀ ଅବସ୍ଥାରେ ଡ୍ରାଇଭିଂ ଲାଇସେନ୍ସ ଆଦି ପାଇଁ ଦେୟ ମଧ୍ୟ ଅନଲାଇନ୍‍ରେ ପଇଠ କରିପାରିବେ । ଏହା ଫଳରେ ଆରଟିଓ ଅଫିସରେ ଆଉ ଧାଡିରେ ଛିଡା ହେବାକୁ ପଡିବାନାହିଁ । ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଲକ୍ଷ ନାଗରିକ ଉପକୃତ ହୋଇପାରିବେ ।

ନୂଆ ଗାଡିର ପଞ୍ଜିକରଣ, ଋଣ-ବନ୍ଧକ ଏବଂ ବନ୍ଧକମୁକ୍ତ ସ୍ୱୀକୃତି, ଠିକଣା ପରିବର୍ତ୍ତନ, ଫିଟ୍‍ନେସ୍‍ ପ୍ରମାଣପତ୍ର ଏବଂ ପଞ୍ଜିକରଣ ନବୀକରଣ ଆଦି ବ୍ୟବସ୍ଥାକୁ ଅନ୍‍ଲାଇନ୍‍ ମୋଡ୍‍ରେ ସିଏସ୍‍ସିମାନଙ୍କ ସହ ଯୋଡାଯିବ । ଏଥିରେ ଅନ୍‍ଲାଇନ୍‍ ଦସ୍ତାବିଜ୍‍ ଦାଖଲ ବ୍ୟବସ୍ଥା ମଧ୍ୟ ରହିବ ।

ସମୀକ୍ଷାରୁ ଜଣାପଡିଛି ଯେ ସମସ୍ତ ପରିବହନ ସେବା ଦେୟକୁ ଅନ୍‍ଲାଇନ୍‍ ବ୍ୟବସ୍ଥାରେ ଦିଆଯାଇପାରିବ । ବର୍ତ୍ତମାନ ସଂଗୃହୀତ ହୋଇଥିବା ରାଜସ୍ୱର ପ୍ରାୟ ୬୫ ଭାଗ ଅନ୍‍ଲାଇନ୍‍ରେ ଆଦାୟ ହେଉଥିବା ବିଭାଗୀୟ ସଚିବ କହିଛନ୍ତି । ୨୦୨୦ ସୁଦ୍ଧା ଅନ୍‍ଲାଇନ୍‍ ରାଜସ୍ୱ ଆଦାୟ ସଂଗ୍ରହ ୯୦ ପ୍ରତିଶତକୁ ବଢାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି ।

ବଜାର ମାନ୍ଦାବସ୍ଥା ସତ୍ୱେ ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ଶେଷସୁଦ୍ଧା ପରିବହନ ବିଭାଗ ୧୦୦୪ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛି । ଗତବର୍ଷ ଏହି ସମୟ ସୁଦ୍ଧା ୧୦୦୧ କୋଟି ଟଙ୍କାର ରାଜସ୍ୱ ମିଳିଥିଲା । ଚଳିତବର୍ଷ ମିଳିଥିବା ରାଜସ୍ୱ ମଧ୍ୟରୁ ଶତକଡା ୮୦ ଭାଗ ନୂତନ ଗାଡି ପଞ୍ଜିକରଣ ଏବଂ ସଡକ ଟିକସ ବାବଦରେ ଆଦାୟ ହୋଇଥିବା ବିଭାଗୀୟ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ଅବଗତ କରିଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ କମିଶନର ସଞ୍ଜୀବ ପଣ୍ଡା, ମୁଖ୍ୟ ସଚିବଙ୍କ ଓଏସ୍‍ଡି ଦିଲ୍ଲୀପ ରାଉତରାୟଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020