ବଳଦେବଜୀଉଙ୍କ ପାଇଁ ଅର୍ଥ ମଞ୍ଜୁର


କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ବଡଦାଣ୍ଡର ଉନ୍ନତିକରର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏଥି ସହିତ ଭିଡିଓ କନ୍‍ଫରେନସିଂ ଯୋଗେ କେନ୍ଦ୍ରାପଡା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି ।

ଗତ ସ୍ନାନ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଯାଇଥିବାବେଳେ ସେବାୟତ ଓ ଜନସାଧାରଣ ମନ୍ଦିରର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି ଅନୁଷ୍ଠିତ ବୈଠକରେ ବଳଦେବଜୀଉ ପୀଠ ତୁଳସୀ କ୍ଷେତ୍ରର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ରରେ ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି ।

ତଦନୁଯାୟୀ ବଳଦେବଜୀଉ ମନ୍ଦିର ଓ ଏହାର ପରିସରକୁ ସୁଦୃଶ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ବଡଦାଣ୍ଡର ଉନ୍ନତିକରଣ କରାଯାଇ ଏହାର ଦୁଇ ପାଶ୍ୱର୍କୁ ଆଲୋକିତ କରାଯିବ । ସେହିପରି କେନ୍ଦ୍ରାପଡାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ, ବଳଦେବଜୀଉ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର ହେବ ।

ବଳଦେବଜୀଉ ମନ୍ଦିରର କିତ୍ତୀରାଜିର ଉପଯୁକ୍ତ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ । ଏହାଛଡା ମନ୍ଦିରର ନିରାପତ୍ତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ବ୍ୟବସ୍ଥିତ କରିବାପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି ।

ଏହିସବୁ ଉନ୍ନତିକରଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରହିବା ସହିତ ଆସନ୍ତା ରଥଯାତ୍ରା ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାବାସୀଙ୍କ ସହଯୋଗ କାମନା କରିଛନ୍ତି । ସେବାୟତମାନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦ୍ଦେଷ୍ଟା ଆର.ବାଲକ୍ରିଷ୍ଣନ, ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020