ନିଯୁକ୍ତି ନେଇ ଖୋଳତାଡ


ଅବସର ନେବା ପରେ ପରେ ଆୟୁଷ ନିର୍ଦ୍ଦେଶାଳୟରେ ଜଣେ ଅଧିକାରୀଙ୍କୁ ପରାମର୍ଶଦାତା (କନ୍‍ସଲଟାଣ୍ଟ) ନିଯୁକ୍ତିକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ଅବସରଗ୍ରହଣ ପରେ ପରେ ଏଭଳି ନିଯୁକ୍ତି ନେଇ ଅଭିଯୋଗ ଆସିବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଉପ ନିର୍ଦ୍ଦେଶକ (ଆର୍ୟୁବେଦ) ପଦବୀରୁ ଡାକ୍ତର ନିଗମ ପ୍ରସାଦ ନାୟକ ଅବସର ଗ୍ରହଣ କରିବା ପରେ ତାଙ୍କୁ ତୁରନ୍ତ ଆୟୁଷ ପରମର୍ଶଦାତା ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । ତେବେ ଏହି ନିଯୁକ୍ତି ପ୍ରକ୍ରିୟା ବୈଧ ନଥିବା ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ ହୋଇଛି । ଏପରିକି ପରମର୍ଶଦାତା ପଦବୀ ପାଇଁ ଯୋଗ୍ୟ ବ୍ୟକ୍ତିମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ ନକରି କିଭଳି ଭାବେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ତୁରନ୍ତ ଏହି ପଦବୀରେ ବସାଇ ଦିଆଗଲା ତାହାକୁ ନେଇ ଅଭିଯୋଗକାରୀ ପ୍ରଶ୍ନ କରିଛନ୍ତି ।

ବିଭାଗ ନିକଟରେ ଏଭଳି ଅଭିଯୋଗ ପହଞ୍ଚିବାପରେ ଖୋଦ୍‍ ଶାସନ ସଚିବ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପରାମର୍ଶ ଦାତା ନିଯୁକ୍ତି କ୍ଷେତ୍ରରେ ସାଧାରଣତଃ ଯୋଗ୍ୟ ବ୍ୟକ୍ତିମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯିବା ସହିତ ଚୟନ ପ୍ରକ୍ରିୟାରେ ତାହା ସ୍ଥିର ହୋଇଥାଏ । ହେଲେ ଡାକ୍ତର ନାୟକଙ୍କ ନିଯୁକ୍ତି କ୍ଷେତ୍ରରେ ସେଭଳି କିଛି ହୋଇନାହିଁ । ଆୟୁଷ ନିର୍ଦ୍ଦେଶାଳୟ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସ୍ତରରେ ଏଭଳି ନିଯୁକ୍ତି ଦିଆଯାଇଥିବାରୁ ତାହା ନିୟମ ଉଲ୍ଲଙ୍ଘନ ବୋଲି ଅଭିଯୋଗକାରୀ ଦର୍ଶାଇବା ପରେ ଖୋଳତାଡ ଆରମ୍ଭ ହୋଇଛି ।

ସେହିଭଳି ନବରଙ୍ଗପୁର ଜିଲ୍ଲା ଉମରକୋଟର ଛଚା ଆର୍ୟୁବେଦିକ୍‍ ଚିକିତ୍ସାଳୟର ଡାକ୍ତର ରଞ୍ଜନ କୁମାର ପାଢୀଙ୍କ କାର୍ଯ୍ୟକାଳକୁ ନେଇ ଅଭିଯୋଗ ଆସିବାପରେ ଏହାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଶ୍ରୀ ପାଢୀ ଗୋଟିଏ ଚିକିତ୍ସାଳୟରେ ଲଗାତାର ୩୦ବର୍ଷ ଧରି କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନ ତାଙ୍କୁ ରାୟଗଡା ସର୍କଲର ଜିଲ୍ଲା ଆର୍ୟୁବେଦିକ୍‍ ମେଡିକାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି ।

ଫଳରେ ସମ୍ପୃକ୍ତ ଡାକ୍ତର ଚିକିତ୍ସା କାର୍ଯ୍ୟ ଛାଡି ରାୟଗଡା ସର୍କଲ ଅଧିନରେ ଆସୁଥିବା ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡା ଜିଲ୍ଲା ଗସ୍ତକରୁଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି । ଏଭଳି ଅଭିଯୋଗ ଆସିଲା ପରେ ତଦନ୍ତ କରି ଘଟଣା ସଂକ୍ରାନ୍ତରେ ଜଣାଇବାକୁ ବିଭାଗ ପକ୍ଷରୁ ଆୟୁଷ ନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇଛି । ତେବେ ୧୫ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଜଣାଇବାକୁ କୁହାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତଦନ୍ତ ରିପୋର୍ଟ ମିଳିନଥିବା ଜଣାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020