ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଚିନ୍ତା ବଢ଼ାଉଛି ପରିବା ଦର


ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ପରଖିବା ଲାଗି ଘନ ଘନ ଗସ୍ତ ହେଉଥିବା ବେଳେ ବଜାରରେ ପରିବାଠାରୁ ଆରମ୍ଭ କରି ଡାଲିର ଅହେତୁକ ଦରବୃଦ୍ଧି ଏବେ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଲାଣି । ସ୍ୱଳ୍ପ ପଇସାରେ କିଭଳି ସରକାରୀ ତାଲିକାଭୁକ୍ତ କ୍ୟାଲୋରୀ ଖାଦ୍ୟ ପିଲାଙ୍କୁ ଦିଆଯିବ ସେଥିନେଇ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ପରିଚାଳନା କମିଟିର ସଦସ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ।

ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାଥମିକ ଶ୍ରେଣୀର ପିଲାଙ୍କ ଲାଗି ମଧ୍ୟାହ୍ନ ଭୋଜନ ପାଇଁ ଦିନକୁ ହାରାହାରି ୪୫୦ କିଲୋ କ୍ୟାଲୋରୀ ଓ ୧୨ ଗ୍ରାମ୍‍ ପ୍ରୋଟିନ୍‍ ଯୋଗାଇ ଦିଆଯିବ । ସେହିଭଳି ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଇଁ ଏହା ଯଥାକ୍ରମେ ୭୦୦ କିଲୋ କ୍ୟାଲୋରୀ ଓ ୨୦ ଗ୍ରାମ୍‍ ପ୍ରୋଟିନ୍‍ ଧାର୍ଯ୍ୟ ହୋଇଛି । କିନ୍ତୁ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲା ପିଛା ଦିନକୁ ୪୯୩.୬୦ କିଲୋ କ୍ୟାଲୋରୀ ଓ ୧୩.୮ ଗ୍ରାମ୍‍ ପ୍ରୋଟିନ୍‍ ଦେବାର ବ୍ୟବସ୍ଥା କରିଛନ୍ତି । ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଇଁ ରାଜ୍ୟ ସରକାର ଯଥାକ୍ରମେ ୭୨୮.୬୭ କିଲୋ କ୍ୟାଲୋରୀ ଓ ୨୦.୫ ଗ୍ରାମ୍‍ ପ୍ରୋଟିନ୍‍ ଦେଉଛନ୍ତି ।

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କୁ ଏଭଳି ଖାଦ୍ୟ ଯୋଗାଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି । ପ୍ରାଥମିକ ବିଦ୍ୟାଳୟ ଲାଗି ପିଲା ପିଛା ୪ ଟଙ୍କା ୫୮ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ଲାଗି ୬ ଟଙ୍କା ୮୩ ପଇସା ଧାର୍ଯ୍ୟ ହୋଇଛି । ଏହି ଅର୍ଥରେ ଡାଲି, ତେଲ, ପନିପରିବା, ଲୁଣ, ଅଣ୍ଡା, ସୋୟାବଡ଼ି ଓ ମସଲା ଆଦି ଖରିଦର ବ୍ୟବସ୍ଥା ରହିଛି । ଆବଶ୍ୟକ ଚାଉଳ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଉଛନ୍ତି ।

ତେବେ ବଜାରରେ ଏବେ ହରଡ଼ ଡାଲି କିଲୋ ୯୦ ଟଙ୍କା ଟପିଥିବା ବେଳେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି । ଅନ୍ୟାନ୍ୟ ପନିପରିବା ଦଳ ବି ଆକାଶଛୁଅାଁ । ବାଇଗଣ କିଲୋ ୫୦ ଟଙ୍କା ଟପିଥିବା ବେଳେ ଆଳୁ ୨୦ ଟଙ୍କା, କଖାରୁ ୩୦ ଟଙ୍କା, ବିଲାତି ବାଇଗଣ ୫୦ ଟଙ୍କା ରହିଛି । ସୋରିଷ ତେଲ ଲିଟର ୯୦ ଟଙ୍କା ଟପିଥିବା ବେଳେ ଅଣ୍ଡା ଗୋଟିକର ଦର ୬ ଟଙ୍କା ରହିଛି । ସପ୍ତାହରେ ପିଲାଙ୍କୁ ୨ ଦିନ ଅଣ୍ଡା ତରକାରୀ ଦେବାକୁ କୁହାଯାଇଛି ।

ପରିବାଠାରୁ ଆରମ୍ଭ କରି ଡାଲି, ତେଲ, ଦରରେ ଏଭଳି ନିଅାଁ ଲାଗିଥିବା ବେଳେ ମଧ୍ୟାହ୍ନ ଭୋଜନ କିଭଳି ସୁସ୍ୱାଦୁ ହେବ ତାହା ଏବେ ଚିନ୍ତାର କାରଣ ହୋଇଛି । ପିଲାଙ୍କୁ କୌଣସି ପ୍ରକାରେ ବୁଝାଇ ଦେଉଥିବା ସ୍କୁଲ କର୍ତ୍ତୃପକ୍ଷ ଏବେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସଚିବଙ୍କ ଗସ୍ତକୁ ନେଇ ଛାନିଆ ହୋଇପଡ଼ିଛନ୍ତି । କାରଣ ଜିଲ୍ଲା ଗସ୍ତରେ ଯାଉଥିବା ମନ୍ତ୍ରୀମାନେ ବିଦ୍ୟାଳୟରେ ଖାଦ୍ୟ ଚାଖୁଥିବା ବେଳେ ଏବେ ଆଇଏଏସ୍‍ ଅଫିସରମାନଙ୍କ ଲାଗି ଏହାକୁ କଡ଼ାକଡ଼ି କରାଯାଇଛି ।

ଆଗାମୀ ଦିନରେ ଅଧିକରୁ ଅଧିକ ସଂଖ୍ୟାରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିବା ସହିତ ଖାଇବାକୁ ଥିବାରୁ ଅଳ୍ପ ପଇସାରେ ଚଢ଼ା ଦରର ସାମଗ୍ରୀ କିଣି କିଭଳି ପିଲା ଓ ଅଫିସରଙ୍କ ମନକୁ ପାଇଲା ଭଳି ଖାଦ୍ୟ ରନ୍ଧାଯିବ ତାହାକୁ ନେଇ ଅଧିକାଂଶ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ଭାଳେଣିରେ ପଡ଼ିଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019