ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଅନ୍ୟ ରାଜ୍ୟ ଗାଡି ମାଳ ମାଳ


ପଡୋଶୀ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମାଳ ମାଳ ଚାରିଚକିଆ ଯାନ ଏବେ ଓଡିଶାରେ ଚଳାଚଳ କରୁଛି । ଏଥିଯୋଗୁଁ ରାଜ୍ୟ ସରକାର ରାଜସ୍ୱ ହରାଉଥିବାବେଳେ ଏମାନଙ୍କୁ ଉପରେ ଆଖିଦୃଶିଆ ଚଢଉ ହେଉନଥିବାରୁ ଦିନକୁ ଦିନ ଏଭଳି ଗାଡି ସଂଖ୍ୟା ବଢିବାରେ ଲାଗିଛି ।

ରାଜଧାନୀରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟର ପଞ୍ଜିକରଣ ନମ୍ବର ଥିବା ଗାଡି ଚଳାଚଳ କରୁଛି । ଗତ କିଛିଦିନ ଧରି ରାଜଧାନୀରେ ଏଭଳି ଗାଡିସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ଅନ୍ୟ ରାଜ୍ୟରେ ନୂଆ ଗାଡି ପଞ୍ଜିକରଣ ପାଇଁ ଓଡିଶା ଠାରୁ କମ୍‍ ପରିମାଣର ଅର୍ଥ ପଡୁଥିବାରୁ ଲୋକେ ସେହି ରାଜ୍ୟରୁ ଗାଡି ଖରିଦ କରିବା ସହିତ ସେଠାରେ ପଞ୍ଜିକରଣ କରି ଓଡିଶା ନେଇ ଆସୁଛନ୍ତି । ଦାମୀ ଗାଡି କ୍ଷେତ୍ରରେ ଏଭଳି ବାହାର ରାଜ୍ୟ ପଞ୍ଜିକରଣ ଅଧିକ ଭାବରେ ଦେଖିବାକୁ ମିଳୁଛି ।

୨୦୧୭ ମସିହାରେ ରାଜ୍ୟ ସରକାର ଯାନବାହାନ ପଞ୍ଜିକରଣ ଫି କୁ ୨୦ ପ୍ରତିଶତ ବଢାଇ ଦେବାପରେ ବାହାର ରାଜ୍ୟରେ ଓଡିଶା ଗ୍ରାହକଙ୍କ ଗାଡି ପଞ୍ଜିକରଣ ଅହେତୁକ ଭାବେ ବୃଦ୍ଧି ପାଇଥିଲା । ରାଜସ୍ୱ କ୍ଷତିକୁ ଦେଖି ଗତବର୍ଷ ରାଜ୍ୟ ସରକାର ପଞ୍ଜିକରଣ ଫି ପରିମାଣ ୧୦ ପ୍ରତିଶତକୁ ହ୍ରାସ କରିଥିଲେ । ଏହା ପରେ ବି ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଯାନବାହାନ ପଞ୍ଜିକରଣ ଟିକସ ହାର ଅଧିକ ରହୁଥିବାରୁ ଲୋକେ ପଡୋଶୀ ରାଜ୍ୟରେ ଗାଡି ପଞ୍ଜିକରଣ କରିବାକୁ ଆଗ୍ରହୀ ହେଉଛନ୍ତି ।

ନିୟମ ଅନୁଯାୟୀ ଗୋଟିଏ ରାଜ୍ୟର ବାସିନ୍ଦା ଅନ୍ୟ ରାଜ୍ୟରେ ଗାଡି ପଞ୍ଜିକରଣ କରି ଆଣି ଚଳାଇପାରିବେ ନାହିଁ । ନିଜ ରାଜ୍ୟରେ ଗାଡି ପଞ୍ଜିକରଣ କରିବା ବାଧ୍ୟତାମୂଳକ । ଅନ୍ୟ ରାଜ୍ୟରେ ପଞ୍ଜିକରଣ ହୋଇଥିବା ଗାଡି ଧରାହେଲେ ସେହି ଗାଡି ଉପରେ ପଞ୍ଜିକରଣ ତାରିଖ ଠାରୁ ଓଡିଶାର ଟିକସ ଲାଗୁ ସହିତ ଦୁଇଶହ ପ୍ରତିଶତ ପର୍ଯ୍ୟନ୍ତ ଜୋରିମାନା ଆଦାୟ ହେବ । ଏହା ହେଲେ ଅନ୍ୟ ରାଜ୍ୟରେ ଗାଡି ପଞ୍ଜିକରଣ କରି ଏଠାରେ ଚଳାଉଥିବା ଗାଡିମାଲିକାନେ ମୋଟା ଅଙ୍କର ତଣ୍ଡ ଗଣିବେ । ଏହାଛଡା ଗୋଟିଏ ରାଜ୍ୟରେ ପଞ୍ଜିକରଣ ଗାଡି ଅନ୍ୟ ରାଜ୍ୟରେ ଦୁଇମାସରୁ ଅଧିକ ସମୟ ଚଳାଚଳ କରିପାରିବନାହିଁ ।

ତେବେ ବର୍ତ୍ତମାନ ରାଜ୍ୟରେ ଗାଡିମୋଟର ଯାଞ୍ଚ ପ୍ରକ୍ରିୟା ସ୍ଥଗିତ ଥିବା ଯୋଗୁଁ ପରିବହନ କିମ୍ବା ପୁଲିସ୍‍ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟାରେ ଏକ ପ୍ରକାର ଡୋରି ବାନ୍ଧିଥିବାରୁ ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ଗାଡି ଗୁଡିକ ଏବେ ବେଧଡକଭାବେ ଚାଲୁଛନ୍ତି । ଏହାଦ୍ୱାରା କେବଳ ରାଜ୍ୟର ରାଜସ୍ୱ ହାନି ହେଉନାହିଁ ଆଇନ୍‍ଶୃଙ୍ଖଳା ସମସ୍ୟା ବି ରହିଥିବା ଅଧିକାରୀମାନେ କହୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019