ବାଲିଯାତ୍ରାକୁ ରାଜ୍ୟ ମହୋତ୍ସବ ମାନ୍ୟତା

ପ୍ରତିବର୍ଷ ପାଳିତ ହେଉଥିବା କଟକର ଐତିହାସିକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବର ମାନ୍ୟତା ମିଳିବ । ଏଥି ସହିତ ଏହି ସର୍ବବୃହତ ମୁକ୍ତାକାଶ ମେଳା ଯେଭଳି ଜାତୀୟ ସ୍ତରରେ ମାନ୍ୟତା ପାଇବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଆଜି ଲୋକସେବା ଭବନଠାରେ କଟକ ବାଲିଯାତ୍ରା ସଂକ୍ରାନ୍ତରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି । ଏହି ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

କଟକର ମହାନଦୀକୂଳରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଅନୁଷ୍ଠିତ ହେଉଥିବା ଐତିହାସିକ, ପାରମ୍ପରିକ ଏବଂ ଉକ୍ରଳର ଗୌରବମୟ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରୁଥିବା ବାଲିଯାତ୍ରା ପ୍ରସ୍ତୁତି ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ବିଭିନ୍ନ ଦୃଷ୍ଟିକୋଣରୁ ବିଚାରକରି ଏହି ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ଦେବା ପାଇଁ ସ୍ଥିର ହୋଇଛି । ଏଥି ସହିତ ଏହାକୁ ଏକ ଜାତୀୟ ମେଳାର ମାନ୍ୟତା ଦେବା ନେଇ ଉଦ୍ୟମ କରାଯିବ । ଏହି ବାଲିଯାତ୍ରା କଟକ ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାଂସ୍କୃତିକ ଓ ବାଣିଜ୍ୟ ମେଳାଭାବେ ପ୍ରତିବର୍ଷ ଆୟୋଜିତ ହେଉଛି ।

ବାଲିଯାତ୍ରାରେ ଦୈନିକ ପ୍ରାୟ ଏକ ଲକ୍ଷରୁ ଅଧିକ ଜନସମାଗମ ହେଉଥିବାବେଳେ ଚଳିତବର୍ଷ ଏହାକୁ ସୁବ୍ୟବସ୍ଥିତ ଓ ଅଧିକ ସରସ ସୁନ୍ଦର କରିବାପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଏହି ମେଳା ପାଇଁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବାର୍ଷିକ ୨୦ଲକ୍ଷ ଟଙ୍କାର ଅନୁଦାନ ଦେବାପାଇଁ ସ୍ଥିର ହୋଇଛି । ପର୍ଯ୍ୟଟନ ବିଭାଗର କ୍ୟାଲେଣ୍ଡରରେ କଟକ ବାଲିଯାତ୍ରା ସ୍ଥାନିତ ହେବା ସହିତ ବାର୍ଷିକ ୨୦ଲକ୍ଷ ଟଙ୍କା ଅନୁଦାନ ପାଇବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ କଟକ ମହାନଗର ନିଗମକୁ ବାଲିଯାତ୍ରାର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରତିବର୍ଷ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଚଳିତବର୍ଷ ବାଲିଯାତ୍ରାରେ ପାନୀୟଜଳ ଓ ପରିମଳ ବିଭାଗ ପକ୍ଷରୁ ୧୦୦ଟି ଅସ୍ଥାୟୀ ଶୌଚାଳୟ ଏବଂ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା ହେବ । ଏତ୍‍ଦବ୍ୟତିତ ଜଳ ସମ୍ପଦ, ପୂର୍ତ୍ତ, ସେସୁ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମଧ୍ୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯିବ । କଟକ-ଭୁବନେଶ୍ୱର କମିଶନରେଟ ପୁଲିସ୍‍ ତରଫରୁ ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ ପକ୍ଷରୁ ମଧ୍ୟ ସହଯୋଗ ପ୍ରଦାନ କରାଯିବ । ଏହି ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କର କୃଷି, ପଶୁ ସମ୍ପଦ, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବୟନ ଶିଳ୍ପ ବିଭାଗ ମେଳାରେ ଅଂଶଗ୍ରହଣ କରିବେ ।

ଆଜିର ଏହି ବୈଠକରେ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝା, ଅଗ୍ନିଶମ ଅଧିକାରୀ, କଟକ ଡିସିପି, ସିଏମସି ଅଧିକାରୀଙ୍କ ସହିତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020